No Result
View All Result
ଓଡ଼ିଶା ତାଜା ନିୟୁଜ୍ (୧୪ ଏପ୍ରିଲ୍ ବୁଧବାର) ଭୁବନ : – ଢେଙ୍କାନାଳ ଜିଲା ଭୁବନ ଏନ୍ଏସିର ୧୫ଟି ଓ୍ବାର୍ଡରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଏଠାରେ ଥିବା କୂଅ, ପୋଖରୀଗୁଡ଼ିକ ଶୁଖି ଚାଲିଥିବାବେଳେ ୫ଟି ଓ୍ବାର୍ଡବାସୀ ଜଳ ସଙ୍କଟର ସମ୍ମୁଖୀନ ହେଲେଣି। ଏନ୍ଏସିର ୨୫ ହଜାର ଲୋକଙ୍କ ପାଇଁ ଯେତିକି ଜଳ ଆବଶ୍ୟକ ତାହାଠାରୁ ଜନସ୍ବାସ୍ଥ୍ୟ ବିଭାଗ କମ୍ ସଂଗ୍ରହ କରୁଥିବାରୁ ଆଗାମୀ ଦିନରେ ଜଳ ସଙ୍କଟ ନେଇ ଏନ୍ଏସି ବାସିନ୍ଦା ଚିନ୍ତିତ ହୋଇପଡ଼ିଛନ୍ତି । ଏନ୍ଏସିର ୧୫ଟି ଓ୍ବାର୍ଡରେ ୧୨୧ ନଳକୂପ, ୫୭ ଖୋଲା କୂଅ, ୧୧ଟି ପୋଖରୀ ଥିବାବେଳେ ପାଇପ୍ ପାଣି ପାଇଁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୯୭ଟି ଷ୍ଟାଣ୍ଡ ପୋଷ୍ଟ ବ୍ୟବସ୍ଥା କରାଯାଇଛି । ଏନ୍ଏସି ବାସିନ୍ଦାଙ୍କ ପାଇଁ ମୋଟ୍ ୦୩.୦୧ ମିଲିୟନ ପାନୀୟ ଜଳ ଆବଶ୍ୟକ ପଡୁଥିବା ବେଳେ ଜନସ୍ବାସ୍ଥ୍ୟ ବିଭାଗ ଦୈନିକ ୦୨.୦୫ ମିଲିୟନ ପାନୀୟ ଜଳ ବ୍ରହ୍ମଣୀ ନଦୀର ଶାଖା ରଙ୍ଗମାଟିଆ ନାଳ ନିକଟରୁ ସଂଗ୍ରହ କରୁଛି ।
ଏନ୍ଏସିର ଉତ୍ତର ଓ ପୂର୍ବ ଦିଗରେ ରେଙ୍ଗାଳି ଜଳସେଚନ ପ୍ରକଳ୍ପ ଆରମ୍ଭ ହେବା ଓ ବ୍ରାହ୍ମଣୀ ନଦୀ କୂଳରେ ମାଳବନ୍ଦ ନିର୍ମାଣ ଦ୍ୱାରା ଅଞ୍ଚଳକୁ ନଦୀ ଜଳ ଓ ବନ୍ୟାଜଳ ଆସିବାରେ ପ୍ରତିବନ୍ଧକ ସାଜିଛି । ଏହି କାରଣରୁ ଜଳସ୍ତର ହ୍ରାସ ପାଉଥିବାରୁ ଆବଶ୍ୟକ ପାଣି ସଂଗ୍ରହ କରାଯାଇପାରୁ ନାହିଁ। ଏଥିସହ ଖୋଲା କୂଅ, ନଳକୂପ ଓ ପୋଖରୀ ମଧ୍ୟ ଶୁଖିବାକୁ ଲାଗିଲାଣି । ଏନ୍ଏସିର ୨, ୩, ୮, ୧୪ ଓ ୧୫ନଂ ଓ୍ବାର୍ଡବାସୀ ଜଳସଙ୍କଟର ସମ୍ମୁଖୀନ ମଧ୍ୟ ହେଲେଣି । ୨ ଓ ୩ ନଂ. ଓ୍ବାର୍ଡବାସୀଙ୍କ ନିମନ୍ତେ ଗୋଡ଼ିପାଟଣାରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ସରିଥିବା ବେଳେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଟ୍ରାନ୍ସଫର୍ମର ଲଗାଯାଇଛି। କିନ୍ତୁ ସଂଯୋଗ ଦିଆଯାଇ ନ ଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ଫଳରେ ଏଠାକାର ବାସିନ୍ଦା ପାଣି ପାଇବାର ସମସ୍ୟା ଉପୁଜିଛି ।
ଜଳସ୍ତର ହ୍ରାସ କାରଣରୁ ଦିନକୁ ଦିନ ସମସ୍ୟା ବଢୁଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେଉନାହିଁ । ତେଣୁ ଆଗାମୀ ଦିନରେ ଜଳ ସମସ୍ୟା ନେଇ ଆନ୍ଦୋଳନ ତୀବ୍ରତର ହେବା ବୋଲି ଏନ୍ଏସି ବାସିନ୍ଦା ଚେତାବନୀ ଦେଇଛନ୍ତି । ସମସ୍ୟା ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ କହିଛନ୍ତି, ଅଞ୍ଚଳରେ ଚଳିତବର୍ଷ ଜଳ ସଙ୍କଟ ଦେଖା ଦେବା ଆଶଙ୍କା ରହିଛି । ଜଳସ୍ତର କମିବା ସାଙ୍ଗକୁ ଆବଶ୍ୟକ ଠାରୁ କମ୍ ପାନୀୟ ଜଳ ସଂଗ୍ରହ କରାଯାଉଛି। ଏକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ସହ ଅଞ୍ଚଳବାସୀ ସହଯୋଗ କଲେ ସମସ୍ୟା ଦୂର ହୋଇପାରିବ । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)
No Result
View All Result