ଆଦିବାସୀ ଯୁବକଙ୍କର ନିଆରା ପ୍ରୟାସ : ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ତିଆରି କରିଛନ୍ତି

ଓଡ଼ିଶା ତାଜା ନ୍ୟୁଜ (୧୧ ଅପ୍ରେଲ ରବିବାର) ଆନନ୍ଦପୁର :- ଆଦିବାସୀ ଯୁବକଙ୍କର ନିଆରା ପ୍ରୟାସ । ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ତିଆରି କରିଛନ୍ତି ଦେଶୀ ଇନକ୍ୟୁବେଟର୍ ମେସିନ୍ । ଯେଉଁଥିରେ ଅଣ୍ଡା ଫୁଟାଇବା ଠାରୁ ଆରମ୍ଭ କରି କୁକୁଡା ଚିଆଁ ବଢିବା ପର୍ଯ୍ୟନ୍ତ ବ୍ୟବସ୍ଥା ରହିଛି । ଲକଡାଉନ୍ ସମୟରେ ଚାକିରୀ ହରାଇଥିବା ଗରିବ ଘରର ଯୁବକ ଆଗକୁ ଜଣେ ଶିଳ୍ପଦ୍ୟୋଗୀ ହେବାର ଆଶା ରଖିଛନ୍ତି । ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକର ନାନୀକାବାହାଳି ଗାଁ । ଗାଁର ଆଦିବାସୀ ଯୁବକ ଦର୍ଶନ ମୁଣ୍ଡା । ଆଦିବାସୀ ଘରର ପିଲା ହୋଇ ବି ତାଙ୍କର ଚିନ୍ତାଧାରା ଉନ୍ନତ । ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ତିଆରି କରିଛନ୍ତି ଏକ ଦେଶୀ ଇନକ୍ୟୁବେଟର୍ ମେସିନ୍ ।

ସୋଲରେ ତିଆରି ଏହି ଇନକ୍ୟୁବେଟର୍ ମେସିନର ତଳେ ରହିଛି ପାଣି । ଉପରେ ଅଛି ଅଣ୍ଡା ରଖିବା ପାଇଁ ଟ୍ରେ । ଭିତର ତାପମାତ୍ରାକୁ ସୁପରିଚାଳିତ କରିବା ପାଇଁ ଖଞ୍ଜା ଯାଇଛି ସ୍ୱୟଂଚାଳିତ କଣ୍ଟ୍ରୋଲର୍ । ୨ଟି ଇଲେକ୍ଟ୍ରିକ୍ ବଲ୍ବ ଦ୍ୱାରା ଅଣ୍ଡାକୁ ଉପଯୁକ୍ତ ତାପମାତ୍ରା ମିଳୁଥିବା ବେଳେ, ୨୧ଦିନ ପରେ ଆପେ ଆପେ ଅଣ୍ଡାରୁ ଚିଆଁ ବାହାରୁଛି । ଏହାପରେ ମା ନଥିବା ଚିଆଁ ଗୁଡ଼ିକୁ ଅନ୍ୟ ୨ଟି ମେସିନରେ ବଞ୍ଚିବା ଓ ବଢିବା ପାଇଁ ମିଳେ ପରିବେଶ । ସେଠାରେ ଉପଯୁକ୍ତ ତାପମାତ୍ରା ସହିତ ସେ ଚିଆଁମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଏ ।

କଳାରେ ଡିଗ୍ରୀ ପାସ୍ କରିଥିବା ଦର୍ଶନ ଲକଡାଉନ୍ ସମୟରେ ଚାକିରୀ ହରାଇଥିଲେ । କାମଧନ୍ଦା ହରାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଦେଶୀ କୁକୁଡ଼ା ପ୍ରତି ଆଗ୍ରହ ଥିବାରୁ କୁକୁଡ଼ା ଚାଷ କରିବାକୁ ମନ ବଳାଇଥିଲେ । ଏହାପରେ ସେ ୟୁଟ୍ୟୁବ ଦେଖି କୁକୁଡା ଚାଷ ଆରମ୍ଭ କରିଥିଲେ । ମାତ୍ର ୩ ହଜାର ଟଙ୍କା ଖର୍ଚ୍ଚ କରିବା ସହିତ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି କିଛି ପୁରୁଣା ସରଞ୍ଜାମ ମିଶାଇ ସେ ତିଆରି କରିଛନ୍ତି ଏହି ଇନକ୍ୟୁବେଟ୍ ମେସିନ୍ । ରୋଜଗାର ଭଲ ହେବା ସହ ଏହି ପ୍ରଣାଳୀରେ ଅଧିକ କୁକୁଡା ଛୁଆ ଉତ୍ପାଦନ କରି ଆଗକୁ ସେ ଜଣେ ସଫଳ କୁକୁଡା ଚାଷୀ ହେବାକୁ ଲକ୍ଷ୍ୟ ରଖିଛନ୍ତି । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)