No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ଏପ୍ରିଲ ବୁଧବାର ) ଭୁବନେଶ୍ୱର :- ବିଶ୍ୱର ଏକ ପ୍ରମୁଖ ଐତିହାସିକ ସ୍ଥଳ ଭାବେ ଧଉଳି ଶାନ୍ତି ସ୍ତୁପ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି । ଏହି ଠାରୁ ହିଁ ଶାନ୍ତି, ଅହିଂସା ଓ ସତ୍ୟର ମନ୍ତ୍ର ସମଗ୍ର ବିଶ୍ୱକୁ ଉଦ୍ବୁଦ୍ଧ କରିଥିଲା । ଏହି ଶାନ୍ତିସ୍ତୁପର ସାମଗ୍ରିକ ବିକାଶ ପାଇଁ ମଙ୍ଗଳବାର ସ୍ବତନ୍ତ୍ର ସର୍କିଟ୍ ହାଉସରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାଧାରଣ ଉଦ୍ୟୋଗ ଓ ସମାଜ କଲ୍ୟାଣ ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଅଧ୍ୟକ୍ଷତା କରିଥିଲେ । ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ଧଉଳି ସ୍ତୁପର ତୁରନ୍ତ ମରାମତି କରାଯିବା ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।
ଏହାର ଗୁରୁତ୍ୱ ଉପଲବ୍ଧ କରି ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପଣ୍ଡା ତୁରନ୍ତ ବିଧାୟକ ଆଞ୍ଚଳିକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କାର ଏକ ଚେକ୍ ଅତିରିକ୍ତ ଜିଲାପାଳ ପ୍ରଫୁଲ୍ଲ ଚନ୍ଦ୍ର ସ୍ବାଇଁଙ୍କୁ ପ୍ରଦାନ କରିଥିଲେ । ଧଉଳି ଉନ୍ନୟନ କମିଟି ମାଧ୍ୟମରେ ତଥା ପଦ୍ମବିଭୂଷଣ ସ୍ଥପତି ସୁଦର୍ଶନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାନ୍ତିସ୍ତୁପର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯିବ । ଆବଶ୍ୟକ ପଡ଼ିିଲେ ଆଉ ଅତିରିକ୍ତ ପାଣ୍ଠି ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ଆସନ୍ତା ୨୦୨୨ରେ ଧଉଳି ଶାନ୍ତିସ୍ତୁପର ୫୦ବର୍ଷ ପ୍ରତିଷ୍ଠା ଦିବସ ପାଳନ ହେବ । ଏହାକୁ ଭବ୍ୟରୀତିରେ ପାଳନ କରାଯିବା ନେଇ ବୈଠକରେ ମତ ପ୍ରକାଶ ପାଇଛି । ଆଗାମୀ ଦିନରେ ଧଉଳିରେ ୫କୋଟି ଟଙ୍କା ବ୍ୟୟରେ ଏକ ବ୍ୟାଖ୍ୟାକରଣ କେନ୍ଦ୍ର ଆରମ୍ଭ କରାଯିବ । ଏଥିଲାଗି ୧୨ ଏକର ଜମି ଉପଲବ୍ଧ ଥିବା ମନ୍ତ୍ରୀ ସୂଚନା ଦେଇଥିଲେ । (ରିପୋର୍ଟ /ଭଞ୍ଜ ବିହାରୀ ମହାନ୍ତି)
No Result
View All Result