No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୬ ମଇ ଗୁରବାର ) ମସ୍କାଟ / ଭୁବନେଶ୍ୱର :-ଓମାନରେ ବସବାସ କରୁଥିବା ଓଡ଼ିଆମାନେ ଅନ୍ଲାଇନ୍ ଯୋଗେ ୮୫ତମ ଉତ୍କଳ ଦିବସ ପାଳନ କରିବାକୁ ଯାଉଥିବା ଜଣାଯାଇଛି । ରାଜଧାନୀ ମସ୍କାଟସ୍ଥିତ ଇଣ୍ଡିଆନ୍ ସୋସିଆଲ୍ କ୍ଲବ୍ (ଆଇ.ଏସ୍.ସି) ର ଓଡ଼ିଆ ଶାଖା ଦ୍ୱାରା ଆସନ୍ତା ମେ ୮ ତାରିଖ ଓମାନ ସମୟ ଅପରାହ୍ନ ୩.୩୦ ମିନିଟ ଏବଂ ଭାରତୀୟ ସମୟ ସନ୍ଧ୍ୟା ୫ଟା ବେଳେ ଆୟୋଜନ କରାଯାଉଥିବା ଏହି ଭବ୍ୟ ଭର୍ଚ୍ଚୁଆଲ୍ ସମାରୋହ ନେଇ ଏବେ ବ୍ୟାପକ ଭାବେ ପ୍ରସ୍ତୁତି ପର୍ବ ଚାଲିଥିବା ଲକ୍ଷ୍ୟ କରାଯାଉଛି । ଏହି ଉଣ୍ଟରନେଟ୍ ମହୋତ୍ସବରେ ବିଭିନ୍ନ ଦେଶର ଓଡ଼ିଆ ସମାଜର କର୍ମକର୍ତ୍ତା, ପ୍ରବାସୀ ଓଡ଼ିଆ ସମ୍ପ୍ରଦାୟର ନେତୃବୃନ୍ଦ ଏବଂ ସାରା ବିଶ୍ୱର ବିଶିଷ୍ଟ ଓଡ଼ିଶା ପ୍ରେମୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ଆୟୋଜକଙ୍କ ସୂତ୍ରରୁ ପ୍ରକାଶ ।

ଏହି ଉପଲକ୍ଷେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ କଳା ଜଗତର ପ୍ରଖ୍ୟାତ ତାରକା ମାନେ ଭାଗ ନେବାକୁ ଯାଉଥିବାର ଖବର ମିଳିଛି । ଭିଡିଓ କନ୍ଫରେନ୍ସିଂ ଜରିଆରେ ଉତ୍ସବରେ ଅଂଶଗ୍ରହଣ କରିବାକୁ ଯାଉଥିବା ସମ୍ମାନୀୟ ଅତିଥିମାନଙ୍କ ମଧ୍ୟରେ ଓମାନ ଚେମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରୀର ଅଧ୍ୟକ୍ଷ ମହାମାନ୍ୟ ଇଂଞ୍ଜିନିୟର ରିଧା ବିନ୍ ଜୁମା ଆଲ୍ ସାଲେହ, ପ୍ରଖ୍ୟାତ ଆଧ୍ୟାତ୍ମିକ ଗୁରୁ ଡଃ ଚନ୍ଦ୍ରଭାନୁ ଶତପଥୀ, ଓମାନ ଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ମହାମାନ୍ୟ ଶ୍ରୀ ମନୁ ମହାୱର, ଓଡ଼ିଶାର ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ମାନ୍ୟବର ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଇଣ୍ଡିଆନ୍ ସୋସିଆଲ୍ କ୍ଲବର ଅଧ୍ୟକ୍ଷ ଡଃ ସତୀଶ ନାମ୍ବିଆର ଏବଂ ଭାରତ ସରକାରଙ୍କର ଅର୍ଥମନ୍ତ୍ରଣାଳୟର ପୂର୍ବତନ ସ୍ୱତନ୍ତ୍ର ସଚିବ ପ୍ରସନ୍ନ କୁମାର ଦାଶ ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି ।

ଚଳିତ ପ୍ରଳୟଙ୍କର କୋଭିଡ୍ ମହାମାରୀ ପ୍ରତି ଏକ ଶକ୍ତ ପାଲ୍ଟା ଆକ୍ରମଣ କରାଯିବା ପାଇଁ ଏହି ସମଗ୍ର ଆୟୋଜନ ଅସଲରେ ଉଦ୍ଦିଷ୍ଟ ଓ ଅଭିପ୍ରେତ ବୋଲି ମୁଖ୍ୟ ସଂଗଠକ ଆଇ.ଏସ୍.ସି ର ଓଡ଼ିଆ ଶାଖାର ଆବାହକ ମନୋଜ ମହପାତ୍ର ପ୍ରକାଶ କରିଛନ୍ତି । ଓଡ଼ିଶା ଏବଂ ଭାରତ ବର୍ଷକୁ ଅକ୍ସିଜେନ୍ କନ୍ସେନ୍ଟ୍ରେଟର୍ସ, ଜରୁରୀ ସ୍ୱାସ୍ଥ୍ୟସେବା ସମ୍ପର୍କିତ ଆସବାବପତ୍ର, ଅସହାୟ ବରିଷ୍ଠ ନାଗରିକ ତଥା ଅନାଥମାନଙ୍କୁ ଖାଦ୍ୟ, ବସ୍ତ୍ର ଏବଂ ବାସସ୍ଥାନ ଭଳି ସର୍ବନିମ୍ନ ମାନବିକ ଆବଶ୍ୟକତା ଓଡ଼ିଆ ଶାଖା ଯୋଗାଇଦେବାକୁ ଯାଉଥିବା ସେ ଉଲ୍ଲେଖ କରିଛନ୍ତି ।

ଏହି ଉତ୍କଳ ଦିବସ ପାଳନ ଦ୍ୱାରା ଓମାନ ଏବଂ ଓଡ଼ିଶା ତଥା ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରେ ବ୍ୟାପାର ଓ ବାଣିଜ୍ୟ ନେଇ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ୀଭୂତ ହେବା ସାଙ୍ଗକୁ ଓଡ଼ିଶାରେ ଓମାନର ପୁଞ୍ଜି ନିବେଶ ମଧ୍ୟ ବୃଦ୍ଧି ପାଇବ ବୋଲି ଶ୍ରୀ ମହାପାତ୍ର ଦମ୍ଭ ପ୍ରକାଶ କରିଛନ୍ତି । ‘ଅକ୍ସନ୍ ଇନ୍ ଆକ୍ସନ୍’ ନାମକ ଏକ ଦାତବ୍ୟ କାର୍ଯ୍ୟକ୍ରମ ସମଗ୍ର ଉତ୍ସବର ମୁଖ୍ୟ ଆକର୍ଷଣ ହେବ ବୋଲି ଓଡ଼ିଆ ଶାଖାର ସହ-ଆବାହକ ଗୁପ୍ତ ପ୍ରସାଦ ଦାଶ ସୂଚାଇଛନ୍ତି । ସାଂସ୍କୃତିକ ସନ୍ଧ୍ୟାରେ ଅନ୍ୟାନ୍ୟ ଡିଜିଟାଲ ପ୍ରସ୍ତୁତିଗୁଡ଼ିକ ମଧ୍ୟରେ ସ୍ୱାଗତ ସଙ୍ଗୀତ, ଶଙ୍ଖନାଦ, ଓଡ଼ିଶୀ ନୃତ୍ୟ, ଶିଶୁଙ୍କ ନୃତ୍ୟ, ଓଡ଼ିଶା ପର୍ଯ୍ୟଟନ ଫିଲରସ୍, କୋଭିଡ଼ ଆଧାରିତ ନାଟକ ,କ୍ଷୁଦ୍ର ନାଟିକା, ମହିଳାଙ୍କର ନୃତ୍ୟ ପରିବେଷଣ, ପୁରୁଷ ଙ୍କ ମିଳିତ ନୃତ୍ୟ ,ବ୍ୟଙ୍ଗ ରଚନା ଉପସ୍ଥାପନ , ସୁଗମ ସଙ୍ଗୀତ ଏବଂ ଓଡ଼ିଶାରୁ ଲାଇଭ୍ଷ୍ଟ୍ରିମିଂ ଜରିଆରେ ସଙ୍ଗୀତ ଅର୍କେଷ୍ଟ୍ରା ପ୍ରଦର୍ଶନ ଆଦି ସ୍ଥାନ ପାଇବାକୁଯାଉଥିବା ଶ୍ରୀ ଦାଶ ଜଣାଇଛନ୍ତି ।
No Result
View All Result