ବିଜୁ ପଟ୍ଟନାୟକ ପୋଷ୍ଟ ଗ୍ରାଜୁଏଟ୍‌ ଜର୍ଣ୍ଣାଲିଜିମ୍‌ ଆଣ୍ଡ ମାସ୍‌ କମୁ୍ୟନିକେସନ୍‌ କଲେଜ୍‌ର ଛାତ୍ରଛାତ୍ରୀଙ୍କ ବିଧାନସଭା ପରିଦର୍ଶନ

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର 25.2.2020 :- ଆଜି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ପୋଷ୍ଟଗ୍ରାଜୁଏଟ୍‌ ଜର୍ଣ୍ଣାଲିଜିମ୍‌ ଆଣ୍ଡ ମାସ୍‌ କମୁ୍ୟନିକେସନ୍‌ କଲେଜ୍‌ ଓ ସମାଜସେବା ବିଭାଗର ପ୍ରାୟ ୨୭ ଜଣ ଛାତ୍ରଛାତ୍ରୀ ଓଡ଼ିଶା ବିଧାନସଭା ପରିଦର୍ଶନ କରିଛନ୍ତି । ସେମାନେ ବିଧାନସଭା ଗୃହ, ଗ୍ରନ୍ଥାଗାର ଓ ଅନ୍ୟାନ୍ୟ ଶାଖା ବୁଲି ଦେଖିବା ସହିତ ବିଧାନସଭାର କାର୍ଯ୍ୟବିଧି ସଂପର୍କରେ ପଚାରି ବୁଝିଥିଲେ ।

ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ସେମାନେ ସୌଜନ୍ୟ ସାକ୍ଷାତ କରିଥିଲେ । ବାଚସ୍ପତି ଡ. ପାତ୍ର ବିଦ୍ୟାର୍ଥୀମାନଙ୍କୁ ବିଧାନସଭାର କାର୍ଯ୍ୟ, ବାଚସ୍ପତିଙ୍କ ଦାୟିତ୍ୱ, ଗୃହ ପରିଚାଳନା ଆଦି ସଂପର୍କରେ ବୁଝାଇଥିଲେ । ଭବିଷ୍ୟତରେ ଗଣମାଧ୍ୟମର ଜାଗ୍ରତ ପ୍ରହରୀ ଭାବେ ନିଜ ପେସାରେ ନୈତିକତା, ମୌଳିକତା ଓ ମୂଲ୍ୟବୋଧ ବଜାୟ ରଖି ରାଜ୍ୟ ତଥା ଦେଶର ସମୃଦ୍ଧିରେ ଭାଗୀଦାର ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଡ. ପାତ୍ର ପରାମର୍ଶ ଦେଇଥିଲେ ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜିମୂତ ମଙ୍ଗରାଜ, ଫଟୋ ସାମ୍ବାଦିକ ଅଭିମନ୍ୟୁ ମହାରଣା ଓ ଅଧ୍ୟା ପିକା ସ୍ୱରୂପିକା ସାମନ୍ତରାୟ, ଅଧ୍ୟାପିକା ବବିତା ପଣ୍ଡା, ଗୀତାଞ୍ଜଳି ଜେନା ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଏହି ଛାତ୍ରଛାତ୍ରୀମାନେ ବିଧାନସଭା ପରିଦର୍ଶନ କରିଥିଲେ ।