No Result
View All Result
ଓଡିଶା ତାଜା ନ୍ୟୁଜ (୨୬ ଏପ୍ରିଲ , ସୋମବାର ) ମୁମ୍ବାଇ :- ସାଙ୍ଗ ସାଥୀଙ୍କଠୁ ନେଇ ଅଫିସ୍ ପର୍ଯ୍ୟନ୍ତ ସେ ସରକାରୀ ହେଉ କି ଘରୋଇ ଅଫିସ୍ ହେଉ, କାର୍ଯ୍ୟରେ ଉତ୍ତମ ସମନ୍ଵୟ ପାଇଁ ହ୍ଵାଟ୍ସଆପ୍ ଗ୍ରୁପର ବହୁଳ ବ୍ୟବହାର ବଢିବାରେ ଲାଗିଛି । କିନ୍ତୁ ବେଳେ ବେଳେ ଗ୍ରୁପରେ ଆପତ୍ତିଜନକ ପୋଷ୍ଟ ହେଉଥିବା ଘଟଣା ସାମ୍ନାକୁ ଆସିଛି । ଏହି ପରିପ୍ରେକ୍ଷୀରେ ବମ୍ବେ ହାଇକୋର୍ଟଙ୍କ ପକ୍ଷରୁ ହ୍ଵାଟ୍ସଗ୍ରୁପକୁ ନେଇ ବଡ ନିଷ୍ପତ୍ତି ଆସିଛି । ବମ୍ବେ ହାଇକୋର୍ଟଙ୍କ ନାଗପୁର ପୀଠ କହିଛନ୍ତି, ହ୍ଵାଟ୍ସଆପ୍ରେ ଅନ୍ୟ ସଦସ୍ୟ ପକ୍ଷରୁ ଆପତ୍ତିଜନକ ପୋଷ୍ଟ କରାଗଲେ ସେଥିପାଇଁ ଆଡମିନ୍ ଦାୟୀ ରହିବେ ନାହିଁ । ଏଥିସହ ଅଦାଲତ ୩୩ ବର୍ଷୀୟ ବ୍ୟକ୍ତିଙ୍କ ବିରୋଧରେ ରୁଜୁ ଯୌନ ଉତ୍ପୀଡନ ମାମଲା ମଧ୍ୟ ଖାରଜ କରିଛନ୍ତି ।
ବିଚାରପତି ଜେଡଏ ହକ୍ ଓ ବିଚାରପତି ଏବି ବୋରକରଙ୍କ ପୀଠ କହିଛନ୍ତି, ହ୍ଵାଟ୍ସଆପ୍ର ଆଡମିନ୍ ପାଖରେ କେବଳ ଗ୍ରୁପର ସଦସ୍ୟଙ୍କୁ ଯୋଡିବା ଏବଂ ହଟାଇବାର ଅଧିକାର ରହିଥାଏ । ଗ୍ରୁପରେ ଦିଆଯାଉଥିବା ଅନ୍ୟ କୌଣସି ପୋଷ୍ଟ, କେଉଁ ପ୍ରକାରର ବିଷୟବସ୍ତୁ ପୋଷ୍ଟ ହେବ ଏହାକୁ ନିୟନ୍ତ୍ରଣ କରିବା ଏବଂ ରୋକିବାର କ୍ଷମତା ଆଡମିନ୍ ପାଖରେ ନାହିଁ ।
ଅଦାଲତ ଜଣେ ହ୍ଵାଟ୍ସଆପ୍ ଆଡମିନ୍ଙ୍କ ଆବେଦନ ଉପରେ ଶୁଣାଣି ସମୟରେ ଏହି ରାୟ ଦେଇଛନ୍ତି । ଆବେଦନକାରୀ ହେଉଛନ୍ତି କିଶୋର ତରୋନେ । ତରୋନେ ଗୋନ୍ଦିଆ ଜିଲ୍ଲାରେ ନିଜ ବିରୋଧରେ ବିଭିନ୍ନ ଧାରାରେ ରୁଜୁ ମାମଲାକୁ ଖାରଜ କରିବାକୁ ଅନୁରୋଧ କରିଥିଲେ ।
ସୂଚନା ଅନୁଯାୟୀ, ତରୋନେ ନିଜ ହ୍ଵାଟ୍ସଆପ୍ ଗ୍ରୁପରେ ଜଣେ ମହିଳା ସଦସ୍ୟଙ୍କ ବିରୋଧରେ ଅଶ୍ଳୀଳ ଏବଂ ମର୍ଯ୍ୟାଦାହୀନ ଟିପ୍ପଣୀ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପାରିନଥିଲେ । ପୀଠ ନିଜ ଶୁଣାଣିରେ କହିଛନ୍ତି, ମାମଲାର ସାର ମର୍ମ ଏହା ଯେ, କୌଣସି ହ୍ଵାଟ୍ସଆପ୍ ଗ୍ରୁପରେ ଅନ୍ୟ ସଦସ୍ୟ ଦ୍ଵାରା ହେଉଥିବା ଆପତ୍ତିଜନକ ପୋଷ୍ଟ ପାଇଁ ଆଡମିନ୍ ବିରୋଧରେ ଅପରାଧିକ ମାମଲା ରୁଜୁ ହେବା ଉଚିତ୍ କି ନୁହେଁ..? କୋର୍ଟ ମାମଲାର ଶୁଣାଣି କରି ତରୋନେଙ୍କ ବିରୋଧରେ ରୁଜୁ ଏଫଆଇଆର ଖାରଜ କରିଛନ୍ତି । (ରିପୋର୍ଟ ଲାଲା ଅନନ୍ତ କୁମାର ସିଂହ)
No Result
View All Result