No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୦ ମଇ ରବିବାର ) ନୂଆଦିଲ୍ଲୀ :- ରବିବାର ମୋଦି କହିଛନ୍ତି ଏହି ୭ ବର୍ଷରେ ଯାହା କିଛି ସଫଳତା ମିଳିଛି ତାହା ଦେଶ ଓ ଦେଶବାସୀଙ୍କର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧୀନ ଦ୍ୱିତୀୟ ପାଳି ସରକାରର ଆଜି ଦ୍ୱିତୀୟ ବର୍ଷ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ମାସିକ କାର୍ଯ୍ୟକ୍ରମ ମନ୍ କି ବାତ ଜରିଆରେ ଦୀର୍ଘ ୭୦ ବର୍ଷର ସରକାରକୁ ଚଳିତ ୭ ବର୍ଷର ସରକାର ସହ ତୁଳନା କରିଛନ୍ତି । ବର୍ତ୍ତମାନର ଭାରତ ଅନ୍ୟ ଦେଶର ଚିନ୍ତାଧାରା ଓ ଚାପରେ ନାହିଁ ।
ଦେଶ ନିଜ ସଂକଳ୍ପ ସହିତ ଚାଲୁଥିବାରୁ ଏଥିପାଇଁ ଆମେ ସମସ୍ତେ ଗର୍ବିତ । ଯେଉଁମାନେ ଆମ ବିରୁଦ୍ଧରେ ଷଡଯନ୍ତ୍ର କରୁଛନ୍ତି ସେମାନଙ୍କୁ ଦେଶ ଉପଯୁକ୍ତ ଉତ୍ତର ଦେଉଛି । ଯାହାକି ଆମର ଆତ୍ମବିଶ୍ୱାସ ବଢ଼ାଉଛି । ସେ କହିଲେ ଭାରତ ଜାତୀୟ ନିରାପତ୍ତା ପ୍ରସଙ୍ଗରେ ଆପୋଷ ବୁଝାମଣା କରେ ନାହିଁ । ଯେତେବେଳେ ଆମ ସେନାର ଶକ୍ତି ବଢେ ସେତେବେଳେ ଆମେ ଅନୁଭବ କରୁ ଠିକ୍ ରାସ୍ତାରେ ଅଛୁ । ଖୁସି ଲାଗେ ଯେତେବେଳେ ଲୋକମାନେ ଧନ୍ୟବାଦ ଦିଅନ୍ତି ଦୀର୍ଘ ୭୦ ବର୍ଷ ପରେ ପ୍ରଥମ ଥର ପାଇଁ ସେମାନଙ୍କ ଗାଁରେ ବିଜୁଳି ପହଞ୍ଚିଛି । ସେମାନଙ୍କ ପୁଅ ଓ ଝିଅ ପଙ୍ଖା ତଳେ ବସି ପାଠ ପଢୁଛନ୍ତି । ଗାଁର ପକ୍କା ରାସ୍ତା ସହ ସହର ସହିତ ସଂଯୁକ୍ତ ହୋଇଛି ।
ସ୍ୱାଧୀନତାର ସାତ ଦଶନ୍ଧିରେ କେବଳ ତିନି କୋଟି ଗାଁରେ ପାଣି ସଂଯୋଗ ହୋଇଥିଲା । କିନ୍ତୁ ଗତ ୨୧ ମାସ ମଧ୍ୟରେ ତାଙ୍କ ସରକାର ସାଢ଼େ ଚାରି କୋଟି ଘରକୁ ବିଶୁଦ୍ଧ ଜଳ ସଂଯୋଗ ଦେଇଛନ୍ତି । ସେହିପରି ‘ଆୟୁଷ୍ମାନ ଭାରତ ଯୋଜନା’ ଜରିଆରେ ଦେଶକୁ ଏକ ନୂଆ ବିଶ୍ୱାସ ଆସିଛି । ଜଣେ ଚିକିତ୍ସିତ ହୋଇ ଘରକୁ ଫେରୁଥିବା ବେଳେ ପରିବାର ଲୋକେ ଅନୁଭବ କରନ୍ତି ଏହା ତାଙ୍କୁ ଏକ ନୂଆ ଜୀବନ ଦେଇଛି ।
ସେ କହିଛନ୍ତି ଏବେ ଦେଶର କୋଣ ଅନୁକୋଣରେ ଡିଜିଟାଲ ନେଣଦେଣ ହୋଇପାରୁଛି । କରୋନା ମହାମାରୀ ବେଳେ ଏହି ଡିଜିଟାଲ ପେମେଣ୍ଟ ବହୁତ ଲାଭ ଦାୟକ ସାବ୍ୟସ୍ତ ହୋଇଛି । ଉତ୍ତର-ପୂର୍ବରୁ କଶ୍ମୀର ପର୍ଯ୍ୟନ୍ତ ଶାନ୍ତି ଓ ବିକାଶର ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି ହୋଇଥିବା ବେଳେ ଆମେ ଏକାଧିକ ସାଟେଲାଇଟ୍ ଉତକ୍ଷେପଣ କରି ରେକର୍ଡ ତିଆରି କରିଛୁ । ଏହି ୭ ବର୍ଷ ମଧ୍ୟରେ ଦେଶର ଅନେକ ପୁରୁଣା ବିବାଦ ସମ୍ପୂର୍ଣ୍ଣ ଶାନ୍ତି ଓ ସୌହାର୍ଦ୍ଦ୍ୟ ସହିତ ସମାଧାନ ହୋଇଛି ।
ମୋଦି କହିଲେ କେହି କେହି ବ୍ୟାଙ୍କ ଆକାଉଣ୍ଟ ଖୋଲିବାର ଖୁସି ବାଣ୍ଟନ୍ତି । ସରକାରଙ୍କ ବିଭିନ୍ନ ସ୍କିମ୍ ଜରିଆରେ ଲୋକମାନେ ଋଣ ନେଇ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବାରେ ସଫଳ ହେଲେ ମଧ୍ୟ ଖୁସି ଲାଗେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବା ପରେ ଅନେକ ଲୋକ ଧନ୍ୟବାଦ ଦେଇଛନ୍ତି । ୭ ବର୍ଷରେ ଏମିତି ଅନେକ ଖୁସି ଅଛି ଯାହାକୁ ନେଇ ଆଜି ଦେଶ ଆଗକୁ ବଢ଼ୁଛି ବୋଲି ସେ କହିଛନ୍ତି ।
No Result
View All Result