No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୨ ଜୁନ ମଙ୍ଗଳବାର ) ହିଞ୍ଜିଳିକାଟୁ :- ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ପ୍ରଶାସନିକ ଓ ଉନ୍ନୟନ କାର୍ଯ୍ୟର ସୁପରିଚାଳନା ସକାଶେ ୩ଜଣ ଦକ୍ଷ ପ୍ରଶାସନିକ ଅଧିକାରୀ ନିୟୋଜିତ ହୋଇଛନ୍ତି।ହିଞ୍ଜିଳିବାସୀଙ୍କ ଦୁଃଖସୁଖରେ ସାମିଲ ହୋଇ ୩ ପ୍ରଶାସନିକ ଅଧିକାରୀ ନିଜ କର୍ତ୍ତବ୍ୟ ପାଳନରେ ଅଦ୍ୟାବଧି ସେମାନଙ୍କ ଦକ୍ଷତା ପ୍ରତିପାଦିତ କରି ଆସୁଛନ୍ତି।ସେମାନଙ୍କ ପ୍ରଶାସନିକ କାର୍ଯ୍ୟଦକ୍ଷତା ସହ କିଛି ଦୃଷ୍ଟାନ୍ତମୂଳକ ପଦକ୍ଷେପ ସ୍ଥାନୀୟ ସହରରେ ଚର୍ଚ୍ଚାର ଖୋରାକ ସୃଷ୍ଟି କରିଛି। ହିଞ୍ଜିଳି ପୋୖରାଞ୍ଚଳର ପ୍ରଶାସନିକ ସେବା ଅଧିକାରୀ ପଦବୀ ହାସଲ ଲକ୍ଷ୍ୟରେ ଥିବା ୩ ଶିକ୍ଷାର୍ଥୀଙ୍କୁ କିଛି ଉପାଦେୟ ପୁସ୍ତକ ପ୍ରଦାନ କରି ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ ପାଲଟିବା ଘଟଣାରୁ ଏକ ଭିନ୍ନଦୃଷ୍ଟିସମ୍ପନ୍ନ ବ୍ୟକ୍ତିତ୍ୱର ପ୍ରଶାସନିକ ଅଧିକାରୀ ଭାବେ ହିଞ୍ଜିଳି ବିଡ଼ିଓ ସ୍ପଷ୍ଟ ପ୍ରମାଣିତ ହୋଇଛନ୍ତି। ମିଳିଥିବା ସୂଚନା ପ୍ରକାରେ ସ୍ଥାନୀୟ ପୋୖରାଞ୍ଚଳ ୫ୱାର୍ଡର ପାୟଲ ପ୍ରିୟଦର୍ଶିନୀ ସେଠୀ,
ଆକାଶ ଚାନ୍ଦ ସେଠୀ ଓ ଥାନା ତୋଟା ସାହିର ତରୁଣ ସେଠୀ ନାମକ ୩ ଜଣ ଶିକ୍ଷାର୍ଥୀ ପ୍ରଶାସନିକ ସେବା ଅଧିକାରୀ ନିମନ୍ତେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ନିଜ ନିଜ ପ୍ରସ୍ତୁତି ଚଳାଇ ଥିଲେ।କୌଣସି ସୂତ୍ରରୁ ହିଞ୍ଜିଳିର ନବାଗତ ଯୁବ ବିଡ଼ିଓ ସୁବ୍ରତ କୁମାର ଜେନାଙ୍କ ଦୃଷ୍ଟିକୁ ଏହି ଖବର ପହଞ୍ଚିଥିଲା।ଏହା ଜାଣି ସେ ଅତ୍ୟନ୍ତ ଖୁସି ଅନୁଭବ କରି ୩ ପ୍ରତିଯୋଗୀ ଶିକ୍ଷାର୍ଥୀଙ୍କୁ ଡାକି ନିଜ ପାଖରେ ଉପଲବ୍ଧ ଥିବା କିଛି ଉପାଦେୟ ପୁସ୍ତକ ପ୍ରଦାନ କରି ସେମାନଙ୍କ ସଫଳତା କାମନା କରିଥିଲେ। ଏଭଳି ମହତ ଉଦ୍ଦେଶ୍ୟ ଓ ପ୍ରେରଣା ପାଇ ୩ ପ୍ରତିଯୋଗୀ ଅତ୍ୟନ୍ତ ଆନନ୍ଦିତ ହୋଇ ବିଡ଼ିଓଙ୍କୁ କୃତଜ୍ଞତା ଜଣାଇଥିଲେ।ଯୁବପିଢ଼ିଙ୍କ ଉଜ୍ବଳ ଭବିଷ୍ୟତ ଗଠନ ଦିଗରେ ଜଣେ ପ୍ରଶାସନିକ ଅଧିକାରୀଙ୍କ ଏଭଳି ଚିନ୍ତାଧାରା,ମନୋବୃତ୍ତି ଓ ତାଙ୍କ ମହତ ଉଦ୍ଦେଶ୍ୟ ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଜାଣିବା ଶୁଣିବା ମହଲରେ ମତ ପ୍ରକାଶ ପାଇଛି।ଜଣେ ଉତ୍ତମ ମାର୍ଗଦର୍ଶକ ଭାବେ ବିଡ଼ିଓ ଶ୍ରୀ ଜେନାଙ୍କ ଭୂମିକା ସାଧାରଣରେ ବେଶ ଆଦୃତ ହୋଇଛି। ଏଭଳି ପ୍ରଶଂସାଯୋଗ୍ୟ କାର୍ଯ୍ୟପ୍ରତି ବିଡ଼ିଓଙ୍କୁ ସବୁ ମହଲରେ ପ୍ରଶଂସିତ କରାଯାଇଛି । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result