No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୭ ମଇ ସୋମବାର ) ଭୁବନେଶ୍ୱର :- ବୋଲଗଡ଼ ,କରୋନା ହସ୍ତତନ୍ତ ଶିଳ୍ପକୁ ପ୍ରଭାବିତ କରିଛି । ଏବେ ବାହାରୁ ସୂତା ଆସିପାରୁନି। ବୁଣା ହୋଇଥିବା ବସ୍ତ୍ର ବିକ୍ରି ହୋଇପାରୁନି। ଅତ୍ୟନ୍ତ ଦୁର୍ଦ୍ଦିନରେ ଅଛନ୍ତି ବୁଣାକାର ପରିବାର । ବୋଲଗଡ଼ ବ୍ଲକ୍ ଅଞ୍ଚଳରେ ରଙ୍ଗଣୀ ତନ୍ତୀ ଓ ପାଟରା ଭଳି ବର୍ଗର ଲୋକମାନେ ବୁଣାକାର ଭାବେ ନିଜର କୌଳିକ କାର୍ଯ୍ୟ କରୁଥିଲେ । ତେବେ ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ଅନେକ ଏହି କୌଳିକ କାର୍ଯ୍ୟ ଠାରୁ ଦୁରେଇ ଯାଉଛନ୍ତି ।
ବୋଲଗଡ଼ ବ୍ଲକ୍ ଅଞ୍ଚଳର ଦେଉଳି, ଦୁର୍ଗାପ୍ରସାଦ, ସାନପଦର, ସଁପୁର, ଧଳାପଥର, ଅସରଳା, ଆରିକମା, ସାଗରଗାଁ, ରାସୋଳ ଆଦି ଗ୍ରାମରେ ଅନେକ ବୁଣାକାର ପରିବାର ହସ୍ତତନ୍ତ ଓ ଶକ୍ତି ଚଳିତ ତନ୍ତରେ ବୁଣାକାର କାମ କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି । ଗାମୁଛା, ଲୁଙ୍ଗ, ଧୋତି, ଶାଢ଼ୀ, ପାଟ, ମଶାରୀ, ଚାଦର ଆଦି ବସ୍ତ୍ର ଗୁଡିକ ବୁଣାକାର ମାନେ ବୁଣିଥାନ୍ତି। ତେବେ ପରିଶ୍ରମ ତୁଳନାରେ ଏଥିପାଇଁ କମ୍ ମଜୁରି ମିଳୁଥିବାରୁ ବୁଣାକାର ମାନେ ବହୁ ଅସୁବିଧା ଭୋଗୁଛନ୍ତି ।
ବୁଣାକାର ପରିବାର ତନ୍ତୁ ସମବାୟ ସମିତି ଅଧୀନରେ କାର୍ଯ୍ୟ କରୁଥିବା ବେଳେ ଅନେକ ବ୍ୟକ୍ତିଗତ ଭାବେ ସୂତା କିଣି ଆଣି ବସ୍ତ୍ର ବୁଣି ବିକ୍ରୟ କରିଥାନ୍ତି । ସେହିପରି ଅନ୍ୟ କେତେକ ବୁଣା ମଜୁରି ପାଇଁ କାର୍ଯ୍ୟ କରୁଛନ୍ତି । ହେଲେ କରୋନା ପାଇଁ ଲକ୍ଡାଉନ୍ ଫଳରେ ବୁଣାକାର ପରିବାରମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ବସ୍ତ୍ର ବୁଣିବା ପାଇଁ ବାହାରୁ ସୂତା ଆସିପାରୁ ନାହିଁ କିମ୍ବା ବୁଣାଯାଇଥିବା ବସ୍ତ୍ର ବିକ୍ରୟ ହୋଇପାରୁନି । ଫଳରେ ବୁଣାକାର ମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ସରକାର ବୁଣାକାର ମାନଙ୍କୁ ସହାୟତାର ହାତ ବଢ଼ାଇବାକୁ ଦାବି ହେଉଛି ।
No Result
View All Result