No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୬ ଏପ୍ରିଲ ଶୁକ୍ରବାର ) ଭୁବନେଶ୍ୱର :- କରୋନା ସଂକ୍ରମଣକୁ ରୋକିବା ଲାଗି ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଜାରି ହେଲାଣି। ପଶ୍ଚିମ ଓଡ଼ିଶାର ଛତିଶଗଡ଼ ସଂଲଗ୍ନ ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟ୍ଡାଉନ୍ ମଧ୍ୟ ହେଲାଣି। କିନ୍ତୁ କରୋନାର ମାରାତ୍ମକ ଭୂତାଣୁ ଧରି ବସ୍ରେ ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ଉପରେ କାହାର ନଜର ନାହିଁ। ନା ସେମାନଙ୍କର କରୋନା ପରୀକ୍ଷା ହେଉଛି ନା ସେମାନଙ୍କୁ ସଂଗରୋଧରେ ରଖାଯାଉଛି । କୋଲକାତାରୁ ରାଜଧାନୀକୁ ଦିନକୁ ପ୍ରାୟ ୧୦ରୁ ଅଧିକ ବସ୍ ଆସୁଛି, ରାଞ୍ଚିରୁ ୫ରୁ ଅଧିକ ବସ୍, ହାଇଦ୍ରାବାଦ ଓ ବିଶାଖାପାଟଣାରୁ ବି ୫ରୁ ଅଧିକ ବସ୍ ଭୁବନେଶ୍ବର ଆସୁଛି। ଛତିଶଗଡ଼ର ରାୟପୁର ଓ ବିଭିନ୍ନ ସହରରୁ ଭୁବନେଶ୍ବରକୁ ବସ୍ ସେବା ବନ୍ଦ ହୋଇଥିଲେ ବି ବାହାର ରାଜ୍ୟରୁ ପ୍ରାୟ ୨୦ଟି ବସ୍ ଦୈନିକ ଆସୁଛି। ଏଥିରେ ପ୍ରାୟ ୭୦୦ରୁ ୮୦୦ ଲୋକ ପ୍ରତିଦିନ ଆସୁଛନ୍ତି। କିନ୍ତୁ ଏହା ଉପରେ ବିଏମ୍ସିର ନିଘା ନାହିଁ। ବିମାନବନ୍ଦର ଓ ରେଳଷ୍ଟେସନ୍ରେ ଚେକିଂ, ଟେଷ୍ଟିଂ ଜୋରଦାର୍ ହେଉଥିଲେ ହେଁ ବରମୁଣ୍ଡା ବସଷ୍ଟାଣ୍ଡ ମୁକୁଳା ପଡ଼ିଛି।
ଏବେ ରାଜଧାନୀରେ ବାହାର ରାଜ୍ୟ ଫେରନ୍ତା ବହୁତ ଆକ୍ରାନ୍ତ ହେଲେଣି। କିନ୍ତୁ ବାହାର ରାଜ୍ୟରୁ ଆସୁଥିବା ସମସ୍ତ ଆକ୍ରାନ୍ତଙ୍କ ଉପରେ ଏ ପର୍ଯ୍ୟନ୍ତ ନଜର ରଖାଯାଇପାରିନି । ଫଳରେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପାଇଁ ଏକରକମ ବାଟ ଖୋଲି ଦିଆଯାଇଛି । ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ବିମାନ ଓ ଟ୍ରେନ୍ରେ ଆସିଲେ, ଆରଟିପିସିଆର୍ ନେଗେଟିଭ୍ ରିପୋର୍ଟ ଆଣିବା କିମ୍ବା କୋଭିଡ୍ ଟିକାର ଦ୍ବିତୀୟ ଡୋଜ୍ ସାର୍ଟିଫିକେଟ୍ ଦେଖାଇବା ବାଧ୍ୟତାମୂଳକ କରାଯାଇଥିବାରୁ ବହୁ ଲୋକ ଏବେ ଗଳା ବାଟ ଖୋଜୁଛନ୍ତି। ଆନ୍ଧ୍ରପ୍ରଦେଶ, ମହରାଷ୍ଟ୍ର, ପଶ୍ଚିମବଙ୍ଗ, ଆସାମ, ଦିଲ୍ଲୀ, କର୍ଣ୍ଣାଟକ ଆଦି ରାଜ୍ୟରେ କାମ କରୁଥିବା ଲୋକମାନେ ଏବେ ବସ୍ ଯୋଗେ ଭୁବନେଶ୍ବର ଆସୁଛନ୍ତି। ବିଶେଷକରି ବିଶାଖାପାଟଣା, କୋଲକତା ଭାୟା ହୋଇ ଲୋକମାନେ ବସ୍ରେ ଓଡ଼ିଶାରେ ପ୍ରବେଶ କରୁଛନ୍ତି ।
ବସ୍ରେ ଆସିବାବେଳେ ହେଉ କି ବସ୍ରେ ଓହ୍ଲାଇବା ପରେ କୌଣସି ସ୍ଥାନରେ କିଛି ବି ଯାଞ୍ଚ ହେଉନି। ତେଣୁ ଲୋକମାନେ ଏହାର ଫାଇଦା ଉଠାଉଛନ୍ତି । ଅନ୍ତଃରାଜ୍ୟ ବସ୍ରେ ଭୋର ଭୋର ଭୁବନେଶ୍ବରରେ ପହଞ୍ଚୁଥିବା ଯାତ୍ରୀମାନେ ଯାଞ୍ଚର ସମ୍ମୁଖୀନ ନ ହେବା ଲାଗି ବରୁମଣ୍ଡାରେ ନ ଓହ୍ଲାଇ ଖଣ୍ଡଗିରି କିମ୍ବା ବାଣୀବିହାର ଅାଦି ଛକରେ ଓହ୍ଲାଇ ପଡ଼ୁଛନ୍ତି। ବିଏମ୍ସି ପକ୍ଷରୁ ରେଳ ଷ୍ଟେସନ୍ ଓ ବିମାନବନ୍ଦରରେ ୮ରୁ ୧୦ଟି କାଉଣ୍ଟର୍ ଖୋଲା ଯାଇଛି, ଥର୍ମାଲ୍ ସ୍କ୍ରିନିଂ ହେଉଛି, ନାମ ପଞ୍ଜୀକରଣ ହେଉଛି, ଆଣ୍ଟିଜେନ୍ ଟେଷ୍ଟ ହେଉଛି। କିନ୍ତୁ ବରମୁଣ୍ଡା ବସଷ୍ଟାଣ୍ଡରେ ଯାତ୍ରୀଙ୍କର ଥର୍ମାଲ୍ ସ୍କ୍ରିନିଂ ବ୍ୟବସ୍ଥା ବି ନାହିଁ। ରାଜ୍ୟ ସରକାର କୋଭିଡ୍ କଟକଣା ଯେତେ କଡ଼ାକଡ଼ି କଲେ ବି ବସ୍ଷ୍ଟାଣ୍ଡରେ ନ ଜଗିଲେ ସବୁ ଫସର ଫାଟିଯିବ, ତାହା କେହି ବୁଝୁ ନାହାନ୍ତି ।(ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )
No Result
View All Result