No Result
View All Result
ଓଡିଶା ତାଜା ନ୍ୟୁଜ ( ୨୪ ଏପ୍ରିଲ ଶନିବାର ) ହିଞ୍ଜିଳିକାଟୁ :- ଗତ କିଛି ଦିନ ହେଲା କରୋନାର ଦ୍ୱିତୀୟ ଲହରୀ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ବିଦେଶରୁ ଆସି ପୂର୍ବ ଭାଇରସ ଠାରୁ ଅଧିକ ଶକ୍ତିଶାଳୀ ଏବଂ ମାରାତ୍ମକ ଭାଇରସ ଆମ ଦେଶରେ ପ୍ରବେଶ କରିସାରିଛି । ମହାରାଷ୍ଟ୍ର, ପଞ୍ଜାବ, କେରଳରେ ଏହି ଭାଇରସ ତାହାର ପ୍ରଭାବ ଦେଖାଇବା ପରେ ଦେଶର ପ୍ରାୟ ସମସ୍ତ ରାଜ୍ୟ ନିଜ ନିଜ ରାଜ୍ୟରେ ସ୍ୱତନ୍ତ୍ର କୋଭିଡ଼ ଗାଇଡ଼ ଲାଇନ ପ୍ରସ୍ତୁତ କରି ଏହାକୁ କଡ଼ାକଡ଼ି ଭାବେ ପାଳନ କରୁଥିବାର ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲାର ବହୁ ପ୍ରବାସୀ ବାହାର ରାଜ୍ୟରେ କାର୍ଯ୍ୟ କରୁଥିବାରୁ କରୋନାର ଦ୍ୱିତୀୟ ଲହରୀ ଗଞ୍ଜାମ ଜିଲ୍ଲା ସକାଶେ ବାଧକ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଏସଓପି ଜାରି କରାଯିବା ସହ କଡ଼ାକଡ଼ି ଭାବେ ପାଳନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଉଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁୂ ଡ଼ାକବାଜି ଯନ୍ତ୍ର ସହାୟତାରେ ସଚେତନ କାର୍ଯ୍ୟକ୍ରମ ଜାରି ରହିଛି । ତଥାପି କିଛି ଅମାନିଆଙ୍କ ଯୋଗୁଁ ସ୍ଥାନୀୟ ଅଂଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।

ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପ୍ରଶାସନ ବିଭିନ୍ନ ସମୟରେ ହିଞ୍ଜିଳି ଗ୍ରସ୍ତରେ ଆସି ସ୍ଥାନୀୟ ଅଂଚଳର ଜନସାଧାରଣଙ୍କୁ ସଚେତନ କରିବା ସହ କୋଭିଡ଼ କଟକଣାକୁ ପାଳନ କରିବା ଏବଂ ମାନି ଚଳିବା ପାଇଁ ପରାମର୍ଶ ଦେଇଥିବା ନଜିର ରହିଛି । ତଥାପି ପ୍ରଶାସନର ପରାମର୍ଶକୁ ଖାତିର ନକରି କିଛି ଅମାନିଆ ବିନା ମାସ୍କରେ ବାହାରେ ବୁଲିବା ସହ ଅକାରଣରେ ବିଭିନ୍ନ ଛକ ସ୍ଥାନରେ ଗହଳି କରି ଗୁଲିଖଟି କରି ସଂକ୍ରମଣ ବଢାଉଥିବା ଦେଖିବାକୁ ମିଳିଛି । ଏହାକୁ ପ୍ରତିହିତ କରିବା ପାଇଁ ରାଜ୍ୟ ସରକାର ଗତ ୧୭ ତାରିଖ ଠାରୁ ରାଜ୍ୟର ସମସ୍ତ ସହରାଂଚଳରେ ନାଇଟକର୍ଫ୍ୟୁ ଜାରି କରିଥିବା ବେଳେ ଏପ୍ରିଲ ଶେଷ ସପ୍ତାହରୁ ସପ୍ତାହନ୍ତ ସଟଡ଼ାଉନ ( ଶନିବାର ଓ ରବିବାର ୨ଦିନ ପାଇଁ ) ଘୋଷଣା କରିଛନ୍ତି । ସପ୍ତହାନ୍ତ ସଟଡ଼ାଉନର ପ୍ରଥମ ଦିବସ ଶନିବାର ସହରର କେବଳ ମେଡ଼ିକାଲ ସେବା ଓ ଜରୁରୀ ସେବାକୁ ବାଦ ଦେଲେ ଯାତାୟତ ସାଙ୍ଗକୁ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ସାରା ସହର ଖାଁ ଖାଁ ଲାଗୁଥିବା ବେଳେ ରାସ୍ତାଘାଟ ଜନଶୁନ୍ୟ ହୋଇ ପଡ଼ିଥିଲା ।

ତଥାପି କିଛି ଅମାନିଆ ମେଡ଼ିକାଲ ଯିବା ବାହାନାରେ ବାଇକ ଯୋଗେ ଚକ୍କର କାଟୁଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ପୁଲିସ ବାହିନୀ ସହରର ବିଭିନ୍ନ ଛକ ସ୍ଥାନରେ ଯାଂଚ କଡ଼ାକଡ଼ି କରୁଥିବାର ଦେଖିବାକୁ ମିଳିଥିଲା । ଯାଂଚ ସମୟରେ ଯାତାୟତ କରୁଥିବା ବ୍ୟକ୍ତି ମାନଙ୍କୁ ଯାତାୟତର କାରଣ ପଚାରି ବୁଝିବା ସହ ପରିଚୟ ପତ୍ର ଦେଖାଇବା ପାଇଁ ବାଧ୍ୟ କରୁଥିବାର ଦେଖିବାକୁ ମିଳିଥିଲା । ଅକାରଣରେ ବାହାରେ ବୁଲୁଥିବା ଅମାନିଆଙ୍କ ବିରୋଧରେ ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାର ଦେଖିବାକୁ ମିଳିଥିଲା । ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ୱିତୀୟ ଲହରୀ ଆତଙ୍କ ସୃଷ୍ଟି କରିଥିବା ବେଳେ ଲୋକେ ସଟଡ଼ାଉନ ସାଙ୍ଗକୁ ଭୟଭୀତ ହୋଇ ଘରୁ ବାହାରକୁ ବାହାରୁନଥିବା ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ କରୋନା ଭୟରେ ଲୋକେ ସଟଡ଼ାଉନକୁ ମାନିଚଳିବା ସହ ଘରୁ ବାହାରକୁ ବାହାରିନଥିଲେ । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result