ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁନ ବୁଧବାର ) ବୋଲିଙ୍ଗବ୍ରୁକ/କାଲିଫର୍ଣ୍ଣିଆ/ଚିକାଗୋ/ଟରୋଣ୍ଟୋ/ଦୁବାଇ/ନଏଡା :- କୋଭିଡ଼ ବିପତ୍ତି ର ପ୍ରଶମଣ କ୍ଷେତ୍ରରେ ଯୁବ ସମ୍ପ୍ରଦାୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ ବୋଲି ଆମେରିକାର ବୋଲିଙ୍ଗବ୍ରୁକ ନଗରର ମେୟର ମ୍ୟାରୀ ଆଲେକଜାଣ୍ଡର ବାସ୍ଟା ଆଶା ପ୍ରକାଶ କରିଛନ୍ତି। ଚିକାଗୋ ସ୍ଥିତ ‘‘ବିଉଟିଫୁଲ ମାଇଣ୍ଡସ ୟୁଥ ମେଣ୍ଟରିଂ ଫାଉଣ୍ଡେସନ’’ ଦ୍ବାରା କରୋନା ସଙ୍କଟରୁ ଉଦ୍ଧାର ପାଇଁ ଆୟୋଜିତ ଅନଲାଇନ୍ ଆନ୍ତର୍ଜାତିକ ପ୍ରାର୍ଥନା ସଭାରେ ସମ୍ମାନୀୟ ଅତିଥି ବକ୍ତା ଭାବେ ଯୋଗଦେଇ ଶ୍ରୀମତୀ ବାସ୍ଟା କୋମଳମତି ପିଲାମାନଙ୍କର ସମ୍ମୁହ ପ୍ରାର୍ଥନା ଦ୍ବାରା ଈଶ୍ବରଙ୍କ ଆଶିଷ ନିଶ୍ଚିତ ଭାବେ ପ୍ରାପ୍ତି ହେବ ବୋଲି ଆଶ୍ଵାସନା ଦେଇଥିଲେ।ମହାମାରୀ ଆମକୁ ପରିବାର, ପରିଜନ ଏବଂ ଜୀବନର ମୂଲ୍ୟବୋଧ କଣ, ତାହା ଶିଖାଇ ଦେଇଥିବା ମେୟର ମ୍ୟାରୀ ଉଲ୍ଲେଖ କରିଥିଲେ। ଭର୍ଚୁଆଲ ଅଧିବେଶନରେ ସ୍ବାଗତ ଭାଷଣ ପ୍ରଦାନ କରି ବିଉଟିଫୁଲ ମାଇଣ୍ଡସ୍ ର ସଭାପତି ସୁଚିସ୍ମିତା ପଣ୍ଡା, ଓଡ଼ିଶାର ଅଭାବୀ ଯୁବକ ଓ ଶିଶୁ ମାନଙ୍କୁ କୁଶଳୀ ଶିକ୍ଷା ପ୍ରଦାନ କରି ସେମାନଙ୍କର ସାମାଜିକ ଓ ଆର୍ଥିକ ପ୍ରଗତି କୁ ସମ୍ଭବ ପର କରିବା ପାଇଁ, ତାଙ୍କର ଫାଉଣ୍ଡେସନ ପ୍ରୟାସ କରୁଥିବା ସୂଚାଇଥିଲେ ।
ଚଳିତ ବିଶ୍ଵ ମହାମାରୀ କୁ ଜିତିବା ପାଇଁ ଯୁବ ସମାଜର ଐଶ୍ଵରିକ ଚେତନାକୁ ଉଜାଗର କରିବା ସକାଶେ ଏହି ପ୍ରାର୍ଥନା ସଭା ଉଦ୍ଦିଷ୍ଠ ବୋଲି ଶ୍ରୀମତୀ ପଣ୍ଡା ଦର୍ଶାଇ ଥିଲେ। ପ୍ରତିଷ୍ଠାନର ନିର୍ଦ୍ଦେଶକ ଶୁଭେନ୍ଦୁ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ବିଉଟିଫୁଲ ମାଇଣ୍ଡସର ସହ ସଂସ୍ଥାପକ ନିଶାନ୍ତ ଷଡ଼ଙ୍ଗୀ ଓଡ଼ିଶାର ଅସହାୟ ଓ ସୁବିଧା ସୁଯୋଗରୁ ବଞ୍ଚିତ ପିଲା ମାନଙ୍କୁ ବିଶ୍ବସ୍ତରୀୟ ପାରଦର୍ଶୀ ବନାଇବା ତାଙ୍କ ସଂଗଠନର ମୁଖ୍ୟ ଲକ୍ଷ୍ୟ ବୋଲି ଘୋଷଣା କରିଥିଲେ । କାଲିଫର୍ଣ୍ଣଆରୁ ଭିଡ଼ିଓ କନଫରେନସିଂ ଜରିଆରେ ବୈଠକରେ ଉଦବୋଧନ ଦେଇ ପ୍ରସିଦ୍ଧ ଆଧ୍ୟାତ୍ମିକ ପ୍ରବଚକ ନିବେଦିତା ପଣ୍ଡା ସାରା ଦୁନିଆରେ ନୈତିକ ଗୁଣାବଳୀର ସ୍ଖଳନ, ପରିବେଶର ଧ୍ୱଂସକରଣ ଏବଂ ମାତ୍ରାଧିକ ବସ୍ତୁବାଦୀ ଆସକ୍ତି ଯୋଗୁଁ କରୋନା ମହାମାରୀ ବ୍ୟାପିଥିବା ପ୍ରକାଶ କରିଥିଲେ। ମଣିଷ ସ୍ବୟଂ ଆତ୍ମଶୁଦ୍ଧି କରି ନିଜର ଅର୍ନ୍ତନିହିତ ଶକ୍ତିକୁ ଜାଗ୍ରତ କଲେ ନିଜେ ସୁସ୍ଥ, ସୁରକ୍ଷିତ ଓ ସମ୍ପନ୍ନ ରହିବା ସାଙ୍ଗକୁ ଅନ୍ୟମାନଙ୍କୁ ମଧ୍ୟ ଚିରନ୍ତନ ଆନନ୍ଦରେ ଭାଗୀଦାର କରାଇବାରେ ସକ୍ଷମ ହୋଇପାରିବ ବୋଲି ଶ୍ରୀମତୀ ପଣ୍ଡା ଦମ୍ଭ ପ୍ରକାଶ କରିଥିଲେ। ଦୁବାଇ ରୁ ଲିପିକା ଦାଶ ମହାମାରୀ ର ସାକରାତ୍ମକ ଦିଗକୁ ଦୃଷ୍ଟିପାତ କରିବାକୁ ପରାମର୍ଶ ଦେଇଥିଲେ। ଏହା ସମଗ୍ର ବିଶ୍ଵ କୁ ଏକାକାର ଓ ଏକତ୍ରିତ କରି ଆମର ଆଦିଯୁଗର ସନାତନ ଦର୍ଶନ, ‘‘ବସୁଧୈବ କୁଟୁମ୍ବକମ୍’’ କୁ ସତ୍ୟରେ ପରିଣତ କରିଦେଇଥିବା ଲିପିକା କହିଥିଲେ।