ଭୟଭୀତ ନ ହୋଇ ସମୟାନୁବର୍ତ୍ତୀ ଚିକିତ୍ସା ଓ ସଚେତନତା ଏହାର ନିରାକରଣର ଉପଯୁକ୍ତ ମାଧ୍ୟମ – ଡଃ ଅଶୋକ ଆଚାର୍ଯ୍ୟ
ଓଡ଼ିଶା ତାଜା ନ୍ୟୁଜ୍ (୦୭ ମଇ ଶୁକ୍ରବାର ) ଭୁବନେଶ୍ୱର :- ସମଗ୍ର ଭାରତବର୍ଷରେ କରୋନା କାୟା ବିସ୍ତାର କରିଥିବା ସମୟରେ ଡି.ଏ.ଭି କଳିଙ୍ଗନଗର, ଭୂବନେଶ୍ୱରଠାରେ ମହାମାରୀ କରୋନାର ଯତ୍ନ, ନିରାକରଣ ତଥା ପରିଚାଳନା ସମ୍ବନ୍ଧୀୟ ଏକ ଆଲୋଚନା ଚକ୍ର ଇତି ମଧ୍ୟରେ ଅନ୍ଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଭୁବନେଶ୍ୱର ସ୍ଥିତ ଆୟୁଷ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ତଥା ସର୍ଜରୀ ବିଭାଗର ବରିଷ୍ଠ ଡାକ୍ତର ଅଶୋକ ଆଚାର୍ଯ୍ୟ ମୁଖ୍ୟ ଅତିଥି ରୂପେ ଯୋଗଦେଇ କରୋନାର ବିଭିନ୍ନ ଦିଗ ସମ୍ବନ୍ଧରେ ଆଲୋକପାତ କରିଥିଲେ । କରୋନାର ଦ୍ୱିତୀୟ ଲହର ଦିନକୁ ଦିନ ଅଣାୟତ ହେବାରେ ଲାଗିଛି ।
ଏଥିପାଇଁ ନିଜକୁ ସୁରକ୍ଷିତ ରଖିବା ସହିତ ସଚେତନତା ଓ ଟିକା କରଣର ଆବଶ୍ୟକତା ରହିଛି । ଖୁସି ରହିବା ତଥା ସକରାତ୍ମକ ମନୋଭାବ ସହ କୋଭିଡ ନିୟମକୁ ପାଳନ କରି ଚିନ୍ତାମୁକ୍ତ, ସୁସ୍ଥ ଜୀବନଯାପନ ତଥା ଯୋଗ ପ୍ରାଣାୟାମର ନିୟମିତ ଅଭ୍ୟାସ କରିବା ପାଇଁ ଡକ୍ଟର ଆଚାର୍ଯ୍ୟ ପରାମର୍ଶ ଦେଇଥିଲେ । ଜୀବନ ଜୀବିକାକୁ ଉପଯୁକ୍ତ ଗୁରୁତ୍ୱ ଓ ଏହି ପ୍ରତିକୂଳ ପରିସ୍ଥତିକୁ ସଂଗରେ ନେଇ ଜୀବନ ଜିଇଁବାର ସମୟ ଆସିଛି ବୋଲି ଡକ୍ଟର ଆଚାର୍ଯ୍ୟ ମତବ୍ୟକ୍ତ କରିବା ସହ ଭୟଭୀତ ନ ହୋଇ ସମୟାନୁବର୍ତ୍ତୀ ଚିକିତ୍ସା ଓ ସଚେତନତା ମାଧ୍ୟମରେ ଆମ୍ଭେ ସମସ୍ତେ ଏହି ମହାମାରୀକୁ ଉପଯୁକ୍ତ ମୁକାବିଲା କରିପାରିବା ବୋଲି ଆଶାବ୍ୟକ୍ତ କରିଥିଲେ ।