No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୫ ଏପ୍ରିଲ ସୋମଵାର ) ନୟାଗଡ଼/ଶରଣକୂଳ :- ୨ ଦିନ ତଳେ ଦଣ୍ଡରେ ମିଶିଥିବା ଜଣେ ବ୍ୟକ୍ତି ହଠାତ୍ ଅସୁସ୍ଥ ହୋଇ ମେଡିକାଲ ଯିବାରୁ ଡାକ୍ତର ଶୁଣାଇଦେଲେ ନିରାଶବାଣୀ । ରୋଗୀର ମୃତ୍ୟୁ ହୋଇସାରିଥିବା କହି ଡାକ୍ତର ପୋଷ୍ଟମର୍ଟମ ବି କରିଦେଲେ । ମାତ୍ର ଏହାକୁ ବିଶ୍ୱାସ ନ କରି ରୋଗୀକୁ ବଞ୍ଚାଇବାକୁ ପ୍ରଥମେ ଆଗଭର ହେଲେ ଦଣ୍ଡୁଆ । ଦୀର୍ଘ ଘଣ୍ଟା ପୂଜାର୍ଚ୍ଚନା ପରେ ଦଣ୍ଡୁଆ ନ ପାରିବାରୁ ଆସିଲା ଗୁଣିଆ । ମାତ୍ର ଗୁଣିଆର ମନ୍ତ୍ରପାଠ ବି ଫେଲ୍ ମାରିଲା । ଶେଷରେ ଗତ ରାତିରୁ ଚାଲିଥିବା ପୂଜାର୍ଚ୍ଚନାରେ ପଡ଼ିଲା ଯବନିକା । ମୃତଦେହରେ ଆଉ ଜୀବନ ଫେରିପାରିବନି ବୋଲି ପୁଲିସ୍ ପହଞ୍ଚି ବୁଝାଶୁଝା କରିବା ପରେ ଆଜି ସକାଳୁ ମୃତଦେହ ସତ୍କାର କରାଯାଇଥିବା ଜଣାଯାଇଛି । ଏପରି ଅନ୍ଧବିଶ୍ୱାସ ନୟାଗଡ ଜିଲ୍ଲା ଶରଣକୂଳ ଥାନା ସିଙ୍ଗରପୁର ଗାଁରେ ଦେଖିବାକୁ ମିଳିଛି ।
ଗାଁର ରବି ନାହାକ ୨ ଦିନ ତଳେ ଦଣ୍ଡରେ ମିଶିଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା । ପୋଷ୍ଟମର୍ଟମ ପରେ ମଧ୍ୟ ମୃତଦେହ ବଞ୍ଚିବ ଭାବି ଦଣ୍ଡୁଆମାନେ ରାତି ତମାମ ପୂଜାର୍ଚ୍ଚନା କରିଥିଲେ। ମୃତକଙ୍କ ଦେହରେ ଭଗବାନ ଥିବା କହି ରାତି ତମାମ ପୂଜାର୍ଚ୍ଚନା କରିଥିଲେ । ତା’ଉପରେ ଗରା ଗରା ପାଣି ଢାଳିଥିଲେ । ମୃତଦେହ ଚାରିପଟେ ନାମ ସଂକୀର୍ତ୍ତନ ବି କରାଯାଇଥିଲା । ଏହାପରେ କାଳିସୀ ଉଭା ହୋଇ ଲୋକଟି ବଞ୍ଚିଯିବ କହିଥିବା ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି । ମାତ୍ର କୌଣସି ସୁଫଳ ନ ମିଳିବାରୁ ଖୋଜା ପଡ଼ିଲା ତାନ୍ତ୍ରିକ ।
ଦୀର୍ଘ ସମୟ ଧରି ଦଣ୍ଡୁଆ କରିପାରି ନ ଥିବା କାମ କରିପାରିବ କରି ତାନ୍ତ୍ରିକ ଆରମ୍ଭ କଲା ପୂଜାର୍ଚ୍ଚନା। ଦୀର୍ଘ ୪ ଘଣ୍ଟା ଚାଲିଲା ବିଭିନ୍ନ ମନ୍ତ୍ରପାଠ । ମାତ୍ର ପରିଣତି ନିରାଶଜନକ ହେଲା । ଖବର ପାଇ ପୁଲିସ୍ ପହଞ୍ଚି ମୃତ ଲୋକ ବଞ୍ଚିବା ସମ୍ଭବ ନୁହେଁ ବୋଲି ଗାଁ ଲୋକଙ୍କୁ ବୁଝାଇବା ପରେ ସେମାନେ ସତ୍କାର କରିବାକୁ ରାଜି ହୋଇଥିଲେ । ଏହାପରେ ଆଜି ସକାଳୁ ମୃତଦେହ ସତ୍କାର କରାଯାଇଥିବା ଜଣାଯାଇଛି । ଏକବିଂଶ ଶତାବ୍ଦିରେ ବି ଲୋକ ଏପରି ଅନ୍ଧବିଶ୍ୱାସକୁ ନେଇ ବଞ୍ଚୁଛନ୍ତି, ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )
No Result
View All Result