No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୦ ଏପ୍ରିଲ , ମଙ୍ଗଳବାର ) ଭୁବନେଶ୍ୱର :- ମାଟିର ସମୃଦ୍ଧିରେ ଉତ୍ପାଦନ ବୃଦ୍ଧି । ମାଟି ସୁସ୍ଥ ଓ ସମୃଦ୍ଧ ରହିଲେ ହିଁ କୃଷି ଉତ୍ପାଦନ ବଢ଼ିପାରିବ । ତେଣୁ ମୃତ୍ତିକାକୁ ସଂରକ୍ଷିତ ରଖିବା ଦିଗରେ ମୃତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କରନ୍ତୁ । ଉଭୟ ଜଳ ଏବଂ ମୃତ୍ତିକା କୃଷି କାର୍ଯ୍ୟର ପ୍ରମୁଖ ଉପାଦାନ ହୋଇଥିବାରୁ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ନିର୍ଦ୍ଦେଶାଳୟର ଅଧିକାରୀ ଓ କ୍ଷେତ୍ର କର୍ମଚାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।
ଆଜି ପୂର୍ବାହ୍ନରେ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକାର ସଂପ୍ରସାରଣ ଅଧିକାରୀ, ଓଭରସିଅର ଓ ଅନ୍ୟ ଅଧିକାରୀମାନଙ୍କ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଦ୍ରୁତ ଶିଳ୍ପାୟନ, ସହରୀକରଣ ଆଦି କାରଣରୁ ଚାଷ ଜମି କମୁଥିବା ସତ୍ତେ୍ୱ ମୃତ୍ତିକାର ଉତ୍ତମ ପରିଚାଳନା, ଉନ୍ନତ ବିହନ ଓ କୃଷି ପଦ୍ଧତିର ବ୍ୟବହାର ଦ୍ୱାରା କୃଷି ଉତ୍ପାଦନ କ୍ରମାଗତ ଭାବରେ ବୃଦ୍ଧି ପାଉଛି । ରାଜ୍ୟ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର କବଳିତ ହେବା ସତ୍ତେ୍ୱ ରାଜ୍ୟରେ ପ୍ରତିବର୍ଷ ରେକର୍ଡ ପରିମାଣର ଧାନ ଉତ୍ପାଦନ ହେଉଛି ।
କୃଷି କାର୍ଯ୍ୟରେ ଉତ୍କର୍ଷ ହାସଲ ଯୋଗୁ ରାଜ୍ୟ ଅନେକ ଥର କୃଷି କର୍ମଣ ପୁରସ୍କାର ପାଇବା ସହିତ ମୃତ୍ତିକା ସଂରକ୍ଷଣ ବିଭାଗ ଦୁଇଟି ମର୍ଯ୍ୟାଦାଜନକ ସ୍କଚ ଆୱାର୍ଡ ପାଇଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ପକ୍ଷରୁ ୫ ବର୍ଷରେ ୫ ଲକ୍ଷ ଫାର୍ମ ପଣ୍ଡ ଖନନ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ମୋ ପୋଖରୀ ଖନନ କରି ଜଳସେଚନର ସୁଯୋଗ ସୃଷ୍ଟି କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ । ଅସଂପୂର୍ଣ୍ଣ ଫାର୍ମ ପଣ୍ଡଗୁଡ଼ିକର ଖନନ କାର୍ଯ୍ୟକୁ ତୁରନ୍ତ ସଂପୂର୍ଣ୍ଣ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ଯେଉଁସବୁ ଜିଲ୍ଲାଗୁଡ଼ିକରେ ଫାର୍ମପଣ୍ଡ ଖନନ କାର୍ଯ୍ୟ ଆଶାନୁରୂପ ହୋଇନାହିଁ ସେଠାରେ ସଂପୃକ୍ତ ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ । ନିର୍ଦ୍ଦେଶାଳୟ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଏହାର ଫଟୋଚିତ୍ର ଓ ଭିଡ଼ିଓଗ୍ରାଫି କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ବିଭାଗ ଦ୍ୱାରା ଉଲ୍ଲେଖନୀୟ କାର୍ଯ୍ୟର ସଫଳ କାହାଣୀର ସାମାଜିକ ଗଣମାଧ୍ୟମରେ ପ୍ରସାର ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଜଳବାୟୁରେ ପରିବର୍ତ୍ତନ ହେତୁ ସମନ୍ୱିତ କୃଷି କାର୍ଯ୍ୟ ଦ୍ୱାରା ହିଁ କୃଷକମାନଙ୍କର ଆୟ ବୃଦ୍ଧି ହୋଇପାରିବ ଏବଂ କୃଷିର ସାମଗ୍ରିକ ବିକାଶ ସମ୍ଭବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।
ବିଭାଗ ଦ୍ୱାରା କରାଯାଉଥିବା ଜଳ ବିଭାଜିକା ପ୍ରକଳ୍ପଗୁଡ଼ିକ ନିର୍ମାଣ କାର୍ଯ୍ୟ ଠିକ୍ ଭାବରେ ଓ ଠିକ୍ ସମୟରେ କରିବା ପାଇଁ ତଦାରଖ କାର୍ଯ୍ୟକୁ ବ୍ୟାପକ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ମନ୍ତ୍ରୀ ଡ. ସାହୁ ମୃତ୍ତିକା ପରୀକ୍ଷଣ ଓ ବାୟୋଫର୍ଟିଲାଇଜର ଏବଂ ଭର୍ମିକମ୍ପୋଷ୍ଟର ମାନ ପରୀକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ । ବ୍ଲକ୍ସ୍ତରୀୟ କାର୍ଯ୍ୟରତ କୃଷି ଓ ଆନୁଷଙ୍ଗିକ କୃଷି ବିଭାଗର ଅଧିକାରୀମାନେ ଉପଯୁକ୍ତ ସମନ୍ୱୟ ରକ୍ଷା କରି ସମନ୍ୱିତ କୃଷି କାର୍ଯ୍ୟକୁ ଆଗେଇ ନେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ବିଭାଗର ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମ ଗୁଡ଼ିକରେ ୫-‘ଟିି’କୁ କଡ଼ାକଡ଼ି ଭାବରେ ଆନୁପାଳନ କରି ଯୋଜନାର ଲାଭ କୃଷକଙ୍କ ନିକଟରେ ପହଞ୍ଚାଇବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଭାଗନେଇ ଉପଲବ୍ଧ ସମ୍ବଳର ଶତପ୍ରତିଶତ ବିନିଯୋଗ ନିମନ୍ତେ କହିଥିଲେ । ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନର ନିର୍ଦ୍ଦେଶକ ମତ୍ସ୍ୟ ନିର୍ଦ୍ଦେଶକଙ୍କ ସହ ସମନ୍ୱୟ ରକ୍ଷା କରି ଫାର୍ମପଣ୍ଡଗୁଡ଼ିକ ଜଳସେଚନ ସହିତ ମାଛଚାଷ ନିମନ୍ତେ ଥିବା ସୁଯୋଗର ପୂର୍ଣ୍ଣ ବିନିଯୋଗ ପାଇଁ କହିଥିଲେ । ବୈଠକରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନର ନିର୍ଦ୍ଦେଶକଙ୍କ ସମେତ ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକ ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।
No Result
View All Result