No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ମଇ ଶନିବାର ) ହିଞ୍ଜିଳିକାଟୁ :- କରୋନା ଭୁତାଣୁ ଦ୍ୱିତୀୟ ଲହର ସଂକ୍ରମଣକୁ ନେଇ ଲୋକଙ୍କ ମନରେ ଅଜଣା ଆତଙ୍କ ଓ ଭୟର ବାତାବରଣ ସୃଷ୍ଟି ହୋଇଛି । ଦେଶର କୋଣ ଅନୁକୋଣରେ କରୋନା ମହାମାରୀ ଘୋର ବିପର୍ଯ୍ୟୟ ସୃଷ୍ଟି କରିଛି । ପ୍ରାଣଘାତୀ ସାଜି ରଚି ଚାଲିଛି ତାଣ୍ଡବଲୀଳା । ମୁଣ୍ଡ ପରେ ମୁଣ୍ଡ ଗଡ଼ିଯାଇ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଗଞ୍ଜାମ ଜିଲ୍ଲାରେ ସ୍ଥିତି ବି କିଛି କମ୍ ନୁହେଁ । ଜିଲ୍ଲାରେ ସଂକ୍ରମଣ ଓ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ କରୋନା ଗ୍ରାଫ୍ ଉପରମୁହାଁ ହେବାରେ ଲାଗିଛି । କରୋନାର କରଳ ରୂପ ଏତେ ଭୟଙ୍କର ସାବ୍ୟସ୍ତ ହୋଇଛି ଯେ, ସାମାଜିକ ବିଧିବ୍ୟବସ୍ଥା ଓ ପରିସ୍ଥିତି ବିଗାଡ଼ି ଦେଇଛି । ସହରାଂଚଳ ପରେ ଗ୍ରାମାଂଚଳରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଂଚଳ ସମେତ ବିଭିନ୍ନ ଗ୍ରାମାଂଚଳରେ ଏଭଳି କିଛି ପରିବାର ଅଛନ୍ତି, ଯେଉଁମାନେ କି ପ୍ରତିଦିନ କେଉଁଠି ନା କେଉଁଠି ଶ୍ରମଦାନ କରି କିମ୍ବା କ୍ଷୁଦ୍ର ବ୍ୟବସାୟ କରି ପରିବାର ପ୍ରତିପୋଷଣ କରିଥାନ୍ତି ।
ପରିତାପର ବିଷୟ ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ୱିତୀୟ ଲହର ସମୟରେ ନିତିଦିନିଆ ଜୀବନଶୈଳୀରେ ସମ୍ପୁର୍ଣ୍ଣ ଭାବେ ପ୍ରଭାବ ପକାଇଛି । କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ରାଜ୍ୟ ସରକାର ନାଇଟକର୍ଫ୍ୟୁ, ସପ୍ତାହାନ୍ତ ସଟଡ଼ାଉନ ସମେତ ଲକଡ଼ାଉନ ଜାରି କରିଛନ୍ତି । ଏଭଳି ଦୁର୍ଦିନ ସମୟରେ କ୍ଷୁଦ୍ର ବ୍ୟବସାୟୀ ମାନେ ନିଜ ନିଜର ଜୀବିକା ହରାଇ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗୋଟିଏ ପଟେ ନିଜ ଜୀବନର ସୁରକ୍ଷା ତ ଅନ୍ୟପଟେ ବଂଚିବା ପାଇଁ ଅର୍ଥର ଆବଶ୍ୟକତା ଏକାନ୍ତ ଆବଶ୍ୟକ ହୋଇପଡ଼ିଛି । କ୍ଷୁଦ୍ର ବ୍ୟବସାୟୀ ମାନଙ୍କ ବ୍ୟବସାୟ ଏକରକମ ବନ୍ଦ ହୋଇପଡ଼ିବାରୁ ସେମାନଙ୍କ ପାଇଁ ଅର୍ଥର ଘୋର ଅଭାବ ପଡ଼ିଛି । ପାନ, ଚାହା, ଫାଷ୍ଟଫୁଡ଼, ଠେଲାଗାଡ଼ି ଓ ଉଠା ଦୋକାନରେ ବ୍ୟବସାୟ କରୁଥିବା ବିଭିନ୍ନ କ୍ଷୁଦ୍ର ବ୍ୟବସାୟୀ, ମରାମତି ଦୋକାନ ଆଦି ବନ୍ଦ ରଖିବାକୁ କଟକଣା ଜାରି କରାଯାଇଛି । ସେହିପରି ବିବାହ, ବ୍ରତ ପରି ମାଙ୍ଗଳିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗୁ କରାଯାଇଥିବା ଯୋଗୁଁ , ଏସବୁ ପୂର୍ବଭଳି ଆଡ଼ମ୍ବରପୁର୍ଣ୍ଣ ଭାବେ କରାଯାଉନଥିବା ଦେଖିବାକୁ ମିଳୁଛି । ଯାହାରି ଫଳରେ ଟେଂଟ ହାଉସ୍, ବ୍ୟାଣ୍ଡପାର୍ଟି, ଲାଇଟ ଏଣ୍ଡ ସାଉଣ୍ଡ, ଭିଡ଼ିଓ କ୍ୟାମେରା ଆଦି ବ୍ୟବସାୟ ସମ୍ପୁର୍ଣ୍ଣ ଭାବେ ବନ୍ଦ ରହିଛି । ଏଥି ସହ ସଂପୃକ୍ତ ଅନ୍ୟ ବ୍ୟକ୍ତି ବିଶେଷଙ୍କ ରୋଜଗାର ମଧ୍ୟ ବନ୍ଦ ହୋଇଯାଇଛି । ଏଭଳି ଦୁର୍ଦିନ ସମୟରେ କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ସରକାରୀ ସହାୟତା ପ୍ରଦାନ ସକାଶେ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ( ରିପୋର୍ଟ: ଶୁସାନ୍ତ ପ୍ରଧାନ )
No Result
View All Result