No Result
View All Result
ଓଡ଼ିଶା ତାଜା ଖବର (୩୦ ଅପ୍ରେଲ ଶୁକ୍ରବାର ) ନୂଆଦିଲ୍ଲୀ :- ଆର୍ଥିକ ମୋର୍ଚ୍ଚାରେ ଦେଶର ପ୍ରଗତି ଲାଗି ୧୬ ବର୍ଷ ପୂର୍ବେ ମନମୋହନ ସିଂହ ସରକାର ୨୦୦୪ ମସିହାରେ ଭାରତ ଆଉ ବିଦେଶୀ ଦାନ ଓ ଉପହାର ନେବ ନାହିଁ ବୋଲି ଘୋଷଣା କରିଥିଲେ। ସେହି ଅନୁସାରେ ଏଥିଲାଗି ଦେଶରେ ପ୍ରଚଳିତ ଦୀର୍ଘ ନୀତିକୁ ମଧ୍ୟ ଉଚ୍ଛେଦ କରିଦିଆଯାଇଥିଲା। ହେଲେ କରୋନା ଭାଇରସ ମହାମାରୀ ଭାରତର ଟାଣ ଭାଙ୍ଗି ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ କରୋନା ମୁକାବିଲା ଲାଗି ପୁଣି ଥରେ ବିଦେଶୀ ସହାୟତା ନିମନ୍ତେ ପୁରୁଣା ନୀତିକୁ ଦେଶରେ ଲାଗୁ କରିଛନ୍ତି।
ପ୍ରଧାନମନ୍ତ୍ରୀ ଗତବର୍ଷ କରୋନା ସଂକ୍ରମଣକାଳରେ ‘ପିଏମ କେୟାର ଫଣ୍ଡ’ ସ୍ଥାପନା କରି ଏ ନେଇ ପୂର୍ବ ସୂଚନା ଦେଇଥିଲେ। ଏବେ ବିଦେଶରୁ କରୋନା ନିମନ୍ତେ ଖୋଲଖୋଲି ସବୁ ପ୍ରକାର ସହାୟତା ନେବା ଆରମ୍ଭ କରିଦେଇଛନ୍ତି। ୨୦୨୦ରେ କରୋନା ଭାଇରସ ମହାମାରୀ ପାଇଁ ସରକାରଙ୍କ ଲକଡାଉନ ନିଷ୍ପତ୍ତି ଦେଶର ଅର୍ଥବ୍ୟବସ୍ଥାକୁ ଭୂ-ଲୁଣ୍ଠିତ କରିଥିଲା। ତେବେ ଅନଲକ୍ ପର୍ଯ୍ୟାୟରେ ପରିସ୍ଥିତି ସାମାନ୍ୟ ସୁଧୁରିଥିବା ବେଳେ ଏବେ ସବୁ କିଛି ପୁଣିଥରେ ଭୂଷୁଡିବା ସ୍ଥିତିରେ ପହଞ୍ଚି ଯାଇଛି।
ଏଥିରୁ ଦେଶକୁ ବିଦେଶୀ ସହାୟତା ଜରୁରି ହୋଇପଡିଥିବା ବେଳେ ସରକାର ନୀତି ପରିବର୍ତ୍ତନ ଲାଗି ବାଧ୍ୟ ହୋଇଛନ୍ତି। ୨୦୦୪ ସୁନାମୀ ପରେ ଉପୁଜିଥିବା ପରିସ୍ଥିତିରେ ମନମୋହନ ସିଂହ ସରକାର ଦେଶର ଆଭ୍ୟନ୍ତରୀଣ ଆହ୍ୱାନ ମୁକାବିଲା ଲାଗି ବିଦେଶୀ ଦାନ ଓ ସହାୟତା ନିଆ ଯାଇପାରିବନି ବୋଲି ଘୋଷଣା କରିଥିଲେ। ଏଣୁ ଏ ନେଇ ଥିବା ନୀତି ସୁଧାର କରିଦିଆଯିବା ସହ ଦେଶକୁ ବିଦେଶୀ ପାଣ୍ଠି ପ୍ରବାହ ବନ୍ଦ କରି ଦିଆଯାଇଥିଲା। ତେବେ କେନ୍ଦ୍ରରେ ୟୁପିଏ ସରକାର ହଟିବାର ଗୋଟିଏ ପାଞ୍ଚବାର୍ଷିକ ପରେ କରୋନା ପୁଣି ଥରେ ଦେଶକୁ ସେହି ସ୍ଥାନରେ ଛିଡା କରିଛି ଯେଉଁଠି ଆଭ୍ୟନ୍ତରୀଣ ବିପର୍ଯ୍ୟୟ ମୁକାବିଲା ଲାଗି ବିଦେଶୀ ସହାୟତା ଉପରେ ନିର୍ଭର ହୋଇଯାଇଛି।
ଭାରତ କରୋନା ଦ୍ୱିତୀୟ ଲହର ମୁକାବିଲା ଲାଗି ୪୦ଟି ଦେଶରୁ ଅକ୍ସିଜେନ ଓ ସମ୍ପର୍କିତ ସହାୟତା ସମେତ ଜରୁରି ଔଷଧ ଆଦି ସହଯୋଗ ପ୍ରାପ୍ତ କରୁଥିବା ନେଇ ବୈଦେଶିକ ସଚିବ ହର୍ଷ ଶ୍ରୀଙ୍ଗଲା ଗୁରୁବାର ସୂଚନା ଦେଇଛନ୍ତି। ୨ଟି ଋଷିୟ ମିଲେଟ୍ରି ପରିବହନ ବିମାନ ଓ ୩ଟି ଆମେରିକୀୟ ବିମାନ ଜରୁରି ସହାୟତା ନେଇ ଭାରତ ପହଞ୍ଚିବା ପରେ ବୈଦେଶିକ ସଚିବ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଋଷିୟ ବିମାନ ୨୦ଟି ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ, ଭେଣ୍ଟିଲେଟର ୨ଲକ୍ଷ ଔଷଧ ପ୍ୟାକେଟ ନେଇ ଆସିଥିବା ବେଳେ ଆମେରିକୀୟ ବିମାନ ମାନେ କୋଭିଡ-୧୯ ଭାକ୍ସିନ ପାଇଁ କଞ୍ଚାମାଲ, ଅକ୍ସିଜେନ ଜେନେରେଟିଂ ଯନ୍ତ୍ରପାତି ଓ ଅକ୍ସିଜେନ କନସେନଟ୍ରେଟର ଆଦି ନେଇ ଆସିଥିବା ଅନୁମାନ କରାଯାଉଛି । (ଭଞ୍ଜ ବିହାରୀ ମହାନ୍ତି)
No Result
View All Result