No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ଏପ୍ରିଲ ୨୦୨୧, ଗୁରୁବାର )ଯାଜପୁର :- ଏଠି ରେକର୍ଡ କହିଲେ, ଗୋଟିଏ ଆର୍ଥିକ ବର୍ଷରେ ଧାର୍ଯ୍ୟ ହୋଇଥିବା ରାଜସ୍ବ ଆଦାୟ ଲକ୍ଷ୍ୟ । ଗୋଟିଏ ଦିନରେ ବଦଳି ହୋଇଥିବା ଯାଜପୁର ଜିଲ୍ଲାର ୩ ଜଣ ତହସିଲ୍ଦାରଙ୍କ ମଧ୍ୟରୁ ରାଜସ୍ବ ଆଦାୟରେ ଜଣଙ୍କର ଦାୟିତ୍ବରେ ଥିବା ତହସିଲ୍ର ପ୍ରଦର୍ଶନ ଆଖିଦୃଶିଆ ହୋଇନଥିବାବେଳେ ଆଉ ୨ ଜଣ ତହସିଲ୍ଦାରଙ୍କ ଅଧୀନସ୍ଥ ତହସିଲ୍ର ପ୍ରଦର୍ଶନ ଆଶାନୁରୂପ ରହିଛି । ଏହା ସତ୍ତ୍ବେ ବି ବଦଳି ପଛର କାରଣ କ’ଣ ହୋଇପାରେ ବୋଲି ସାରାଜିଲ୍ଲାରେ ଚର୍ଚ୍ଚା ଲାଗିରହିଛି । ୩ ଜଣ ହେଲେ, ଧର୍ମଶାଳା ତହସିଲ୍ଦାର୍ ପ୍ରଶାନ୍ତ ସାମନ୍ତରାୟ, ବଡ଼ଚଣା ବ୍ଲକ୍ ଦର୍ପଣ ତହସିଲଦାର ବରଣ୍ୟେନ୍ଦୁ ମହାନ୍ତି ଓ ବିଂଝାରପୁର ତହସିଲ୍ଦାର୍ ଅସ୍ମିତା ଦାସ । ସାରାରାଜ୍ୟରେ ଖୋର୍ଦ୍ଧା ଭଳି ଲଘୁ ଖଣିଜ ସମ୍ପଦ କେଳେଙ୍କାରୀରେ ଆଗୁଆ ରହିଛି ଯାଜପୁର । କେତେବେଳେ ପ୍ରଭାବଶାଳୀ ମାଫିଆମାନଙ୍କ ସହିତ ପ୍ରଶାସନ ମୁହାଁମୁହିଁ ହୋଇଛି ତ କେତେକ ସ୍ଥାନରେ ଅଧିକାରୀଙ୍କ ସହ ଭିତିରି ବୁଝାମଣା ଚାଲିଥିବା ଅଭିଯୋଗ ବି ହୋଇଛି । ଯାଜପୁର ଜିଲ୍ଲାର ମୋଟ ୧୦ଟି ତହସିଲ ମଧ୍ୟରୁ ୩ ତହସିଲଦାରଙ୍କର ୨ଦିନ ତଳେ ବଦଳି ହୋଇଛି । ସବୁଠାରୁ ଚର୍ଚ୍ଚାରେ ଅଛନ୍ତି ଧର୍ମଶାଳା ତହସିଲ୍ଦାର ପ୍ରଶାନ୍ତ ସାମନ୍ତରାୟ । ଶ୍ରୀ ସାମନ୍ତରାୟ ଗତ ଅକ୍ଟୋବର ୯ତାରିଖରେ ତହସିଲଦାର ଭାବେ ଯୋଗ ଦେଇଥିଲେ । ଦାୟିତ୍ବ ନେବାର ୬ ମାସ ପୂରଣ ନହେଉଣୁ ତାଙ୍କୁ ବଦଳି କରାଯାଇଛି । ତାଙ୍କର ବଦଳିକୁ ପଛରେ ନିର୍ଦ୍ଦିଷ୍ଟ କେତେକ କାରଣ ଥିବା ନେଇ ଚର୍ଚ୍ଚା ହେଉଛି ।
ସବୁଠାରୁ ବଡ଼ କାରଣ ହେଉଛି, ରାଜସ୍ବ ଆଦାୟ ହ୍ରାସ। ଗତ ଆର୍ଥିକବର୍ଷରେ ଧର୍ମଶାଳା ତହସିଲ୍ ୧୫କୋଟି ୪୯ଲକ୍ଷ ୫୬ହଜାର ଟଙ୍କା ରାଜସ୍ବ ଆଦାୟ କରିଥିବାବେଳେ ଚଳିତ ବର୍ଷ ଏହା ହ୍ରାସ ପାଇ ୧୫କୋଟି ୪୮ଲକ୍ଷ ୮୯ହଜାର ଟଙ୍କାରେ ପହଞ୍ଚିଛି। ଉଲ୍ଲେଖେଯାଗ୍ୟ ଯେ, ଧର୍ମଶାଳା ତହସିଲ୍ ପାଇଁ ୫୦ କୋଟି ଟଙ୍କା ରାଜସ୍ବ ଆଦାୟ ଲକ୍ଷ୍ୟ ରଖାଯାଇଥିଲା। ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଧର୍ମଶାଳା ତହସିଲର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ। ଏହାବାଦ ଧର୍ମଶାଳା ତହସିଲରରେ ମୋରମ ଓ କଳାପଥର କାରବାରରେ ଅସ୍ଥାୟୀ ଟିପି କାରବାର ନେଇ ବିବାଦରେ ଫସିଥିଲେ ତହସିଲଦାର ଶ୍ରୀ ସାମନ୍ତରାୟ। ଏପରିକି ରାଜ୍ୟ ଅଧିକାରୀମାନେ କ୍ଷୋଭ୍ ପ୍ରକାଶ କରିଥିଲେ। ଆଉ ଏକ କାରଣ ହେଉଛି, ଶ୍ରୀ ସାମନ୍ତରାୟ କୁଆଡ଼େ ଶାସକ ଦଳର ଏକ ଗୋଷ୍ଠୀର ଶୁଭ ଦୃଷ୍ଟିରେ ନଥିଲେ। ଅପରପକ୍ଷରେ ବିଂଝାରପୁରର ତହସିଲଦାର ଅସ୍ମିତା ଦାସ ଗତବର୍ଷ ଫେବ୍ରୁଆରି ୧୪ରେ ଯୋଗ ଦେଇଥିଲେ। ଯୋଗଦେବା ଦିନ ଠାରୁ ବିଭିନ୍ନ ବେଆଇନ୍ କାରବାରକୁ ଆଖିବୁଜା ସମର୍ଥନ କରୁନଥିବାରୁ ଶାସକଦଳର କେତେକ ସମର୍ଥକଙ୍କର ବିରୋଧର ସମ୍ମୁଖୀନ ହୋଇଆସୁଥିଲେ। ବିଶେଷ କରି ବିଜେଡ଼ିରୁ ବିଜେପିକୁ ଯାଇ ସଂଗଠନ କରୁଥିବା ଯୁବନେତା ସଂଜୀବ ସାହୁଙ୍କର ରଦ୍ଦ ହୋଇଥିବା ସଏଦପୁର ପଞ୍ଚାୟତର ଯଜ୍ଞପଡ଼ିଆ ବାଲିଘାଟକୁ ପୁଣି ଚାଲୁ କରିବା ଘଟଣା ଶାସକ ଦଳ ନେତାଙ୍କୁ କ୍ଷୁବ୍ଧ କରିଥିଲା। ଶ୍ରୀ ସାହୁ ୫ବର୍ଷ ପାଇଁ ବାଲିଘାଟ ନିଲାମ ନେଇଥିଲେ ହେଁ ବେଆଇନ ଭାବେ ରଦ୍ଦ କରାଯାଇଥିଲା। ଜିଲ୍ଲାପାଳ ନିର୍ଦ୍ଦେଶରେ ତହସିଲଦାର ଶ୍ରୀମତୀ ଦାସ ପୁଣି ଶ୍ରୀ ସାହୁଙ୍କ ବାଲି ଘାଟ ଚଲାଇଥିଲେ।
ସେହିପରି ଅଳକୁଣ୍ଡ ଜବରଦଖଲ ଉଚ୍ଛେଦ ଘଟଣାରେ ହାଇକୋର୍ଟ ନିର୍ଦ୍ଦେଶକୁ ତହସିଲଦାର ଶ୍ରୀମତୀ ଦାସ କାର୍ଯ୍ୟକାରୀ କରିବାକୁ ଯାଇ ଶାସକ ଦଳର ବିରୋଧର ସମ୍ମୁଖୀନ ହୋଇଥିଲେ। ଏପରିକି ୧୫ଦିନ ଛୁଟିରେ ପଳାଇଥିଲେ। ଶ୍ରୀମତୀ ଦାସ ଚଳିତ ବର୍ଷ ରାଜସ୍ବ ଆଦାୟ ଲକ୍ଷ୍ୟର ୧୫୦.୯୨ ପ୍ରତିଶତ ସଫଳତା ହାସଲ ସତ୍ତ୍ବେ ବଦଳି ହେବାକୁ ପଡ଼ିଛି। ଯାହାକି ରାଜନୈତିକ ଆକ୍ରୋଶର ଶିକାର ବୋଲି ଚର୍ଚ୍ଚା ହେଉଛି । ସେହିପରି ଦର୍ପଣ ତହସିଲଦାର ବରଣ୍ୟେନ୍ଦୁ ମହାନ୍ତି ଗତ ୨୦୧୯ ନଭେମ୍ବରରେ ଯୋଗ ଦେଇଥିଲେ। ସେ ମଧ୍ୟ ରାଜସ୍ବ ଆଦାୟ ଲକ୍ଷ୍ୟର ୨ଗୁଣ ଅର୍ଥାତ ୨୦୭.୭୦ ଶତକଡ଼ା ହାସଲ କରିଥିଲେ। ତେବେ ଗତବର୍ଷ ୨କୋଟି ୧୪ଲକ୍ଷ ୯୧ହଜାର ଟଙ୍କା ବଦଳରେ ଚଳିତ ବର୍ଷ ୩ଗୁଣ ଅର୍ଥାତ୍ ୬କୋଟି ୬୧ଲକ୍ଷ ୧୧ହଜାର ଟଙ୍କା ରାଜସ୍ବ ଆଦାୟ କରିଛନ୍ତି। ଶ୍ରୀ ମହାନ୍ତି ଶାସକ ଦଳର ଆକ୍ରୋଶର ଶିକାର ହୋଇଛନ୍ତି ବୋଲି ତାଙ୍କ ନିକଟତମ ସୂତ୍ରରୁ କୁହାଯାଉଛି। ତେବେ ଏଠାରେ ମଧ୍ୟ ବ୍ୟାପକ ଲଘୁ ଖଣିଜ ସମ୍ପଦ ଲୁଟପାଟ ଚାଲିଛି। ଲଘୁ ଖଣିଜ ସମ୍ପଦ କେଳେଙ୍କାରୀରେ ତହସିଲ କର୍ମଚାରୀଙ୍କ ଭିତିରି ସଲାସୁତରା ରହୁଛି। ମାଫିଆଙ୍କୁ ମାଫ୍ କଲେ କେତେକ ସ୍ଥାନରେ ତହସିଲଦାରମାନେ ଚର୍ଚ୍ଚାକୁ ଆସୁଥିବା ବେଳେ ଆଉ କେତେକ ସ୍ଥାନରେ ରାଜନୈତିକ ଆକ୍ରୋଶରୁ ବଳି ପଡ଼ୁଥିବା ଚର୍ଚ୍ଚା ହେଉଛି। (ରିପୋର୍ଟ ଦୀପ୍ତିମାନ ପତି )
No Result
View All Result