ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡଃ. ଜଷ୍ଟିସ୍ ଏସ୍ ମୁରଲୀଧର ଓଡିଶାର ପ୍ରମୁଖ ୪ଟି ଜିଲ୍ଲା କୋର୍ଟ – ଡିଜିଟାଇଜେସନ୍‌ କେନ୍ଦ୍ର’କୁ ଭର୍ଚୁଆଲ ବ୍ୟବସ୍ଥା ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି ।

ଓଡ଼ିଶା ତାଜା ନ୍ୟୁଜ୍ ( ୦୧ ମେ , ଶନିବାର ) ଭୁବନେଶ୍ୱର :- ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡଃ. ଜଷ୍ଟିସ୍ ଏସ୍ ମୁରଲୀଧର ଓଡିଶାର ପ୍ରମୁଖ ୪ଟି ଜିଲ୍ଲା କୋର୍ଟ ଯଥା କଟକ, ଗଞ୍ଜାମ, ସମ୍ବଲପୁର ଏବଂ ବାଲେଶ୍ୱର ଜିଲ୍ଲାର ‘ ଜିଲ୍ଲା କୋର୍ଟ ଡିଜିଟାଇଜେସନ୍‌ କେନ୍ଦ୍ର’କୁ ଭର୍ଚୁଆଲ ବ୍ୟବସ୍ଥା ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି । ଉଚ୍ଚ ନ୍ୟାୟାଳୟର ଅନ୍ୟ ମାନ୍ୟବର ବିଚାରପତିମାନେ ଭର୍ଚୁଆଲ ମାଧ୍ୟମରେ ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଭିନ୍ନ ମାମଲାଗୁଡିକ ଫଇସଲା କରିବାରେ କେସ୍ ରେକର୍ଡଗୁଡିକ ସ୍କାନିଂ ଓ ଡିଜିଟାଇଜ୍ କରିବା ଉଦ୍ଦେଶ୍ୟରେ ଏହି ୪ଟି ଜିଲ୍ଲା କୋର୍ଟ ଡିଜିଟାଇଜେସନ କେନ୍ଦ୍ର ସ୍ଥାପନ କରାଯାଇଛି ।   

ମାନ୍ୟବର ମୁଖ୍ୟ ବିଚାରପତି ଚଳିତ ବର୍ଷ ଜାନୁଆରୀରେ କାର୍ଯ୍ୟଭାର ଗ୍ରହଣ କରିବା ପରେ କେସ୍ ରେକର୍ଡଗୁଡିକର ସ୍କାନିଂ ଓ ଡିଜିଟାଇଜେସନ ବ୍ୟବସ୍ଥାର ନବୀକରଣକୁ ଗୁରୁତ୍ୱ ଦେଇଛନ୍ତି । ବହୁଳ ମାତ୍ରାରେ କେସ୍ ରେକର୍ଡ ଗୁଡିକର ସ୍କାନିଂ ଓ ଡିଜିଟାଇଜେସନ କାର୍ଯ୍ୟ କରିବା ପାଇଁ ଉଚ୍ଚ ନ୍ୟାୟାଳୟ ପରିସରରେ ଅନେକଗୁଡିଏ ଡିଜିଟାଇଜେସନ ହବ୍ ସ୍ଥାପନ କରାଯାଇଛି । ଉଚ୍ଚ ନ୍ୟାୟାଳୟ ପରିସରରେ ଗତ ୪ ମାସରେ ଏକ ପୃଷ୍ଠା ବିଶିଷ୍ଟ ୭୧,୯.୦୨୩ ଏବଂ ୯୩,୦୬୫ଟି କେସ୍ ରେକର୍ଡକୁ ସ୍କାନିଂ କରାଯାଇଥିବା ବେଳେ ମୋଟ ୨,୨୪,୮୬,୭୧୭ ଏକକ ପୃଷ୍ଠା ଏବଂ ୨,୮୯,୨୭୨ ପୃଷ୍ଠାର କେସ୍ ରେକର୍ଡ ସ୍କାନିଂ କରାଯାଇଛି ।

ଜିଲ୍ଲା ଓ ସବ୍‌-ଅର୍ଡିନେଟ୍ କୋର୍ଟର କେସ୍ ରେକର୍ଡଗୁଡିକୁ ଡିଜିଟାଇଜ୍ କରିବା ଦୀର୍ଘ ଦିନର ଆବଶ୍ୟକତା ଥିଲା । ପର୍ଯ୍ୟାୟକ୍ରମେ ସେସବୁକୁ କାର୍ଯ୍ୟକ୍ଷମ କରାଯିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଏହି ଅବସରରେ ଉଚ୍ଚ ନ୍ୟାୟାଳୟ କମ୍ପ୍ୟୁଟର କମିଟିର ଅଧ୍ୟକ୍ଷ ମାନ୍ୟବର ଶ୍ରୀ ଜଷ୍ଟିସ୍ ଶତୃଘ୍ନ ପୁଝାହାରୀ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଡିଜିଟାଇଜେସନ ଓ ଏହାର ଭବିଷ୍ୟତ ସମ୍ଭାବନାରେ ରହିଥିବା ବହୁମୂଲ୍ୟ ଅନ୍ତର୍ଦୃଷ୍ଟି ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓକାକ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ ।

ଏହି ସ୍କାନିଂ ଓ ଡିଜିଟାଇଜେସନ ବ୍ୟବସ୍ଥାରେ ସେ ବୈଷୟିକ ସହାୟତା ପ୍ରଦାନ କରିଥିଲେ । ପରେ ପରେ ମାନ୍ୟବର ମୁଖ୍ୟ ବିଚାର ପତି ଡଃ. ମୁରଲୀଧର ସମ୍ବଲପୁର ଜିଲ୍ଲା ପାଇଁ ପ୍ରାଶାସନିକ ବିଚାରପତି ରହିଥିବା ଡଃ. ଜଷ୍ଟିସ୍ ବି.ଆର୍‌.ଷଡଙ୍ଗୀଙ୍କ ଉପସ୍ଥିତିରେ ସମ୍ବଲପୁର ସ୍ଥିତ ସିନିୟର ସିଭିଲ ଜଜ( ଏଲ୍‌.ଆର ଓ ଏଲ୍ .ଟି.ଭି.)ର ସଂପ୍ରସାରିତ କୋଠା ଏବଂ ସିନିୟର ସିଭିଲ୍ ଜଜ( କମର୍ସିଆଲ କୋର୍ଟ)କୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଲୋକାର୍ପିତ କରିଥିଲେ । ଏହା ଦ୍ୱାରା ଜିଲ୍ଲାର ଆଇନ୍‌ଜୀବୀ ଏବଂ ନ୍ୟାୟ ଅପେକ୍ଷାରେ ଥିବା ଜନସାଧାରଣ ବହୁ ଭାବେ ଉପକୃତ ହେବେ ।