No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଅପ୍ରେଲ ବୁଧବାର) ଭୁବନେଶ୍ୱର :- ପ୍ରବୀଣ ଜନନାୟକ, ସାହିତ୍ୟିକ, ସଂପାଦକ, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ନୀଳାଦ୍ରି ବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ୬ତମ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଛି । ସଂଘର ସଭାପତି ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସଂଘର ସାଧାରଣ ସଂପାଦକ ତଥା ଯୁବ ସମାଜସେବୀ ଶ୍ରୀ ବିଶ୍ୱଜିତ୍ ପଟ୍ଟନାୟକ (ସିଲୁ), ସଭ୍ୟବୃନ୍ଦ, କର୍ମକର୍ତ୍ତା, ଉପଦେଷ୍ଟା ଓ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଉପସ୍ଥିିତ ରହି ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅଭୁଲା ଓ ଅମର ଜୀବନ ସଂପର୍କରେ ଆଲୋକପାତ କରିବା ସହ ତାଙ୍କର ଆମାୟିକ ବ୍ୟବହାର ତଥା ସମାଜର ବିଭିନ୍ନ ଉଲ୍ଲେଖନୀୟ ଦିଗ ପ୍ରତି ତାଙ୍କ ସମର୍ପିତ ବ୍ୟକ୍ତିତ୍ୱ ଉପରେ ଆଲୋଚନା କରିଥିଲେ ।
ପ୍ରକାଶ ଥାଉକି, ସ୍ୱର୍ଗତ ପଟ୍ଟନାୟକ ୨୦୦୧ ମସିହାରେ ସଂଘର ଅଷ୍ଟମ ବାର୍ଷିକ ସାଂସ୍କୃତିକ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସଂଘର ସାଂସ୍କୃତିକ ଧାରାକୁ ବଜାୟ ରଖିବାର ପ୍ରୟାସକୁ ଭୂୟସୀ ପ୍ରଶଂସା କରିବା ସହ ଯୁବକ ମାନଙ୍କର କଳା ଓ ସଂସ୍କୃତି ପ୍ରତିଥିବା ଆଗ୍ରହକୁ ଆଗେଇ ନେବାରେ ତାଙ୍କର ସବୁପ୍ରକାର ସାହାଯ୍ୟ ସହଯୋଗ ଓ ସହାନୁଭୂତି ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଆସାମର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିବାପରେ ସଂଘ ତାଙ୍କୁ ତାଙ୍କ ବାସ ଭବନରେ ସମ୍ବର୍ଦ୍ଧନା ଦେବା ଅବସରରେ ସେ ତାଙ୍କର ପୁରୁଣା ଦିନର ସ୍ମୃତିକୁ ମନେପକାଇବା ସହ ତାଙ୍କର ମେଳାପୀ, ବନ୍ଧୁ ବତ୍ସଳ, ଉତ୍ସାହ ଓ ଆତ୍ମୀୟତା ବୋଧ ସଂଘ ପାଖରେ ଆଜି ବି ଜୀବନ୍ତ ଓ ଏକ ଅମୂଲ୍ୟ ସମ୍ପଦ ହୋଇ ରହିଛି । ଏହି ସମୟରେ ସ୍ଥାନୀୟ ଅଞ୍ଚଳର ଇଷ୍ଟ ଦେବତା ଈଶାଣେଶ୍ୱର ମହାଦେବଙ୍କ ମନ୍ଦିର ସଂପର୍କରେ ସେ ପଚାରି ବୁଝିଥିଲେ ଓ ମନ୍ଦିରର ଉନ୍ନୟନ କାର୍ଯ୍ୟ ସମ୍ବନ୍ଧୀୟ ବିସ୍ତୃତ ବିବରଣୀ ମଧ୍ୟ ତାଙ୍କୁ ଉପସ୍ଥାପନ କରାଯାଇଥିଲା ।
ସ୍ୱଳ୍ପ ସମୟ ପାଇଁ ହେଲେ ମଧ୍ୟ ସଂଘ ସହିତ ବିତାଇ ଥିବା ମୁହୁର୍ତ୍ତ ଚିରସ୍ମରଣୀୟ ହୋଇ ରହିବ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସର୍ବଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ, ଗଦାଧର ପ୍ରସାଦ ରଥ, ନିରଞ୍ଜନ ସାହୁ, ନାରାୟଣ ପ୍ରତାପ ରାୟ, ମଦନ ମୋହନ ପୃଷ୍ଟି, ଶିଶିର କୁମାର ମହାରଣା, ଗୋବିନ୍ଦ ଚନ୍ଦ୍ର ଦାସ, ଅର୍ଜୁନ ଦେହୁରୀ ଓ ନାଟ୍ୟ ନିର୍ଦ୍ଦେଶକ ଛବି ବାରିକ, ସ୍ଥାନୀୟ ବରଷ୍ଠ ନାଗରିକ ଓ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ରହି ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ୱଳନ ସହ ଦିବଂଗତ ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରଯାଇଥିଲା । ପରେ ପରେ ଅନୁଷ୍ଠାନର ଶୋକ ପୁସ୍ତିକାରେ ସ୍ୱାକ୍ଷର କରିବା ସହିତ ସଂଘର ସାଂସ୍କୃତିକ ସଂପାଦକ ବଟକୃଷ୍ଣ ପଣ୍ଡା ଧନ୍ୟବାଦ ପ୍ରସ୍ତାବ ସହ ସଭା ସାଂଗ କରାଯାଇଥିଲା ।
No Result
View All Result