ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା ; ୬୦ ନମ୍ବର ଜାତୀୟ ରାଜପଥର ହଳଦୀପଦା ନିକଟରୁ ପାଇଲେ ୨ଟି କଏନ ଭର୍ତ୍ତି ବସ୍ତା – ପୋଲିସର ଜିମା ଦେଲେ

ଓଡ଼ିଶା ତାଜା ନ୍ୟୁଜ (୧୪ ମେ ଶୁକ୍ରବାର ) ଜଳେଶ୍ବର : – ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା । ରୋଗୀ ଛାଡି ବାଲେଶ୍ଵରରୁ ଫେରୁଥିବା ବେଳେ ୬୦ ନମ୍ବର ଜାତୀୟ ରାଜପଥର ହଳଦୀପଦା ନିକଟରୁ ଦୁଇଟି କଏନ ଭର୍ତ୍ତି ବସ୍ତା ପାଇ ଜଳେଶ୍ଵର ଥାନାରେ ଜିମା ଦେଲେ । ଡ୍ରାଇଭର ବିମଳ ଦାସ, ହେଲ୍ପର ବିକାଶ ମାହନ୍ତ ଓ ଫାର୍ମାସିଷ୍ଟ ବାପି ମାହନ୍ତଙ୍କ ଏପରି କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ତେବେ ବସ୍ତା ଭିତରେ ପାଖାପାଖି ୩୫ କିଲୋରୁ ଅଧିକ ୨ ଟଙ୍କିଆ କଏନ ଅଛି ବୋଲି ଆକଳନ କରାଯାଉଛି ।

ଗୁରୁବାର ରାତିରେ ବାଲେଶ୍ଵର ଜିଲ୍ଲା କମର୍ଦ୍ଦାରେ ରହୁଥିବା ୧୦୮ ଆମ୍ବୁଲାନ୍ସ ସ୍ଥାନୀୟ ହସ୍ପିଟାଲରୁ ରୋଗୀ ନେଇ ବାଲେଶ୍ଵର ମୁଖ୍ୟ ହସ୍ପିଟାଲରେ ପହଞ୍ଚାଇ ପୂର୍ବ ସ୍ଥାନକୁ ଫେରୁଥିଲା । ସେହି ସମୟରେ ୬୦ନଂବର ଜାତୀୟ ରାଜପଥର ହଳଦୀପଦା ନିକଟରେ ରାସ୍ତା ଉପରୁ ଦୁଇଟି ଟଙ୍କା ଭର୍ତ୍ତି ଥିବା ବସ୍ତା ପାଇଥିଲେ । ଏଥିରେ କଏନ ଥିବା ଜାଣି ସ୍ଥାନୀୟ ଜଳେଶ୍ଵର ପୋଲିସକୁ ହସ୍ତାନ୍ତର କରିଛନ୍ତି ।

କଏନଗୁଡିକ ବସ୍ତାରେ କୌଣସି ବ୍ୟାଙ୍କରୁ ଯାଉଥିବା ବେଳେ ରାସ୍ତାରେ କୌଣସି ପ୍ରକାରେ ଖସି ପଡ଼ିଥିବା ଅନୁମାନ କରଯାଉଛି । ପୋଲିସର ତଦନ୍ତ ପରେ ଏ ସଂପର୍କରେ ସ୍ପଷ୍ଟ ସୂଚନା ମିଳିବ । ଆମ୍ବୁଲାନ୍ସ କର୍ମଚାରୀମାନଙ୍କର ଏଭଳି କାମକୁ ଜୀବନ ସାଥି ସ୍ୱେଚ୍ଛାସେବୀ ସଂଗଠନ ରାଜଘାଟ, ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ଅଟଳ ଯୁବଶକ୍ତି ସଂଗଠନ ଓ ବିଭିନ୍ନ ବୁଦ୍ଧିଜୀବୀ ମହଲରୁ ପ୍ରଶଂସା କରାଯାଇଛି । (ଦୀପ୍ତିମାନ ପତି, ବାଲେଶ୍ୱର )