‘କୃଷକମାନଙ୍କର କଠିନ ପରିଶ୍ରମ ଫଳରେ ବିଗତ ବର୍ଷଗୁଡ଼ିକରେ ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି’ : ମନ୍ତ୍ରୀ ଡ. ସାହୁ

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) OUAT ତା-7.3.2020 :- ବିଗତ ୧୦୦ ବର୍ଷ ମଧ୍ୟରେ ଓଡ଼ିଶା ଛୋଟବଡ଼ ୧୩୫ ଥର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛି । ଗଲା ୨୦ ବର୍ଷ ମଧ୍ୟରେ ରାଜ୍ୟ ୩୨ଥର ବନ୍ୟା, ବାତ୍ୟା, ମରୁଡ଼ି ଏବଂ ରୋଗପୋକ ଆକ୍ରମଣର ଶିକାର ହୋଇଛି । ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ସମୟୋଚିତ ପଦକ୍ଷେପ ଏବଂ କୃଷକମାନଙ୍କର କଠିନ ପରିଶ୍ରମ ଫଳରେ ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଧାନ ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟରେ ପରିଣତ ହୋଇଥିବାବେଳେ ଡାଲି, ତୈଳବୀଜ ଓ ପନିପରିବା ଆଦିର ଉତ୍ପାଦନ ବୃଦ୍ଧି ପାଇଛିି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ମେଳା-୨୦୨୦କୁ ଉଦ୍‌ଘାଟନ କରି ମନ୍ତ୍ରୀ ଡ. ସାହୁ କହିଲେ ଯେ ପରିବର୍ତ୍ତିତ ଜଳବାୟୁ, ଅସ୍ଥିର ବଜାର ଦରକୁ ଦୃଷ୍ଟିରେ ରଖି ଜଳବାୟୁ ସହନଶୀଳ ବିହନ ବ୍ୟବହାର, ଉପଯୁକ୍ତ ଜ୍ଞାନକୌଶଳର ପ୍ରୟୋଗ ଓ ଫସଲର ବିବିଧିକରଣ ଦ୍ୱାରା ଅଧିକ ଅର୍ଥକରୀ ଫସଲ ଚାଷ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଉଛି । ଏଥି ସହିତ ଆନୁଷଙ୍ଗିକ କୃଷି ଯଥା ମାଛଚାଷ, କୁକୁଡ଼ା ଚାଷ, ଗୋପାଳନ ସହିତ ଛତୁଚାଷ, ମହୁଚାଷ ଆଦି ପ୍ରତି ଚାଷୀମାନଙ୍କୁ ପ୍ରୋତ୍ସାହିତ କରି ସେମାନଙ୍କ ଆୟକୁ

ବହୁଗୁଣିତ କରିବା ସହ ରାଜ୍ୟକୁ ସ୍ୱାବଲମ୍ବୀ ହେବା ପାଇଁ ମନ୍ତ୍ରୀ କହିଥିଲେ । ମହିଳାମାନଙ୍କୁ କୃଷି କ୍ଷେତ୍ରରେ ଅଧିକ ସଂଖ୍ୟାରେ ନିୟୋଜିତ କରିବା ସହିତଉନ୍ନତ ଜ୍ଞାନକୌଶଳର ପ୍ରୟୋଗ, ବ୍ୟାପକ ଯନ୍ତ୍ରପାତିର ବ୍ୟବହାର, ଲାଭଜନକ ଫସଲ ଚାଷ, କୃଷିଜାତ ଦ୍ରବ୍ୟର ପ୍ର୍ରକି୍ରୟାକରଣ ଆଦି କାର୍ଯ୍ୟ ମାଧ୍ୟମରେ ଯୁବପିଢ଼ିମାନଙ୍କୁ କୃଷି କାର୍ଯ୍ୟ ପ୍ରତି ଆଗ୍ରହୀ କରିବା ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱାରୋପ କରିଥିଲେ । ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନଙ୍କ ଗବେଷଣାଲବ୍ଧ ଜ୍ଞାନକୌଶଳକୁ ଉପଯୋଗ କରି କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କ ଆୟ ବୃଦ୍ଧି କରାଯାଇପାରିବ ବୋଲି ମନ୍ତ୍ରୀ ଆଶାପ୍ରକାଶ କରିଥିଲେ । ସାଂପ୍ରତିକ ସମୟରେ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ପକ୍ଷରୁ କୃଷିକୌଶଳର ବିକାଶ କରାଯିବା ଆବଶ୍ୟକ ବୋଲି ଡ. ସାହୁ କହିଥିଲେ ।ରାଜ୍ୟ ସରକାର କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସାମଗ୍ରିକ ଉନ୍ନତି ନିମନ୍ତେ ପଦକ୍ଷେପ ଗ୍ରହଣ କରିଥିବାବେଳେ ଏହାକୁ ଏକ ଉତ୍କର୍ଷ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

ଉତ୍ସବରେ ବିଶ୍ୱବିଦ୍ୟାଳୟର କୁଳପତି ଡ. ପବନ କୁମାର ଅଗ୍ରୱାଲ୍‌ ଅଧ୍ୟକ୍ଷତା କରି କହିଲେ ଯେ ବିଶ୍ୱବିଦ୍ୟାଳୟ ପକ୍ଷରୁ କୃଷକ ମେଳାର ଆୟୋଜନ ଓଡ଼ିଶାର ଚାଷୀମାନଙ୍କୁ ନିଶ୍ଚିତ ରୂପେ ଉତ୍ସାହିତ କରିବ । ଏଣିକି ପ୍ରତିବର୍ଷ ଦୁଇଥର କୃଷକ ମେଳାର ଆୟୋଜନ କରାଯିବା ପାଇଁ ପଦକ୍ଷେପ ନିଆଯାଉଛି । କୃଷିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ପକ୍ଷରୁ ଗବେଷଣା କରାଯିବା ସହିତ ନୂତନ ଓ ଅଧିକ ଅମଳକ୍ଷମ ବିହନ ପ୍ରସ୍ତୁତ କରାଯାଉଛି ।ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରି ରାଜ୍ୟର କୃଷି ଓ କୃଷକଙ୍କ ବିକାଶ ଦିଗରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେବ ବୋଲି କୁଳପତି ଡ. ଅଗ୍ରୱାଲ୍‌ କହିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ଡ. ସାହୁ ବିକଶିତ ଜ୍ଞାନକୌଶଳକୁ ଚାଷୀମାନଙ୍କ ନିକଟରେ ସୁଲଭ ମୂଲ୍ୟରେ ଓ ଠିକଣା ସମୟରେ ପହଞ୍ଚାଇବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କଳିଙ୍ଗ ବ୍ରାଣ୍ଡର ଶୁଭ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶା ତଥା ପଶ୍ଚିମବଙ୍ଗରୁ ଆସିଥିବା ସଫଳ ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କୃଷି-ବୈଜ୍ଞାନିକ

ଆଲୋଚନା ଚକ୍ର ଓ ଫସଲ କିସମ ସୁରକ୍ଷା ଏବଂ କୃଷକଙ୍କ ଅଧିକାର ସଂପର୍କରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ଏଥି ସହିତ ଅଭିନବ କୃଷକୌଶଳ ଏବଂ ବିଭିନ୍ନ ଫସଲର ଦେଶୀୟ କିସମ ଉପରେ ଏକ କୃଷି ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଉତ୍ସବ ପ୍ରାରମ୍ଭରେ ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ପ୍ରଫେସର ଲଳିତ ମୋହନ ଗଡ଼ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର କୁମ୍ଭକର୍ଣ୍ଣ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

କୃଷକ ମେଳାରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ଏବଂ ପଶ୍ଚିମବଙ୍ଗରୁ ଶତାଧିକ କୃଷକ , ବୈଜ୍ଞାନିକ ଓ ସମ୍ପ୍ରସାରଣ ବିଶେଷଜ୍ଞ ମାନେ ଯୋଗ ଦେଇଥିଲେ