No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୩ ଜୁନ୍ ,ରବିବାର ) ହିଞ୍ଜିଳିକାଟୁ :- ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଞ୍ଚଳରେ ବିଭିନ୍ନ ସମୟରେ ବହୁ ଅପରାଧିକ ଘଟଣା ମାନ ଘଟିଛି।କିଛି ଅପରାଧିକ ଘଟଣାରେ ଜଡିତ ଅପରାଧୀଙ୍କ ନିକଟତର ହୋଇ ପୁଲିସ ସେମାନଙ୍କୁ ଗିରଫ କରି ଘଟଣାର ପର୍ଦ୍ଦାଫାସ କରିବାରେ ସକ୍ଷମ ହୋଇଥିବା ବେଳେ କିଛି ଘଟଣାରେ ଏଯାବତ୍ ସକ୍ଷମ ହୋଇ ପାରିନାହିଁ । ହିଞ୍ଜିଳି ଥାନା ଅଞ୍ଚଳରେଏଭଳି କିଛି ସ୍ପର୍ଶକାତର ହତ୍ୟା ଘଟଣା ଘଟିଯାଇଛି ଯାହାକି ଅପରାଧୀଙ୍କ ଟେର ପାଇବାରେ ସ୍ଥାନୀୟ ପୁଲିସ ସମ୍ପୂର୍ଣ୍ଣ ବିଫଳ ହୋଇଥିବା କିଛି ଘଟଣାରୁ ସ୍ପଷ୍ଟ ଜଣାପଡିଛି। ଗତ ୨୦୧୮ ମସିହା ଡିସେମ୍ବର ମାସରେ ସ୍ଥାନୀୟ ଥାନା କଣ୍ଟେଇକୋଳି ଗ୍ରାମ ନିକଟ ଧାନଫସଲ ବିଲରେ ପଡିଥିବା ନରକଙ୍କାଳ ହେଉ କିମ୍ବା ୨୦୧୯ ମସିହା ଜାନୁଆରୀ ମାସରେ ସିଙ୍ଗିପୁର ଗ୍ରାମ ନିକଟସ୍ଥ ଘୋଡେଇ ଶୁଣି ପାହାଡ ଲଟାବୁଦା ଭିତରେ ପଡିଥିବା ପରିତ୍ୟକ୍ତ ଶବ ଉଦ୍ଧାର ଘଟଣା ଅଥବା ସୋମପୁର ଗ୍ରାମର ଯୁବକ ତଥା ପୋଚିଲିମ୍ମା ସ୍ଥିତ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନର ଜଣେ ଅଧ୍ୟୟନରତ ଛାତ୍ରର ମୃତ୍ୟୁ ଘଟଣାର ରହସ୍ୟ ଭେଦ କରିବାରେ ଏ ପର୍ଯ୍ୟନ୍ତ ସ୍ଥାନୀୟ ପୁଲିସ ସକ୍ଷମ ହୋଇ ପାରିନାହିଁ। ଘଟଣା ଘଟିବାର ଦୀର୍ଘ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ସୁଦ୍ଧା ଅପରାଧରେ ସଂଶ୍ଳିଷ୍ଠ ଥିବା ଅଭିଯୁକ୍ତଙ୍କୁ ପୁଲିସ ପ୍ରଶାସନ ଧରିବାରେ ବିଫଳ ହୋଇଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ପୂର୍ଵ ଅପରାଧିକ ଘଟଣାର ପରଦା ହଟିନ ଥିଲା ବେଳେ ହିଞ୍ଜିଳି ଥାନା ଅଞ୍ଚଳର ଏକ ଅବ୍ୟବହୃତ ପୋଖରୀ ଭିତରେ ପୁଣି ଏକ ନରକଙ୍କାଳର ମୁଣ୍ଡ ଖପୁରୀ ଓ ଦେହର କିଛି ଅବଶେଷ ପଡ଼ିଥିବା ଘଟଣା ବେଶ ଚାଞ୍ଚଲ୍ୟ ସୃଷ୍ଟି କରିଛି।ସ୍ଥାନୀୟ ଥାନା ଅନ୍ତର୍ଗତ ବଲରାମପୁର ଗ୍ରାମ ସ୍ଥିତ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳୀର ଅନୀତି ଦୂରରେ ଥିବା ତଥା ଖଇର ବେଠୀ ଖଜୁରୀ ବନ୍ଧ ପୋଖରୀ ଭିତରେ ନରକଙ୍କାଳର ଖପୁରୀ,ହାଡ ସହ କଳା ରଙ୍ଗର ହଳେ ଚପଲ ଘଟଣା ସ୍ଥଳରେ ପଡିଥିବା ସୂଚନା ମିଳିଛି। ଶୁକ୍ରବାର ସକାଳେ ସ୍ଥାନୀୟ ଅଞ୍ଚଳର କିଛି ମହିଳା ପୋଖରୀ ନିକଟକୁ ଶାଗ ତୋଳିବାକୁ ଯାଇଥିଲା ବେଳେ ସେମାନଙ୍କ ମଧ୍ୟରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଜଣେ ନାବାଳିକା ପ୍ରଥମେ ପୋଖରୀ ନିକଟରେ ପଡ଼ିଥିବା ଚପଲ ୨ ଟିକୁ ନିଜ ବାପାଙ୍କର ବୋଲି ଚିହ୍ନଟ କରିଥିଲେ।ପରେ ପୋଖରୀ ନିକଟରେ ମୁଣ୍ଡ ଖପୁରୀ ଓ ହାଡ ପଡିଥିବାର ଦେଖି ଭୟରେ ଘରକୁ ଫେରି ଘଟଣା ସମ୍ପର୍କରେ ମା’ଙ୍କୁ କହିଥିଲେ । ଘଟଣା ପରେ ଉକ୍ତ ଦିନ ସନ୍ଧ୍ୟା ସମୟରେ ନାବାଳିକା ଓ ତାଙ୍କ ମା ରହୁଥିବା ଆବାସିକ ଗୃହରୁ କେଉଁଆଡ଼େ ଅନ୍ତର୍ଦ୍ଧ୍ୟାନ ହୋଇଯିବା ଘଟଣା ନାନା ସନ୍ଦେହ ସୃଷ୍ଟି କରିଛି। ଜଣେ ବ୍ୟବସାୟୀଙ୍କ ସହାୟତାରେ ମା ଓ ନାବାଳିକା ନିଜ ଭିଟାମାଟି ଅଞ୍ଚଳକୁ ଫେରିଥିବା ଗ୍ରାମରେ ଚର୍ଚ୍ଚା ଜୋର ହେଉଛି।ନରକଙ୍କାଳର ପରିଚୟ ଓ ଠିକଣା ସହ ଓ କିଭଳି ଓ କେଉଁ ପରିସ୍ଥିତିରେ ଏକ ନିକାଞ୍ଚନ ସ୍ଥାନରେ ଏଭଳି ସ୍ପର୍ଶ କାତର ଘଟଣା ଘଟିଛି ତାହା ଏବେ ରହସ୍ୟାବୃତ ରହିଛି। ଘଟଣାର ଛାନଭିନ ଚଳାଇ ପୁଲିସ ଯଦି ପ୍ରକୃତ ଅପରାଧୀକୁ ଧରିପାରିବ ତେବେ ଅପରାଧିକ ଘଟଣାର ରହସ୍ୟ ଉନ୍ମୋଚନ ହୋଇ ପାରିବ ବୋଲି ଆଲୋଚନା ହେଉଛି। ତେବେ ଘଟଣା ନେଇ ହିଞ୍ଜିଳି ଥାନାରେ ନଂ ୫/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି ।
( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result