No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ମଇ ମଙ୍ଗଳବାର ) ଭୁବନେଶ୍ୱର :- ବାରମ୍ବାର ମହାମାରୀ କରୋନା କଟକଣା ମାଡ଼ରେ ରେଳ ଷ୍ଟେସନର କୁଲିମାନେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ରେଳଯାତ୍ରୀଙ୍କ ବୋଝ ବୋହି ନିଜର ଗୁଜୁରାଣ ମେଣ୍ଟାଉଥିବା କୁଲିମାନେ ଏବେ ଦିନ ସାରା ଷ୍ଟେସନ ବସି ବସି ଖାଲି ହାତରେ ଘରକୁ ଫେରୁଛନ୍ତି। ଟ୍ରେନ୍ ଚଳାଚଳ ବନ୍ଦ ହୋଇ ଯାଇଥିବାରୁ ଯାତ୍ରୀ କମି ଯାଇଛନ୍ତି ଓ ଯେତିକି ବି ଯାତ୍ରୀ ଆସୁଛନ୍ତି କରୋନା ସଂକ୍ରମଣ ଭୟରେ ସେମାନେ ନିଜ ଜିନିଷ ନିଜେ ବୋହୁଥିବାରୁ କୁଲିମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଲାଣି। ଗତବର୍ଷ କରୋନା ସେମାନଙ୍କୁ ଏମିତି ହନ୍ତସନ୍ତ କରିଥିଲା ଓ ଏବର୍ଷ ବି ସେମିତି କନ୍ଦେଇଲାଣି।
ଭୁବନେଶ୍ବର ରେଳ ଷ୍ଟେସନରେ ୮୫ଜଣ କୁଲି କାମ କରୁଛନ୍ତି। ଏବେ ସେମାନଙ୍କୁ ଆଉ କୁଲି କୁହାଯାଉନାହିଁ। ସହାୟକ ବୋଲି ସରକାରଙ୍କ ପକ୍ଷରୁ ସେମାନଙ୍କୁ ପରିଚୟ ପତ୍ର ମିଳିଛି। ଭୁବନେଶ୍ବର ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ଏଠାରେ ଏହି ସହାୟକମାନଙ୍କୁ କିଛି ରୋଜଗାର ମିଳିଯାଏ। ଏବେ ଟ୍ରଲି ବ୍ୟାଗ ଯୁଗ ଆରମ୍ଭ ହେବା ପରେ ଆଉ ଏହି ସହାୟକମାନଙ୍କ ଚାହିଦା ନାହିଁ। ତଥାପି କିଛି ଯାତ୍ରୀ ଏହି ସହାୟକମାନଙ୍କୁ ଖୋଜନ୍ତି ଓ ସେମାନଙ୍କୁ କିଛି ରୋଜଗାର ମିଳିଯାଉଥିଲା। ମାତ୍ର ଗତ ବର୍ଷ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ସେମାନଙ୍କ ରୋଜଗାର ଏକ ପ୍ରକାର ଠପ୍ ହୋଇଯାଇଛି। ଦୀର୍ଘ ମାସ ଧରି ଟ୍ରେନ ଚଳାଚଳ ବନ୍ଦ ରହିବାରୁ ସେମାନେ ରୋଜଗାର ହରାଇ ଗାଁକୁ ପଳାଇଥିଲେ। ଟ୍ରେନ୍ ଚଳାଚଳ ଆରମ୍ଭ ହେବା ପରେ ସେମାନେ ପୁଣି ଫେରିଥିଲେ। ମାତ୍ର କରୋନା ଭୟରେ ଆଗ ପରି ଲୋକମାନେ ସେମାନଙ୍କ ସହାୟତା ଲୋଡ଼ିଲେ ନାହିଁ। ଏବେ ପୁଣି କରୋନାର ଦ୍ବିତୀୟ ଲହର ଭୟଙ୍କର ରୂପ ଧାରଣ କରିଛି। ବହୁ ଟ୍ରେନ୍ ଚଳାଚଳ ପୁଣି ବନ୍ଦ ହୋଇଯାଇଛି। ବାହାର ପର୍ଯ୍ୟଟକମାନଙ୍କର ଆସିବା ମଧ୍ୟ ପୂରା ଠପ୍ ହୋଇଯାଇଛି। ତେଣୁ ରୋଜଗାର ନପାଇ ଦୁଃଖରେ ଜୀବନ କାଟୁଛନ୍ତି ଏମାନେ।
ଷ୍ଟେସନରୁ ଲଗେଜ୍ ବୋହି ଆଣିବା ପାଇଁ ଜଣେ ସହାୟକ ୨୦୦ଟଙ୍କା ପାଇଥାଏ। ଦିନଯାକର ରୋଜଗାରକୁ ସଂଧ୍ୟ୍ୟାରେ ସେମାନଙ୍କ ସଂଘ ଅଫିସରେ ଏକାଠି କରାଯାଇଥାଏ ଓ ପରେ ସମସ୍ତଙ୍କ ଟଙ୍କା ମିଶାଇ ସମାନ ଭାବରେ ସମସ୍ତଙ୍କ ଭିତରେ ବଣ୍ଟାଯାଇଥାଏ। ଆଗରୁ ଦିନକୁ ସମସ୍ତଙ୍କ ଆୟ ମିଶି ୨୮ ହଜାର ଟଙ୍କା ହେଉଥିଲା। ମାତ୍ର ଏବେ ୫ହଜାର ଟଙ୍କା ହେଉଛି ବୋଲି ସହାୟକ ମହାସଂଘର ସଭାପତି କହିଛନ୍ତି। ତେଣୁ ସମାନ ଭାବରେ ବାଣ୍ଟିଲା ବେଳକୁ ଜଣଙ୍କ ପିଛା ୧୦୦ରୁ ୧୫୦ ଟଙ୍କା ଭିତରେ ପଡୁଛି। ତେଣୁ ଏତିକି ରୋଜଗାରରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ୁଛି ବୋଲି ସେମାନେ କହିଛନ୍ତି।(ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )
No Result
View All Result