No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ମଇ ବୁଧବାର ) ନୂଆଦିଲ୍ଲୀ :- ଦେଶରେ ଟିକାର ଅଭାବ ଦେଖା ଦେଉଥିବାରୁ ଲକ୍ଷାଧିକ ଲୋକ ଠିକ୍ ସମୟରେ ଦ୍ୱିତୀୟ ଡୋଜ୍ ନେଇପାରୁନାହାନ୍ତି । ଦ୍ୱିତୀୟ ଡୋଜ୍ ନେଇ ପାରୁ ନଥିବା ଲୋକମାନେ ଏହାକୁ ନେଇ ଚିନ୍ତିତ ରହିଛନ୍ତି । ଏସବୁ ଭିତରେ ସେମାନଙ୍କୁ ଆଶ୍ୱସ୍ତ କରିବା ଭଳି ଖବର ବିଶେଷଜ୍ଞମାନେ ଦେଇଛନ୍ତି । ବିଶେଷଜ୍ଞଙ୍କ ମତରେ ଦ୍ୱିତୀୟ ଡୋଜ୍ ଟିକା ନେବାରେ ବିଳମ୍ବ ହେଲେ କୌଣସି ଅସୁବିଧା ନାହିଁ ।
ଦ୍ୱିତୀୟ ଡୋଜ୍ ଟିକା ନେବାରେ ବିଳମ୍ବ ହେଲେ, ପୁଣିଥରେ ପ୍ରଥମ ଡୋଜ୍ରୁ ଟିକାକରଣ ଆରମ୍ଭ କରିବାର ଆବଶ୍ୟକ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି ।
ଟିକାକରଣର ପରବର୍ତ୍ତୀ ବିଲକ୍ଷଣ ଉପରେ ନଜର ରଖିବାକୁ ଗଠିତ ଜାତୀୟ କମିଟିର ସଦସ୍ୟ ଡା ଏନକେ ଅରୋରା କହିଛନ୍ତି, ହିତାଧିକାରୀମାନେ ଦ୍ୱିତୀୟ ଡୋଜ୍ ନେବାକୁ ଧାର୍ଯ୍ୟ ସମୟ ୪ରୁ ୬ ସପ୍ତାହ ବିତିଗଲେ ମଧ୍ୟ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଆମେ ଜାଣିଛୁ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଦ୍ୱିତୀୟ ଡୋଜ୍ ନେବାକୁ ଅପେକ୍ଷା କରିଛନ୍ତି ।
କିନ୍ତୁ ସେମାନେ ଦ୍ୱିତୀୟ ଡୋଜ୍ ବିଳମ୍ବ ହେଉଥିଲେ ମଧ୍ୟ ବ୍ୟସ୍ତ ହୁଅନ୍ତୁ ନାହିଁ । ଯଦି ପ୍ରଥମ ଡୋଜ୍ ଟିକା ନେବାର ୮ରୁ ୧୦ ସପ୍ତାହ ମଧ୍ୟ ବିତି ଯାଉଛି, ତା’ହେଲେ ହିତାଧିକାରୀମାନେ ଏହାପରେ ମଧ୍ୟ ଦ୍ୱିତୀୟ ଡୋଜ୍ ନେଇପାବେ । ଏହା ପୂର୍ବଭଳି ନିଜର ପ୍ରଭାବ ଦେଖାଇବ ।ଦ୍ୱିତୀୟ ଡୋଜ୍ର ବିଳମ୍ବ ହେଲେ, ପୁଣି ମୂଳରୁ ଟିକାକରଣ ଆରମ୍ଭ କରିବାର କୌଣସି ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି ।
ଡା ବୀନିତା ବଲ ମଧ୍ୟ ସମାନ କଥା କହିଛନ୍ତି । ସେ କହିଛନ୍ତି, ପ୍ରଥମ ଡୋଜ୍ ନେବା ପରେ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଦ୍ୱିତୀୟ ଡୋଜ୍ ନେବାରେ ବିଳମ୍ବ ହେଲେ ମଧ୍ୟ ଏହା ଉପରେ କୌଣସି ପ୍ରଭାବ ପଡ଼େନାହିଁ । ଦ୍ୱିତୀୟ ଡୋଜ୍କୁ ବୁଷ୍ଟର ଭାବେ ପ୍ରଥମ ଡୋଜ୍ର ଗୁଣବତ୍ତା ଓ କ୍ଷମତାକୁ ବୃଦ୍ଧି କରିବାକୁ ଦିଆଯାଉଛି । ତେଣୁ ଲୋକମାନେ ଦ୍ୱିତୀୟ ଡୋଜ୍କୁ ନେଇ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)
No Result
View All Result