No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୩ ମଇ ଗୁରୁବାର ) ନୂଆଦିଲ୍ଲୀ :- ଦ୍ୱିତୀୟ ଲହରରେ ବୟସ୍କଙ୍କ ସହ ଯୁବବର୍ଗ ବି ଅଧିକ ସଂକ୍ରମିତ ହେଉଥିବା ବେଳେ ଆଶଙ୍କା କରାଯାଉଛି ତୃତୀୟ ଲହର ପିଲାଙ୍କୁ ଟାର୍ଗେଟ୍ କରିବ ବୋଲି । ତେବେ ଆଶ୍ୱସ୍ତିର କଥା, ଶିଶୁ ଓ କିଶୋରଙ୍କ ପାଇଁ ବି ଖୁବଶୀଘ୍ର ଆସିପାରେ କରୋନା ଟିକା । ୨ରୁ ୧୮ ବର୍ଷ ବୟସ ବର୍ଗ ଲାଗି ଆରମ୍ଭ ହେଉଛି ଦେଶୀ ଟିକା । କୋଭାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ଟିକା ଆସିବା ନେଇ ଚର୍ଚ୍ଚା ହେଉଛି। ସେପଟେ କୋଭିସିଲ୍ଡର ୨ ଡୋଜ୍ ମଧ୍ୟରେ ବ୍ୟବଧାନକୁ ଅନ୍ୟୁନ ୬ ସପ୍ତାହକୁ ବୃଦ୍ଧି କରାଯାଇଛି । ଏପଟେ ଓଡ଼ିଶାରେ କେନ୍ଦ୍ର ନିର୍ଦ୍ଦେଶକ୍ରମେ ପରିଚୟ ପତ୍ର ନଥିବା ଅବହେଳିତ ଓ ସମ୍ବେଦନଶୀଳ ବର୍ଗଙ୍କୁ ବି ଟିକା ଦେବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା ।
ଶିଶୁ ଓ କିଶୋରଙ୍କୁ ବି ଖୁବଶୀଘ୍ର ମିଳିପାରେ କରୋନା କବଚ। ସ୍ୱଦେଶୀ ଟିକା କୋଭାକ୍ସିନର ପରୀକ୍ଷଣ ଆରମ୍ଭ କରିବ ଭାରତ ବାୟୋଟେକ୍। ୨ରୁ ୧୮ ବର୍ଷ ବୟସ୍କଙ୍କ ଠାରେ ଏହାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରକ ସଂଗଠନ CDSCOର ବୈଷୟିକ ବିଶେଷଜ୍ଞ କମିଟି ଅନୁମତି ଦେଇଥିବା ସୂଚନା ମିଳିଛି। ଦିଲ୍ଲୀ ଓ ପାଟନା ଏମ୍ସ ସମେତ ୫୨୫ଟି ସ୍ଥାନରେ ଟ୍ରାଏଲ୍ ବେଳେ, କୋଭାକ୍ସିନର ନିରାପତ୍ତା, ପାର୍ଶ୍ୱ ପ୍ରତିକ୍ରିୟା ଓ କରୋନା ପ୍ରତିରୋଧକ ଶକ୍ତି ସୃଷ୍ଟି ସଂପର୍କରେ ଅଧ୍ୟୟନ କରାଯିବ ।
ତେବେ ଫେଜ୍-ଟୁର ଅନ୍ତରୀଣ ରିପୋର୍ଟ ଦାଖଲ ପରେ ହିଁ ଫେଜ୍-ଥ୍ରୀ ଟ୍ରାଏଲ୍ ଆରମ୍ଭ କରିବାକୁ ସର୍ତ୍ତ ରଖିଛି କମିଟି। କିଛି ଦିନ ତଳେ, କାନାଡ଼ା ଓ ଆମେରିକାରେ ୧୨ରୁ ୧୫ ବୟସ୍କଙ୍କ ପାଇଁ ଫାଇଜର୍ ଟିକାକୁ ଅନୁମତି ମିଳିସାରିଛି। ସେପଟେ କୋଭିସିଲ୍ଡ ଟିକାର ୨ଟି ଡୋଜ୍ ମଧ୍ୟରେ ବ୍ୟବଧାନକୁ ଅତି କମରେ ୬ ସପ୍ତାହ ବା ୪୨ ଦିନକୁ ବଢ଼ାଇ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ପୂର୍ବରୁ ପ୍ରଥମ ଡୋଜର ୪ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ନେବାକୁ କୋ-ଓ୍ୱିନ୍ ପୋର୍ଟାଲରେ ବ୍ୟବସ୍ଥା ଥିବା ବେଳେ, ଆଜିଠାରୁ ଏହି ଅନ୍ତରକୁ ୬ ସପ୍ତାହକୁ ବୃଦ୍ଧି କରାଯାଇଛି । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)
No Result
View All Result