No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଏପ୍ରିଲ ଶନିବାର ) ବରଗଡ ଜିଲ୍ଲା :- କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବରଗଡ ଜିଲ୍ଲା ଛତିଶଗଡ଼ ସୀମା ଉପରେ ତୀକ୍ଷ୍ଣ ନଜର ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଅମ୍ବାଭୋନା ବ୍ଳକ ରୁଚିଦାରେ ଥିବା ଚେକ୍ଗେଟ୍ରେ ପୁଲିସ ପକ୍ଷରୁ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବିଶେଷ କରି ମାସ୍କ ଯାଞ୍ଚ ସହ ଲୋକଙ୍କୁ କରୋନା ସଂପର୍କରେ ସଚେତନ କରାଯାଉଛି । ଶୁକ୍ରବାର ପୁଲିସ ପକ୍ଷରୁ ପ୍ରକାଶପୁର ବସଷ୍ଟାଣ୍ତ, ଭୁକ୍ତା ଡାକ୍ତରଖାନା ସମ୍ମୁଖରେ ଛତିଶଗଡ଼ରୁ ଆସୁଥିବା ଯାତ୍ରୀବାହୀ ବସ୍ଗୁଡ଼ିକରେ ଯାତ୍ରୀମାନଙ୍କୁ ଯାଞ୍ଚ କରାଯିବା ସହ ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା ।
କିନ୍ତୁ ଏହା ସତ୍ତ୍ବେ ମଧ୍ୟ ଛତିଶଗଡ ସୀମାକୁ ଲାଗି ଥିବାରୁ ଅନେକ ଗଳା ବାଟ ଦେଇ ଲୋକେ ଅନାୟାସରେ ଦୁଇ ରାଜ୍ୟ ମଧ୍ୟରେ ଯାତାୟାତ କରୁଛନ୍ତି । ନା ସେମାନେ କୋଭିଡ୍ କଟକଣା ମାନୁଛନ୍ତି ନା ମାସ୍କ ବ୍ୟବହାର କରୁଛନ୍ତି । ତା’ ସହ ବିନା ଯାଞ୍ଚରେ ବିଭିନ୍ନ ଅଞ୍ଚଳରେ ପ୍ରବେଶ କରୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି ।
ପ୍ରାପ୍ତ ସୂଚନାନୁସାରେ ସୀମାନ୍ତବର୍ତ୍ତୀ ବଡ଼େ ନୂଆପରା ଓ ବୋରଦା ରାସ୍ତା ଦେଇ ଅନେକେ ଛତିଶଗଡ଼ୀ ବରଯାତ୍ରୀ ଦଳ ବିନା ମାସ୍କରେ ବରଗଡ଼ ଓ ସମ୍ବଲପୁର ଅଞ୍ଚଳକୁ ଯାଉଥିବା ବେଳେ ଚିଖିଲି, ମହୁଲପାଲି, ଶରଧାପାଲି, ପଥରାସେନୀ ଡଙ୍ଗାଘାଟ ଦେଇ ମଧ୍ୟ ଯାତାୟାତ ଜାରି ରହିଛି । ସେହିପରି ଅମ୍ବାଭୋନା ବ୍ଳକ୍ର ବାରପାହାଡ଼ ଓ ଡେବ୍ରିଗଡ ଜଙ୍ଗଲ ଘେରା ଗାଁ’ଗୁଡିକୁ ମଧ୍ୟ ବହୁ ସଂଖ୍ୟାରେ ଛତିଶଗଡ଼ୀ ଲୋକେ ଗଳାବାଟ ଦେଇ ବିବାହ ଉତ୍ସବ, ବିଭିନ୍ନ ଭୋଜିରେ ଯୋଗ ଦେବାକୁ ଆସୁଥିବା ଦେଖିବାକୁ ମିଳୁଛି । ତେଣୁ ସ୍ଥିତି ବିଗିଡ଼ିବା ପୂର୍ବରୁ ପ୍ରଶାସନ ଓ ପୁଲିସ୍ ଏହି ସବୁ ଗଳାବାଟଗୁଡ଼ିକୁ ଚିହ୍ନଟ କରି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କିରବାକୁ ଦାବି ହୋଇଛି । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)
No Result
View All Result