No Result
View All Result
ଫଟୋରେ ହାଇଦର ହସ୍ପିଟାଲ୍ ବେଡ୍ରେ ବସିଥିବା ନଜର ଆସିଛି
ଓଡ଼ିଶା ତାଜା ନ୍ୟୁଜ୍ (୧୨ ଏପ୍ରିଲ ସୋମବାର ) ଭୁବନେଶ୍ୱର :- ଫେରାର ହେବାକୁ ୩୬ ଘଣ୍ଟା ବିତି ସାରିଥିଲେ ମଧ୍ୟ ତା’ର ପତ୍ତା ପାଇନି କମିଶନରେଟ୍ ପୁଲିସ୍ । ସେପଟେ କଟକ ବଡ଼ ମେଡିକାଲ୍ରୁ ଆସିଛି ହାଇଦର ଫେରାର ପୂର୍ବର ଫଟୋ । ଫଟୋରେ ହାଇଦର ହସ୍ପିଟାଲ୍ ବେଡ୍ରେ ବସିଥିବା ନଜର ଆସିଛି । ଗତ ଶନିବାର ଏସ୍ସିବି ମେଡିକାଲ୍ରେ ସୁରକ୍ଷା କର୍ମୀଙ୍କୁ ଚକ୍ମା ଦେଇ ଫେରାର ହୋଇଯାଇଥିଲା ହାଇଦର । ତାକୁ ଗିରଫ କରିବା ପାଇଁ କମିଶନରେଟ୍ ପୁଲିସ କଟକ ଜିଲ୍ଲାର ସୀମାକୁ ସିଲ୍ କରି ରାତି ତମାମ ଖାନତଲାସୀ କରିଥିଲା । ହେଲେ ହାଇଦରକୁ ଧରିବାରେ ବିଫଳ ହୋଇଥିଲା । ହାଇଦରକୁ ଧରିବା ପାଇଁ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ପୁଲିସର ଯୋଗାଯୋଗରେ ଓଡ଼ିଶା ପୁଲିସ । ଏହାଛଡ଼ା ରେଳ ଷ୍ଟେସନରେ ଯାତ୍ରୀଙ୍କୁ ହାଇଦର ଫଟୋ ଦେଖାଇ ଅବଗତ କରାଯାଇଛି । ସେପଟେ ହାଇଦର ଫେରାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ସୁରକ୍ଷା ଦାୟିତ୍ୱରେ ଥିବା ୬ ପୁଲିସ କର୍ମଚାରୀକୁ ସସପେଣ୍ଡ କରାଯାଇଛି । ବିଭାଗୀୟ ତଦନ୍ତ ପରେ ହାବିଲଦାର ରମେଶ ଚନ୍ଦ୍ର ଦେହୁରୀ, କନଷ୍ଟେବଲ ବୁଲବୁଲ୍ ସାହୁ, କନଷ୍ଟେବଲ ଦୀପକ ସାହୁ, ମହମ୍ମଦ ମୌସିମ୍, ଉମାକାନ୍ତ ବେହେରା ଓ ସୁଧାଂଶୁ ମାଝୀଙ୍କୁ ସସପେଣ୍ଡ କରାଯାଇଛି ।
ଅନ୍ୟପକ୍ଷରେ ଆଜି ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ସଲ୍ଲୁ ଓରଫ ୟାକୁବ ଆତ୍ମସମର୍ପଣ କରିଛି । କଟକ ଚାଉଳିଆଗଞ୍ଜ ଥାନାରେ ସେ ଆତ୍ମସମର୍ପଣ କରିଛି । SCBରେ ହାଇଦରକୁ ବିରିୟାନୀ ଦେଇଥିଲା ୟାକୁବ । ଆତ୍ମସମର୍ପଣ ପରେ ପୁଲିସକୁ ସହଯୋଗ କରିବ ବୋଲି ୟାକୁବ କହିଛି । ହାଇଦର ଫେରାର ଘଟଣାରେ ଜେଲ ଡିଆଇଜି ଶୁଭକାନ୍ତ ମିଶ୍ର କହିଛନ୍ତି-“ପୁଲିସକୁ ତଦନ୍ତରେ ସମସ୍ତ ସହଯୋଗ କରୁଛୁ । ଜେଲ୍ ବିଭାଗ ପକ୍ଷରୁ କୌଣସି ତ୍ରୁଟି ଥିଲେ କାର୍ଯ୍ୟାନୁଷ୍ଠାନ ହେବ । ଅବହେଳା କିମ୍ବା ଷଡ଼ଯନ୍ତ୍ର ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତଦନ୍ତ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।” ଗ୍ୟାଙ୍ଗଷ୍ଟର ହାଇଦର ଏକାଧିକ ଅପରାଧିକ ମାମଲାରେ ସମ୍ପୃକ୍ତ ଥିଲା । ୨୦୦୭ ମସିହା ମେ’ ୨୭ ତାରିଖରେ ସେ ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ରଙ୍କୁ ହତ୍ୟା କରିଥିଲା । ଏହି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲା । କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ର ଭୁବନେଶ୍ୱର ସହିଦ ନଗର ଆସିଥିବା ବେଳେ ତାଙ୍କୁ ଅପହରଣ କରାଯାଇ ହତ୍ୟା କରାଯାଇଥିଲା ।(ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )
No Result
View All Result