No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୯ ଏପ୍ରିଲ ୨୦୨୧, ଗୁରୁବାର) ଭୁବନେଶ୍ୱର :- ୪୯ଟି ସରକାରୀ ଆଇଟିଆଇରେ ଭିତ୍ତିଭୂମି ବିକାଶ ଦିଗରେ ରାଜ୍ୟ ସରକାର ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ କ୍ୟାମ୍ପସରେ ମାଗଣା ୱାଇଫାଇ ଇଣ୍ଟରନେଟ୍ ସୁବିଧା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । କରୋନା ଭଳି ମହାମାରୀ ସମୟରେ ଯେପରି ଅନ୍ଲାଇନ୍ କ୍ଲାସ ମାଧ୍ୟମରେ ପିଲାମାନେ ପଢ଼ିପାରିବେ ତାହାକୁ ନେଇ ପାଠ୍ୟକ୍ରମ ପ୍ରସ୍ତୁତ ହୋଇଛି । ପ୍ରଶିକ୍ଷକମାନଙ୍କ ଦ୍ବାରା ଡିଜିଟାଲ୍ ବିଷୟବସ୍ତୁର ସର୍ବୋଚ୍ଚ ଉପଯୋଗିତା ସମ୍ପର୍କରେ ସମସ୍ତ ଆଇଟିଆଇ ଅଧ୍ୟକ୍ଷ ନିଶ୍ଚିତ କରିବେ, ଯାହାକି ନିର୍ଦ୍ଦେଶାଳୟର ଡ୍ୟାସ୍ବୋର୍ଡରେ ଉପଲବ୍ଧ ରହିଛି । ପ୍ରଶିକ୍ଷକମାନେ ସମସ୍ତ ଅନଲାଇନ୍ କ୍ଲାସ୍ ନିଜ ନିଜ ଆଇଟିଆଇର ସ୍ମାର୍ଟ/ଲାଇଫ୍ ସ୍କିଲ୍ କ୍ଲାସ୍ରୁମରେ ଗ୍ରହଣ କରିବେ ।
ବର୍ତମାନ ସମୟରେ ରାଜ୍ୟର ୭ଟି ଆଇଟିଆଇ ଯଥା ବୈଦ୍ଧ, ଏମ୍ଆଇଟିଆଇ, ଯାଜପୁର, ଫୁଲବାଣୀ, ଭବାନୀପାଟଣା, ଖରିଆର ରୋଡ ଓ ଖରିଆର ଆଇଟିଆଇର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନାହିଁ । ତେଣୁ ଏହାର ଅଧ୍ୟକ୍ଷମାନେ ପଦକ୍ଷେପ ଗ୍ରହଣ କରିବେ । ଭିତ୍ତିଭୂମି ବିକାଶ ଲାଗି ପ୍ରଦାନ କରାଯାଇଥିବା ୭ କୋଟି ୩୫ ଲକ୍ଷ ଟଙ୍କାର ବିନିଯୋଗ ପ୍ରମାଣପତ୍ର (ୟୁସି) ମେ’ ୩୧ ସୁଦ୍ଧା ଦାଖଲ କରିବେ । ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ହଷ୍ଟେଲ, ଆବାସିକ କ୍ୟାମ୍ପସ, ଏକାଡେମିକ୍ ବ୍ଲକ, କର୍ମଶାଳା, ପ୍ରଶାସନିକ ବିଲ୍ଡିଂରେ ମାଗଣା ୱାଇଫାଇ ସେବା ଯୋଗାଇ ଦିଆଯିବ । କ୍ୟାମ୍ପସରେ ଇଣ୍ଟରନେଟ୍ କ୍ଷମତାକୁ ୫୦ ଏମ୍ବିପିଏସ୍ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅଧ୍ୟକ୍ଷମାନେ ସୁନିଶ୍ଚିତ କରିବେ । ଏବାବଦରେ ଖର୍ଚ୍ଚ ଦେବାକୁ ଥିବା ୫ କୋଟି ୪୦ ଲକ୍ଷ ଟଙ୍କାର ୟୁସି ଜୁନ୍ ୩୦ ସୁଦ୍ଧା ଦାଖଲ କରିବେ ।
ମେ’ ୩୦ ସୁଦ୍ଧା ସମସ୍ତ ଅଧ୍ୟକ୍ଷମାନେ ସମସ୍ତ କ୍ରୟ ପ୍ରକ୍ରିୟା ଶେଷ କରିବେ ଏବଂ ୟୁସି ଦାଖଲ କରିବେ । ଆଇଟିଆଇ ଲାଇବ୍ରେରିଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ ହେବ । ୨୦୨୦-୨୧ରେ ଆଇଟିଆଇ ଫେଷ୍ଟ ହେଡ୍ରୁ ୩୮ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଲାଇବ୍ରେରିକୁ ମଜବୁତ କରିପାରିବେ । ଏହାଦ୍ବାରା ପାଠ୍ୟପୁସ୍ତକ ବାହାରେ ତାଲିମପ୍ରାପ୍ତ ଛାତ୍ରଛାତ୍ରୀ ପଢ଼ିବା ଅଭ୍ୟାସକୁ ବଢ଼ାଇ ପାରିବେ । ଅଧ୍ୟକ୍ଷମାନେ ଏଦିଗରେ ପଦକ୍ଷେପ ନେବା ସହ ଏପ୍ରିଲ ୩୦ ମଧ୍ୟରେ କିଣାଯାଇଥିବା ପୁସ୍ତକ ତାଲିକା ସହ ୟୁସି ଦାଖଲ କରିବାକୁ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି । ଯେତେଶୀଘ୍ର ସମ୍ଭବ ବାକି ରହିଥିବା ୫ଟି ଆଇଟିଆଇର ଅଧ୍ୟକ୍ଷମାନେ ଭୁବନେଶ୍ବର ଆଇଟିଆଇରୁ ଆଇଟିଆଇ ଫେଷ୍ଟ ୟୁନିଫର୍ମ ଗ୍ରହଣ କରିବେ । ୨୦୨୦-୨୧ ମଧ୍ୟରେ କ୍ରୀଡ଼ା ସାମଗ୍ରୀ କ୍ରୟ ପାଇଁ ଅନୁମୋଦିତ ୪୨ ଲକ୍ଷ ଟଙ୍କାର ଖର୍ଚ୍ଚ ତାଲିକା ସହ ୟୁସି ଆସନ୍ତା ୩୦ ତାରିଖ ସୁଦ୍ଧା ଦାଖଲ କରିବାକୁ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି ।(ଲାଲା ଅନନ୍ତ କୁମାର ସିଂ)
No Result
View All Result