ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ନିବାସୀ ରେଳ କର୍ମଚାରୀ ରମଣ ରଜକ ଙ୍କ ଠାରୁ – ବ୍ରଜରାଜନଗର ପୁଲିସ ୫୭ ହଜାରର ଜାଲ ନୋଟ୍‌ ଜବତ

ଓଡ଼ିଶା ତାଜା ନ୍ୟୁଜ୍ (୧୪ ଏପ୍ରିଲ ବୁଧବାର ) ବ୍ରଜରାଜନଗର :- ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ନିବାସୀ ରେଳ କର୍ମଚାରୀ ରମଣ ରଜକ (୩୨)ଙ୍କ ଠାରୁ ବ୍ରଜରାଜନଗର ପୁଲିସ ୫୭ ହଜାରର ଜାଲ ନୋଟ୍‌ ଜବତ କରିଛି ।  ରମଣ ଦକ୍ଷିଣ ପୂର୍ବ ମଧ୍ୟ ରେଲ୍‌ୱେ ବିଳାସପୁର ଡିଭିଜନ ଅଧୀନରେ ବ୍ରଜରାଜନଗର ଷ୍ଟେସନ୍‌ରେ ବାଣିଜ୍ୟ ସହ ଆରକ୍ଷଣ କିରାଣି ଭାବେ କାର୍ଯ୍ୟରତ। ସେ ମଧ୍ୟପ୍ରଦେଶ ସହଡୋଲର ମୂଳ ନିବାସୀ ହୋଇଥିବାବେଳେ ଏଠାରେ ଚାନ୍ଦିନୀଚୌକରେ ଭଡ଼ାରେ ରହୁଥିବା ଝାରସୁଗୁଡା ଏସ୍‌ପି ବିକାଶ ଦାସ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏ ନେଇ ବ୍ରଜରାଜନଗର ଥାନା କେସ୍‌ ନମ୍ବର ୧୦୩ରେ ଏକ ମାମଲା ରୁଜୁ କରାଯିବା ସହିତ ଧାରା ୪୮୯ ଏବିସିରେ ତାଙ୍କୁ ଗିରଫ କରାଯାଇଥିବା ଶ୍ରୀ ଦାସ କହିଛନ୍ତି।

ସୋମବାର ରାତିରେ ପୁଲିସ କୌଣସି ସୂତ୍ରରୁ ଖବରପାଇ ଏସ୍‌ଡିପିଓ ଦିଲ୍ଲୀପ ଦାସଙ୍କ ନେତୃତ୍ୱରେ ବ୍ରଜରାଜନଗର ଆଇଆଇସି ନଳିତା ମୋଦୀ, ଏସ୍‌ଆଇ ପ୍ରଦ୍ୟୁମ୍ନ ସ୍ୱାଇଁ ପୁଲିସ ଫୋର୍ସ ସହିତ ରମଣ ରହୁଥିବା ଘର ଉପରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଘରୁ ଏକ କଳା ରଙ୍ଗର ବ୍ୟାଗରେ ୧୧୪ ଟି ୫୦୦ ଟଙ୍କିଆ ନକଲି ନୋଟ୍‌ ଜବତ କରାଯାଇଥିଲା । ନୋଟ୍‌ଗୁଡ଼ିକ ମଧ୍ୟରେ ୫୭ ଖଣ୍ଡ ୫ପିବି୪୧୭୭୮୪ ଓ ୫୭ ଖଣ୍ଡ ନୋଟ୍‌ ୮ଟିଏନ୍‌ ୧୫୭୨୧୦ ନମ୍ବର ବିଶିଷ୍ଟ ୫୦୦ ଟଙ୍କିଆ ନୋଟ୍‌ ଥିଲା । ଏହି ନୋଟ୍‌ ସେ ବିଳାସପୁର ଦୁର୍ଗରେ ରହୁଥିବା ତାଙ୍କ ସମ୍ପର୍କୀୟ ଭାଇଙ୍କଠାରୁ ୨୦ ହଜାର ଟଙ୍କା ବିନିମୟରେ ଆଣିଥିବା ପ୍ରକାଶ କରିଛନ୍ତି ।

ରମଣ ତାଙ୍କ ବାପାଙ୍କ ଜାଗାରେ ଚାକିରି କରୁଛନ୍ତି। ସେ ଅଧିକ ଋଣ କରିଥିବାରୁ ପରିଶୋଧ ଆଶାରେ ଏଭଳି ଉପାୟ ଅବଲମ୍ବନ କରିଥିବା ପୁଲିସକୁ କହିଥିବା ଏସ୍‌ପି ଶ୍ରୀ ଦାସ କହିଛନ୍ତି। ଏହି ରାକେଟ୍‌ର ଚେର ବିଳାସପୁରରୁ ରାୟପୁର ପର୍ଯ୍ୟନ୍ତ ଲମ୍ବିଥିବା ପୁଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ଏସ୍‌ପିଙ୍କ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ଦିଲ୍ଲୀପ ଦାସ, ଆଇଆଇସି ନଳିତା ମୋଦୀ ଉପସ୍ଥିତ ଥିଲେ। ରମଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଏହି ରାକେଟ୍‌ରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ପ୍ରୟାସ ଚାଲିଥିବା ସେ କହିଛନ୍ତି (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )