ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ଭିତ୍ତିଭୂମି

ଓଡ଼ିଶା ତାଜା ନ୍ୟୁଜ୍ (୪ ଏପ୍ରିଲ ରବିବାର ) ଅନୁଗୋଳ :- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ଭିତ୍ତିଭୂମି ରହିଛି । ସେଥିପାଇଁ ଜିଲାର ବିଭିନ୍ନ ପ୍ରାଥମିକ, ଗୋଷ୍ଠୀ ଓ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରୁ ରୋଗୀଙ୍କୁ ଏଠାକୁ ପଠାଯାଉଛି । ଏପରି କି ପଡ଼ୋଶୀ ଜିଲାଗୁଡ଼ିକରୁ ମଧ୍ୟ ବହୁ ରୋଗୀ ଅନୁଗୋଳ ମେଡିକାଲ ଆସୁଛନ୍ତି। କିନ୍ତୁ ଅନେକ ସମୟରେ ସାମାନ୍ୟ ଗୁରୁତର ରୋଗୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରା ନ ଯାଇ ଅନ୍ୟତ୍ର ରେଫର କରିଦିଆଯାଉଛି । ପ୍ରତିବର୍ଷ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରାଯାଉଥିବାରୁ ରେଫର ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବା କଥା । ହେଲେ ବର୍ଷକୁ ବର୍ଷ ଏହା ବଢ଼ି ଚାଲିଥିବାରୁ ଜିଲା ସ୍ବାସ୍ଥ୍ୟସେବାକୁ ନେଇ ରୋଗୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ପଛରେ ଘରୋଇ ନର୍ସିଂହୋମ ପ୍ରୀତି ରହିଥିବା ସାଧାରଣରେ ଆଲୋଚନା ହେଉଛି ।

ଜିଲା ମୁଖ୍ୟ ଚିକିତ୍ସାଳୟ ସହ ଅନୁଗୋଳ ଜିଲାରେ ୩ଟି ଉପଖଣ୍ଡ, ୯ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ୩୧ଟି ପ୍ରାଥମିକ ଚିକିତ୍ସାଳୟ ରହିଛି । ଦୈନିକ ସହସ୍ରାଧିକ ରୋଗୀ ଚିକିତ୍ସାସେବା ପାଇଁ ଏଠାକୁ ଆସିଥାନ୍ତି। ଏହାଛଡ଼ା ଢେଙ୍କାନାଳ, ଦେବଗଡ଼, ବୌଦ୍ଧ ଓ ସମ୍ବଲପୁର ସୀମାନ୍ତ ଅଞ୍ଚଳରୁ ରୋଗୀମାନେ ମଧ୍ୟ ଅନୁଗୋଳ ଜିଲାର ଚିକିତ୍ସାଳୟଗୁଡ଼ିକ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ମେଡିକାଲ ରେକର୍ଡ କହୁଛି, ୨୦୧୮-୧୯ ବର୍ଷରେ ଜିଲାର ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ୧୩ ଲକ୍ଷ ୬୧ ହଜାର ୬୨ ରୋଗୀ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୮୫ ହଜାର ୩୮୪ ଜଣ ଅନ୍ତଃବିଭାଗରେ ଚିକିତ୍ସିତ ହୋଇଛନ୍ତି। ୧୩୯୫ ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ୧୬୦୦ ରୋଗୀ ଅନ୍ୟତ୍ର ରେଫର ହୋଇଛନ୍ତି। ୨୦୧୯-୨୦ ବର୍ଷରେ ୧୪ ଲକ୍ଷ ୫୧ ହଜାର ୪୦୯ ଜଣ ରୋଗୀ ଅସିଥିବାବେଳେ ୯୬ ହଜାର ୩୨୪ ଜଣ ଅନ୍ତଃବିଭାଗରେ ଚିକିତ୍ସିତ ହୋଇଛନ୍ତି ।

୧୩୧୬ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ୧୯୯୧ ରୋଗୀଙ୍କୁ ରେଫର କରାଯାଇଛି । ୨୦୨୦-୨୧ ବର୍ଷରେ ୧୦ ଲକ୍ଷ ୪୯ ହଜାର ୪୧୯ ରୋଗୀ ଆସିଥିବାବେଳେ ୬୩ ହଜାର ୧୮୪ ଜଣ ଅନ୍ତଃବିଭାଗରେ ଚିକିତ୍ସିତ ହୋଇଛନ୍ତି । ୧୬୬୮ ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ସର୍ବାଧିକ ୨୧୨୭ ରୋଗୀ ଅନ୍ୟତ୍ର ରେଫର ହୋଇଛନ୍ତି । ଜିଲା ମୁଖ୍ୟ ଚିକିତ୍ସାଳୟର ଆଧୁନିକୀକରଣ ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ବିଭିନ୍ନ ବିଭାଗରେ ଡାକ୍ତର, ବିଶେଷଜ୍ଞ ପଦ ପୂରଣ କରାଯାଉ ନ ଥିବାରୁ ଏହାର ଫାଇଦା ଉଠାଇ କେତେଜଣ ଡାକ୍ତର ସାମାନ୍ୟ ଗୁରୁତରଙ୍କୁ ଅନ୍ୟତ୍ର ରେଫର କରିଦେଉଥିବା ଅଭିଯୋଗ ହେଉଛି ।  (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )