No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୬ ଏପ୍ରିଲ ମଙ୍ଗଳବାର ) ଭୁବନେଶ୍ୱର :- ଜେଲ ସଂସ୍କାରରୁ ମିଳିଲା ସଫଳତା । କାରାଗାର ଶିଳ୍ପରୁ ସ୍ବାବଲମ୍ବୀ ହେଲେ କଏଦୀ, ଆଉ କମିଲା ସରକାରଙ୍କ ବୋଝ । ଏବେ କଏଦୀମାନେ କେବଳ ଚାରିକାନ୍ଥ ଭିତରେ ନ ରହି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇ ରୋଜଗାର କରୁଛନ୍ତି । ଏପଟେ କଏଦୀଙ୍କ ଦ୍ୱାରା ତିଆରି ସାମଗ୍ରୀ ବିକ୍ରିରୁ ଲାଭ ବି ମିଳୁଛି । ଏହି ଲାଭାଂଶ କଏଦୀ ମଙ୍ଗଳ ପାଣ୍ଠିରେ ରହିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଖର୍ଚ୍ଚ ହେଉଛି । ଜେଲ୍ ପରିଚାଳନା ସହ କଏଦୀଙ୍କ ପାଇଁ ଯାହା ସରକାର ଖର୍ଚ୍ଚ କରୁଥିଲେ ତାହାର କିଛି ଅଂଶ ଏଥିରୁ ଭରଣା କରାଯାଇ ପାରୁଛି। ଏଭଳି ସଂସ୍କାରମୂଳକ ପଦକ୍ଷେପ ନେଇ ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ବତନ୍ତ୍ର କାରାଗାର ଉଦାହରଣ ପାଲଟିଛି ।
କନ୍ଧମାଳ ହଳଦୀଠାରୁ ମାଣ୍ଡିଆ ଚୂନା, ମୁଢ଼ି, କଫି, କମ୍ପୋଷ୍ଟରୁ ଫିନାଇଲ୍ ଆଦି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତିରେ ୧୦ଜଣ ମହିଳା କଏଦୀ ନିୟୋଜିତ ଥିବାବେଳେ ୭୦ଜଣ ସଜା ଭୋଗୁଥିବା ପୁରୁଷ କଏଦୀ ଅନ୍ୟ କେତେକ କାର୍ଯ୍ୟ କରୁଛନ୍ତି । ଜେଲ ପରିସର କ୍ୟାଣ୍ଟିନରେ କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ସୁସ୍ବାଦୁ ଉପମା, ଚକୁଳି ଓ ଇଡ୍ଲି ମିଳୁଛି । କେବଳ ସେତିକି ନୁହେଁ, ଏଠାରେ ତିଆରି ବ୍ଲାଙ୍କେଟଗୁଡିକ ରାଜ୍ୟର ୮୬ ଜେଲକୁ ଯାଉଛି । ସେହିଭଳି ପୁରୁଷ କଏଦୀମାନେ କମ୍ପୋଷ୍ଟ ତିଆରି କରୁଥିବାବେଳେ କଳା ଓ ଧଳା ଫିନାଇଲ ଅବିଭକ୍ତ ପୁରୀ ଜିଲାରେ ଥିବା ଜେଲକୁ ପଠାଯାଉଛି । କାରାଗାର ଶିଳ୍ପ ସାମଗ୍ରୀର ଚାହିଦା ବଢ଼ିବା ପରେ ନିକଟରେ ଜେଲ ପକ୍ଷରୁ ଏକ ବିକ୍ରୟ କେନ୍ଦ୍ର ଖୋଲାଯାଇଛି । ଫଳରେ ୨୦୨୦-୨୧ ଆର୍ଥିକ ବର୍ଷରେ ମୋଟ ୭୮ ଲକ୍ଷ ୫ ହଜାର ୨୪୯ ଟଙ୍କାର କାରବାର ହୋଇଛି । କ୍ୟାଣ୍ଟିନ ବେପାର ସର୍ବାଧିକ ୫୬,୬୪,୭୮୦ ରହିଥିବାବେଳେ ଖାଦ୍ୟ ପ୍ରକ୍ରିୟାକରଣ ବାବଦ ୩,୦୭,୩୧୧, ମ୍ୟାନୁଫାକ୍ଚରିଂ ୯,୮୬୮୪୦, ଟେଲିଫୋନ ୫,୮୧,୩୦୦, ଲଣ୍ଡ୍ରି ଓ ଥିଏଟର ୪୮,୯୪୫, ଅଡିଟ୍ ରିକଭରି ୧,୭୭,୧୦୯ ଏବଂ ଅନ୍ୟାନ୍ୟ ସୂତ୍ରରୁ ୩୮,୯୬୪ ଟଙ୍କା କାରବାର ହୋଇଛି । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )
No Result
View All Result