No Result
View All Result
ସିଙ୍ଗଡ଼ା ବାଡ଼ିଆ ନୀତି ପାଳିତ ହୋଇଯାଇଛି । ରଥଖଳାଠାରେ ତୁମ୍ବ ଗୁଡ଼ିକରେ ବିନ୍ଧ ଓ ଠେକ ତୁଲିଆ କାର୍ଯ୍ୟ ସହ ରୂପକାର ସେବକମାନଙ୍କ ଦ୍ୱାରା ନିଖୁଣ ଭାବରେ ଗୁଜ କାମ ଆଗେଇ ଚାଲିଛି
ଓଡ଼ିଶା ତାଜା ନ୍ୟୁଜ୍ (୨୯ ମଇ,ଶନିବାର ) ପୁରୀ :- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥାଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି । କରୋନା ସଙ୍କଟ ଭିତରେ ସମସ୍ତ ପ୍ରକାର କଟକଣାକୁ ମାନି ବାୟୋ ବବଲ୍ ପରିସରରେ ମହାପ୍ରଭୁଙ୍କ ତିନି ରଥ ନିର୍ମାଣ ପ୍ରକ୍ରିୟା ଜାରି ରହିଛି । ନୀତି ଅନୁସାରେ ଅକ୍ଷୟ ତୃତୀୟା ଦିନଠାରୁ ବଡ଼ଦାଣ୍ଡରେ ଆରମ୍ଭ ହୋଇଛି ରଥ ତିଆରି କାର୍ଯ୍ୟକ୍ରମ । ପ୍ରଥମେ ତୁମ୍ବ ନିର୍ମାଣ, ତା’ପରେ ବିନ୍ଧ ଖୋଳା, ଆଉ ଏବେ ଅର ବାଡ଼େଇବା କାର୍ଯ୍ୟ ଚାଲିଛି । ଶୁକ୍ରବାର ରଥ ନିର୍ମାଣର ଚତୁର୍ଦ୍ଦଶ ଦିବସ । ଆଜି ସିଙ୍ଗଡ଼ା ବାଡ଼ିଆ ନୀତି ପାଳିତ ହୋଇଯାଇଛି । ରଥଖଳାଠାରେ ତୁମ୍ବ ଗୁଡ଼ିକରେ ବିନ୍ଧ ଓ ଠେକ ତୁଲିଆ କାର୍ଯ୍ୟ ସହ ରୂପକାର ସେବକମାନଙ୍କ ଦ୍ୱାରା ନିଖୁଣ ଭାବରେ ଗୁଜ କାମ ମଧ୍ୟ ଆଗେଇ ଚାଲିଛି ।
ତୁମ୍ବରେ ଅର ଯୋଡ଼ିବାକୁ ସିଙ୍ଗଡ଼ା ବାଡ଼ିଆ କୁହାଯାଏ । ଏଥିପାଇଁ ପୂର୍ବରୁ ଯନ୍ତାଗାଡ଼ ନିର୍ମାଣ ଶେଷ ହୋଇଥିଲା । ଭୋଇ ସେବକମାନେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ କରିବା ପାଇଁ ୩ଟି କାଠ ଗଣ୍ଡି ପୋତା ଯାଇଥିଲା । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ଉପସ୍ଥିତିରେ ଏହି ନୀତି ପାଳନ କରାଯାଇଛି । ଏଥିସହ ଆଜି ପଇ ଅନୁକୂଳ ମଧ୍ୟ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନର ସୂଚନା ମୁତାବକ, ଗୁରୁବାର ଦିନ ସମୁଦାୟ ୧୫୦ କାରିଗର ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ମହାରଣା ସେବକ ୫୭ ଓ ଭୋଇ ସେବକ ୫୭ ଜଣ ରହିଛନ୍ତି । ଏଥିସହ କରତି ୪, କମାର ୧୫, ରୂପକାର ସେବକ ୧୩ ଜଣ ରହିଛନ୍ତି ।
ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର, ତାଳଧ୍ୱଜ ରଥର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର ଓ ଦର୍ପଦଳନ ରଥର ମୁଖ୍ୟ କୃଷ୍ଣଚନ୍ଦ୍ର ମହାରଣାଙ୍କ ନେତୃତ୍ୱରେ ରଥ ନିର୍ମାଣ କାଯ୍ୟ ଜୋରସୋରରେ ଚାଲିଛି । ସେହିପରି ଭୋଇ ସେବୟାତମାନଙ୍କ ମୁଖ୍ୟ ରବି ଭୋଇ ଏବଂ ଅନ୍ୟାନ୍ୟ ୬ଭୋଇ ମୁଖିଆଙ୍କ ନେତୃତ୍ୱରେ ରଥର ପାରିପାର୍ଶ୍ୱିକ କାର୍ଯ୍ୟ ଚାଲିଛି । (ବିଶ୍ୱାମ୍ୱର ମିଶ୍ର)
No Result
View All Result