ପାଣି ଭିତରେ ବୁଡ଼ି ଯୋଗ କରୁଛନ୍ତି ବାଲେଶ୍ୱରର ଯୁବକ  ହରିଚନ୍ଦନ ଦାସ

ଓଡ଼ିଶା ତାଜା ନ୍ୟୁଜ୍ (୧୮ ଏପ୍ରିଲ ରବିବାର ) ରେମୁଣା :- ପାଣି ଭିତରେ ବୁଡ଼ି ଯୋଗ କରୁଛନ୍ତି ବାଲେଶ୍ୱରର ଯୁବକ; ତାଙ୍କୁ ଦେଖି ସଭିଏଁ ଚକିତ l ୨୩ ବର୍ଷୀୟ ହରିଚନ୍ଦନ ଦାସ ୧୨ ବର୍ଷ ବୟସରୁ ଯୋଗଭ୍ୟାସ ଆରମ୍ଭ କରି ଦେଇଥିଲେ । କିଛି ଦିନ ହେବ ସେ ଗାଁ ନିକଟରେ ଥିବା ସ୍ୱର୍ଣ୍ଣ ନଦୀର ଜଳ ଭିତରେ ବୁଡ଼ି ଯୋଗଭ୍ୟାସ କରୁଛନ୍ତି ଓ ଗାଁର ପିଲାଙ୍କୁ ମାଗଣାରେ ଯୋଗ ଶିକ୍ଷା ଦେଉଛନ୍ତି । ସୁସ୍ଥ ରହିବା ଓ ସୁଗଠିତ ଶରୀର ପାଇବା ପାଇଁ ଯୁବ ପିଢ଼ିର ଏକ ସଚେତନ ବର୍ଗ ଜିମ୍‌ ଯାଉଥିବା ବେଳେ ବାଲେଶ୍ୱର ଜିଲ୍ଲାର ଜଣେ ଯୁବକ ଯୋଗ ଅଭ୍ୟାସ ଦ୍ୱାରା ନିରୋଗ ରହିବା ସହିତ ଆଖପାଖର ସାନ ସାନ ପିଲାଙ୍କୁ ଯୋଗ ଶିକ୍ଷା ଦେଉଛନ୍ତି । ଏହି ୨୩ ବର୍ଷୀୟ ଯୁବକ ପାଣିରେ ବୁଡ଼ି ଯୋଗଭ୍ୟାସ କରୁଥିବା ଜାଣି ଲୋକେ ଆଶ୍ଚର୍ଯ୍ୟ ହେବା ସହ ତାଙ୍କୁ ଭୂରିଭୂରି ପ୍ରଶଂସା କରୁଛନ୍ତି । ରେମୁଣା ବ୍ଲକ ପତ୍ରିପାଳ ପଞ୍ଚାୟତର ହାତିଆଗଣ୍ଡ ଗାଁର ଯୁବକ ହରିଚନ୍ଦନ ଦାସ ପୋଖରୀର ପାଣିରେ ବୁଡ଼ି ଯୋଗଭ୍ୟାସ କରୁଥିବା ଦେଖିବା ପାଇଁ ପୋଖରୀ ତୋଟାରେ ଭିଡ଼ ଜମେ । ଅଣ୍ଟାଏ ପାଣିରେ ନିଜ ମୁଣ୍ଡକୁ ପାଣି ଭିତରେ ରଖି ହରିଚନ୍ଦନ ଯୋଗଭ୍ୟାସ କରନ୍ତି । ପାଣି ଭିତରେ ବୁଡ଼ି ସେ ସୁନ୍ଦର ଭାବରେ ଶୀର୍ଷସନ କରନ୍ତି । ସେହିପରି ଜଳ ନମସ୍କାର, ଗରୁଡ଼ାସନ, ଗୋମୁଖାସନ ଓ ଜଳ ପଦ୍ମାସନ ଆଦି ସେ ଅତି ସୁନ୍ଦର ଭାବରେ କରନ୍ତି । ‘‘ପାଣି ଭିତରେ ଆସନ କରିବା ଦ୍ୱାରା ପ୍ରଥମତଃ ନିଶ୍ୱାସ ପ୍ରଶ୍ୱାସ ଉପରେ ନିଜର ନିୟନ୍ତ୍ରଣ ବଢ଼ିଥାଏ ।

ଯୋଗ ଦ୍ୱାରା ଶରୀର ଓ ମନ ନିରୋଗ ରହିବା ସହ ଆୟୁ ବୃଦ୍ଧି ହୋଇଥାଏ । ଦ୍ଵିତୀୟରେ ଜଳ ଭିତରେ ବୁଡ଼ି ରହିବା ଦ୍ୱାରା ବାହାର ଶବ୍ଦରୁ ନିସ୍ତାର ମିଳିଥାଏ । ମୋ’ର ଇଚ୍ଛା ଯେ ପ୍ରତି ଘରେ ଲୋକେ ଯୋଗଭ୍ୟାସ କରନ୍ତୁ ଓ ନିଜକୁ ସୁସ୍ଥ ରଖନ୍ତୁ,’’ କହିଛନ୍ତି ହରିଚନ୍ଦନ । ହରିଚନ୍ଦନଙ୍କୁ ମାତ୍ର ୧୨ ବର୍ଷ ହୋଇଥିବା ସମୟରୁ ସେ ଯୋଗଭ୍ୟାସ ଆରମ୍ଭ କରିଦେଇଥିଲେ । ଏହି କିଛି ଦିନ ହେବ ନିକଟରେ ଥିବା ସ୍ୱର୍ଣ୍ଣ ନଦୀର ଜଳ ଭିତରେ ବୁଡ଼ି ସେ ଯୋଗଭ୍ୟାସ ଆରମ୍ଭ କରିଛନ୍ତି । ସେ ଏକା ନୁହେଁ, ବରଂ ଗାଁର ଛୋଟ ଛୋଟ ପିଲାଙ୍କୁ ମଧ୍ୟ ଯୋଗ ଶିକ୍ଷା ଦେଉଛନ୍ତି । ପ୍ରତ୍ୟେକ ଦିନ ନଈ ପଠାରେ ପିଲାମାନଙ୍କୁ ମାଗଣାରେ ଯୋଗ ଶିଖାଉଛନ୍ତି ସେ । ‘‘ସମସ୍ତେ କେମିତି ନିରୋଗ ରହିପାରିବେ ତାହା ସୁନିଶ୍ଚିତ କରାଇବା ମୋ’ ଇଚ୍ଛା । ମୋତେ ଯଦି ସରକାରୀ ସ୍ତରରେ କିଛି ସୁବିଧା ମିଳନ୍ତା ତାହେଲେ ମୁଁ ମୋ’ ଅଞ୍ଚଳରେ ସମସ୍ତଙ୍କୁ ମାଗଣାରେ ଯୋଗ ଶିକ୍ଷା ଦେଇପାରନ୍ତି,’’ କହିଛନ୍ତି ହରିଚନ୍ଦନ l ଗ୍ରାମବାସୀମାନେ ମଧ୍ୟ କୌଣସି ସଙ୍ଗଠନ ଦ୍ୱାରା ବା ସରକରୀ ସ୍ତରରେ ହରିଚନ୍ଦନଙ୍କ ଯୋଗ ଶିକ୍ଷା ପାଇଁ ବ୍ୟବସ୍ଥା କରାଯାଉ ବୋଲି ଆଶା ବ୍ୟକ୍ତ କରିଛନ୍ତି । ତାହା ହେଲେ ଅନେକ ଲୋକ ଉପକୃତ ହୋଇପାରିବେ ବୋଲି କହିଛନ୍ତି ସେମାନେ । ‘‘ହରିଚନ୍ଦନର ପିଲା ବେଳୁ ଯୋଗ ପ୍ରତି ଥିବା ଆକର୍ଷଣ ବାରି ହୋଇ ପଡୁଥିଲା । ଏବେ ସେ ପାଣିରେ ବୁଡ଼ି ଯୋଗ କରୁଛି, ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି । ଆମର ଇଚ୍ଛା ସେ ଜଣେ ଭଲ ଯୋଗ ଗୁରୁ ହେବା ସହିତ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେଉ,’’ କହିଛନ୍ତି ସ୍ଥାନୀୟ ବାସିନ୍ଦା ବିଜୟ କୁମାର ଦାସ । ଯୋଗ ଶିକ୍ଷା ମଣିଷର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ । ଜଳ ଭିତରେ ବିଭିନ୍ନ ଆସନ କରି ଚର୍ଚ୍ଚାର ବିଷୟ ପାଲଟିଥିବା ହରିଚନ୍ଦନ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜୁଛନ୍ତି  (ଦୀପ୍ତିମାନ ପତି, ବାଲେଶ୍ୱର )