No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ଏପ୍ରିଲ ସୋମବାର ) ବିନିକା :- ଦା’ରେ କଲେଜ ଛାତ୍ରୀଙ୍କୁ ଆକ୍ରମଣ କଲା ଅଜଣା ଯୁବକ । ଫଳରେ ଛାତ୍ରୀଙ୍କ ବେକରେ ଗଭୀର କ୍ଷତ ହୋଇଥିବା ବେଳେ ହାତର ୪ଟି ଆଙ୍ଗୁଠି କଟି ଯାଇଛି । ଏପରି ଅଭିଯୋଗ ସୁବର୍ଣ୍ଣପୁର ଜିଲ୍ଲାରୁ ଆସିଛି । ଛାତ୍ରୀଙ୍କ ମାମୁଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପୂରା ଘଟଣାଟି ଏମିତି। ଗତ ଶନିବାର ରାମପୁର ମହିଳାର କଲେଜର ଯୁକ୍ତ ୨ ବିଜ୍ଞାନ ଦ୍ୱିତୀୟ ବର୍ଷର ଜଣେ ଛାତ୍ରୀ ଘରକୁ ସାଇକେଲ୍ରେ ଫେରୁଥିଲେ। ଏହି ସମୟରେ ଜଣେ ଯୁବକ ତାଙ୍କୁ ରାସ୍ତାରେ ଏକୁଟିଆ ପାଇ ଟଣାଓଟରା କରିଥିଲା। ଛାତ୍ରୀ ଜଣକ ବିରୋଧ କରିବାରୁ ଧାନ କଟା ଦା’ରେ ତାଙ୍କ ବେକରେ ଚୋଟ ପକାଇଥିଲା ।
ପରେ ଆଉ ଥରେ ହାଣିବାକୁ ଉଦ୍ୟମ କଲା ବେଳେ ଛାତ୍ରୀ ଜଣକ ହାତରେ ଦା’ ଧରି ପକାଇଥିଲେ । ଫଳରେ ତାଙ୍କ ହାତର ୪ଟି ଆଙ୍ଗୁଠି କଟି ଯାଇଛି। ଆକ୍ରମଣ ପରେ ଯୁବକ ଜଣକ ଫେରାର ହୋଇଯାଇଥିଲା। ଛାତ୍ରୀ ରକ୍ତ ଜୁଡୁବୁଡୁ ହୋଇ ଆସୁଥିବା ଦେଖି ଟାଙ୍ଗରକାର୍ଲେ ଗାଁ ଲୋକେ ତାକୁ ଉଦ୍ଧାର କରି ପ୍ରଥମେ ରାମପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ I ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ପରିବାର ଲୋକେ ମେଡିକାଲ୍ରେ ପହଞ୍ଚିଥିଲେ। ସେତେବେଳକୁ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ସେ ବୁର୍ଲାରେ ଚିକିତ୍ସାଧୀନ ଅଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଆକ୍ରମଣ କରିଥିବା ଯୁବକ ଜଣଙ୍କ ପରିଚୟ ଜଣାପଡ଼ି ନାହିଁ। ଛାତ୍ରୀଙ୍କ ମାମୁଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପତ୍ତା ପାଇନାହିଁ ପୁଲିସ। (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )
No Result
View All Result