ପୁରୀ : ସ୍ନାନ ବେଦୀରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ର ଗଜ ବେଶ

ତାଜା ନ୍ୟୁଜ (୨୪ ଜୁନ୍‌ ଗୁରୁବାର ପୁରୀ :- ପବିତ୍ର ସ୍ନାନ ପୂର୍ଣ୍ଣମୀ ରେ ସ୍ନାନ ମଣ୍ଡପରେ ଗଜ ବେଶରେ ସୁସଜ୍ଜିତ ହୋଇ ଶ୍ରଦ୍ଧାଳୁ ଙ୍କୁ ଦେଇଛନ୍ତି । ନାହାନ୍ତି ଭକ୍ତ ହେଲେ ଚାଲିଛି ଶ୍ରୀଜୀଉ ଙ୍କ ର ମନମୋହକ ନୀତିକାନ୍ତି । ଜଗତରନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଭିନ୍ନ ବେଶରେ ସଜ୍ଜିତ ହୋଇଥାଆନ୍ତି । ବିଭିନ୍ନ ସ୍ୱତନ୍ତ୍ର ଦିବସରେ ତାଙ୍କର ସ୍ୱତନ୍ତ୍ର ବେଶ ରହିଛି । ଯାହାକୁ ଦର୍ଶନ କରି ଭକ୍ତ ନିଜକୁ ପ୍ରେମଭକ୍ତିରେ ପରିପ୍ଲୁତ କରେ । ଗଜାନନ ବେଶ ବା ହାତୀ ବେଶ ସେଗୁଡ଼ିକ ମଧ୍ୟରୁ ଅନ୍ୟତମ । ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ସ୍ନାନବେଦୀରେ ଶ୍ରୀଜଗନ୍ନାଥ ଏବଂ ଶ୍ରୀବଳଭଦ୍ର ହାତୀ ବେଶ ହୋଇଥାନ୍ତି ସ୍ନାନଯାତ୍ରାର ଏହା ଅନ୍ୟତମ ଆକର୍ଷଣ ।

ହିନ୍ଦୁ ଧର୍ମରେ ଗଜାନନଙ୍କୁ ଅଗ୍ରଗଣ୍ୟ ଦେବତା ଭାବେ ପୂଜା କରାଯାଏ । ପ୍ରତ୍ୟେକ ଧାର୍ମିକ କାର୍ଯ୍ୟକଳାପ ପ୍ରାରମ୍ଭରେ ଶ୍ରୀଗଣେଶଙ୍କୁ ପୂଜା କରିବାର ବିଧି ରହିଛି । ଏହି ନ୍ୟାୟରେ ବର୍ଷର ପ୍ରଥମ ଯାତ୍ରାରେ ଠାକୁରଙ୍କର ଗଜାନନ ବେଶ ହେବା ଶୁଭାରମ୍ଭର ସୂଚନା ଦିଏ । ଏହି ବେଶ ପଛରେ ମଧ୍ୟ ରହିଛି ଏକ ସୁନ୍ଦର କିମ୍ୱଦନ୍ତୀ । ଶ୍ରୀଜଗନ୍ନାଥ ଭକ୍ତର ଠାକୁର ବୋଲି ବିଶ୍ୱବିଦିତ । ସେହିପରି ଦକ୍ଷିଣ ଭାରତର ଜଣେ ଅନନ୍ୟ ପଣ୍ଡିତ ତଥା ଗାଣପତ୍ୟ ଭକ୍ତ ଗଣପତି ଭଟ୍ଟଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଠାକୁରଙ୍କୁ ଗଜାନନ ବେଶ ଧାରଣ କରିବାକୁ ପଡ଼ିଥିଲା । ଏକଦା ଗଣପତି ଭଟ୍ଟ ଏହି ସ୍ନାନଯାତ୍ରା ସମୟରେ ଆସିଥାନ୍ତି ପୁରୀ । ଗଜପତିଙ୍କ ସହ ଭେଟ ସମୟରେ ରାଜା ତାଙ୍କୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଦେଖି ଯିବା ପାଇଁ କହିଲେ ।

ଶ୍ରୀଗଣେଶଙ୍କ ବ୍ୟତୀତ ଅନ୍ୟ କୌଣସି ଦେବଦେବୀଙ୍କୁ ସ୍ୱୀକାର କରୁନଥିବା ଗଣପତି ଭଟ୍ଟ ରାଜାଙ୍କ କଥା ଆମାନ୍ୟ କରିପାରିଲେ ନାହିଁ । ମନରେ କୁଣ୍ଠା ନେଇ ସ୍ନାନବେଦୀ ନିକଟକୁ ଗଲେ ଦର୍ଶନ ଲାଗି । ତେବେ ଏ କ’ଣ ! ସେଠାରେ ସେ କାହାକୁ ଦେଖୁଛନ୍ତି? ଶ୍ରୀଜଗନ୍ନାଥ ନାହାନ୍ତି କି କୃଷ୍ଣ ନାହାନ୍ତି । ଠାକୁରଙ୍କ ମୁଖରୁ ଲମ୍ବି ଆସିଛି ବିଶାଳ ଶୁଣ୍ଢ । ଏ’ତ ତାଙ୍କର ଇଷ୍ଟଦେବତା ଗଣନାଥ । ଶ୍ରୀଜଗନ୍ନାଥଙ୍କ ଅପୂର୍ବ ଲୀଳା ଦେଖି ବିମୋହିତ ହେଲେ । ମନେ ମନେ ଲଜ୍ଜିତ ମଧ୍ୟ ହେଲେ ।

ଠାକୁର ତାଙ୍କୁ ଗଣନାଥ ବେଶରେ ଦର୍ଶନ ଦେଇ ସାରା ଜଗତକୁ ବାର୍ତ୍ତା ଦେଲେ ଯେ ସେ ହିଁ ସବୁକିଛି – ରାମ,କୃଷ୍ଣ, ଶିବ,ଗଣନାଥ.. । ସେ ହେଉଛନ୍ତି ସମସ୍ତେ ଏବଂ ସମସ୍ତେ ହେଉଛନ୍ତି ସେ । ଏହି ଘଟଣା ପରଠାରୁ ଶ୍ରୀଜଗନ୍ନାଥ ତଥା ବଡ଼ଠାକୁର ବଳଭଦ୍ରଙ୍କୁ ସ୍ନାନବେଦୀରେ ଯଥାକ୍ରମେ କଳା ଏବଂ ଧଳା ହାତୀ ବେଶରେ ସଜ୍ଜିତ କରାଯାଏ । ପରମ୍ପରା ମୁତାବକ ଏହି ବେଶ ଲାଗି ରାଘବଦାସ ମଠ ଏବଂ ଗୋପାଳତୀର୍ଥ ମଠ ସମସ୍ତ ସାମଗ୍ରୀ ପ୍ରଦାନ କରିଥାନ୍ତି । (ରିପୋର୍ଟ,ଲାଲା ଅନନ୍ତ କୁମାର ସିଂହଁ )