No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ଏପ୍ରିଲ , ଗୁରୁବାର ) ଭୁବନେଶ୍ୱର :- ଭାରତୀୟ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ସୁଦୃଢ଼ କରିବା ପାଇଁ ଜନସାଧାରଣଙ୍କ ପ୍ରତିବଦ୍ଧତା ଏକାନ୍ତ ଆବଶ୍ୟକ । ଏଥି ସହିତ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ସେମାନଙ୍କର ନିର୍ଦ୍ଧାରିତ କର୍ତ୍ତବ୍ୟ ଓ ଦାୟିତ୍ୱଗୁଡ଼ିକୁ ସୁଚାରୁ ରୂପେ ପାଳନ କଲେ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ସୁଫଳ ଜନସାଧାରଣ ପାଇପାରିବେ ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଆଜି ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ମାଇଁ ସିଟି ଲିଙ୍କସ୍ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ ଜାତୀୟ ୱେବିନାର ରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ଭାରତ ଭଳି ଏକ ବହୁଭାଷା, ଜାତି, ଧର୍ମ, ବର୍ଣ୍ଣଭିତ୍ତିକ ବିଶାଳ ଭୂଖଣ୍ଡରେ ସମସ୍ତଙ୍କ ଅଧିକାରକୁ ଅକ୍ଷୁଣ୍ଣ ରଖିବା ଭଳି ଏକ ସମ୍ବିଧାନ ପ୍ରଣୟନ କରିବା ଦିଗରେ ଡ. ଆମ୍ବେଦକର ଅନେକ ଆହ୍ୱାନର ସମ୍ମୁଖୀନ ହୋଇଥିଲେ ହେଁ ସେ ସଫଳତାର ସହ ଯେଉଁ ସମ୍ବିଧାନ ପ୍ରସ୍ତୁତ କରିପାରିଥିଲେ ତାହାକୁ ଐତିହାସିକମାନେ ସର୍ବପ୍ରଥମେ ଏକ ସାମାଜିକ ଦଲିଲ ଭାବେ ଅଭିହିତ କରିଥିଲେ । ଭାରତୀୟ ସମ୍ବିଧାନର ଅଧିକାଂଶ ବ୍ୟବସ୍ଥା ଏକ ସାମାଜିକ ବିପ୍ଳବ ପାଇଁ ସିଧାସଳଖ ପ୍ରେରିତ ବୋଲି ଅନେକ ମତ ଦିଅନ୍ତି ବୋଲି ଶ୍ରୀ ସ୍ୱାଇଁ କହିଥିଲେ ।

ସମ୍ବିଧାନର ବିଧିବ୍ୟବସ୍ଥା ଦ୍ୱାରା ଗଠିତ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ସ୍ୱାତନ୍ତ୍ର୍ୟ ବଜାୟ ରଖିବା ଦିଗରେ ସଚେତନତା ସୃଷ୍ଟି ହେବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତ ଦେଇଥିଲେ । ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀକୁ କେବଳ ଏକ ଉତ୍ସବ ଭାବେ ପାଳନ ନକରି ଆମର ସାମ୍ବିଧାନିକ ଅଧିକାରକୁ କିପରି ଭାବେ ଅକ୍ଷୁଣ୍ଣ ରଖିପାରିବା ଓ ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ଆହୁରି ସୁଦୃଢ଼ କରିପାରିବା, ସେ ଦିଗରେ ତର୍କ ବିତର୍କର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଭାରତର ପଡ଼ୋଶୀ ଦେଶ ସମେତ ବିଶ୍ୱର କିଛି ରାଷ୍ଟ୍ରରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ୁଥିବାବେଳେ ସମ୍ବିଧାନର ବିଧିବ୍ୟବସ୍ଥା ଅନୁଯାୟୀ ଗଠିତ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ବିଭିନ୍ନ ସମୟରେ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହୋଇ ମଧ୍ୟ ଭାରତର ଗଣତନ୍ତ୍ରକୁ ସୁଦୃଢ଼ କରିପାରିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।

ଆଲୋଚନା ଚକ୍ରରେ ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକ ଯୋଗଦେଇ କହିଲେ ଯେ ଡ. ଆମ୍ବେଦକରଙ୍କ ଦ୍ୱାରା ଭାରତୀୟ ସମ୍ବିଧାନରେ ଦେଶ ତଥା ରାଜ୍ୟ ଶାସନ ନିମନ୍ତେ ବିଧିବ୍ୟବସ୍ଥା ନିର୍ଦ୍ଧାରିତ କରାଯାଇଛି । ଏବଂ ସାମ୍ବିଧାନିକ ସଂସ୍ଥାମାନେ ହିଁ ବହୁ କଷ୍ଟଲବ୍ଧ ସ୍ୱାଧୀନତା ଓ ଗଣତନ୍ତ୍ରକୁ ନିରନ୍ତର ଭାବେ ବଞ୍ଚେଇ ରଖିବାରେ ସଫଳ ହୋଇଛନ୍ତି । ୱେବିନାର ରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ପୋଲିସ ହାଉସିଂ ଏବଂ ୱେଲ୍ଫେୟାର କର୍ପୋରେସନ୍ର ସିଏମ୍ଡି ଡ. ସୁଧାଂଶୁ ଷଡଙ୍ଗୀଙ୍କ ସମେତ ଅବସରପ୍ରାପ୍ତ ପ୍ର୍ରଫେସର ପ୍ରତାପ କୁମାର ରଥ ଏବଂ ଭୋପାଳସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ତପନ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ସମ୍ମୁଖରେ ଥିବା ବିଭିନ୍ନ ଆହ୍ୱାନ ସଂପର୍କରେ ବିଶଦ ଭାବରେ ଆଲୋଚନା କରିବା ସହିତ ଏହାକୁ କିପରି ଅଧିକ ଫଳପ୍ରଦ କରାଯାଇପାରିବ ସେ ସଂପର୍କରେ ମତପୋଷଣ କରିଥିଲେ । ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ଦିଗରେ ଜନସାଧାରଣଙ୍କୁ ଅଧିକ ସଚେତନ ହେବାକୁ ପଡ଼ିବ ବୋଲି ମତ ଦେଇଥିଲେ । ଏଥି ସହିତ ମାନବିକ ଅଧିକାର ପ୍ରସଙ୍ଗରେ ଲୋକମାନଙ୍କୁ ଅଧିକ ସଚେତନ ଏବଂ ଗଣତାନ୍ତ୍ରିକ ପଦ୍ଧତିରେ ନାଗରିକମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ପ୍ରତି ସଚେତନ ହେବାକୁ ପଡ଼ିବ ବୋଲି ମତବ୍ୟକ୍ତ କରିଥିଲେ । ଜାତୀୟ ସ୍ତରରେ ଏହି େୱବିନାର୍ରେ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍, ଛାତ୍ରଛାତ୍ରୀ, ସାମ୍ବାଦିକ ଏବଂ ସିଭିଲ୍ ସୋସାଇଟିର କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।
No Result
View All Result