ଅବହେଳିତ ବୌଦ୍ଧ କୀର୍ତ୍ତିରାଜି

ଓଡ଼ିଶା ତାଜା ନ୍ୟୁଜ୍ (୨ ଏପ୍ରିଲ ଶୁକ୍ରବାର ) ଭଦ୍ରକ ଜିଲା ,ବନ୍ତ :- ଯେଉଁ ସ୍ଥାନରେ ବୌଦ୍ଧ, ଜୈନ, ଶାକ୍ତ ଓ ବୈଷ୍ଣବ ଧର୍ମର ପ୍ରଭାବ ପଡ଼ିଥିଲା, ବୌଦ୍ଧ ମହାଯାନ ପନ୍ଥିମାନେ ସେହି ସ୍ଥାନରେ ସମବେତ ହୋଇ ଧର୍ମାଲୋଚନା କରୁଥିଲେ। ସେତେବେଳେ ସେହି ସ୍ଥାନ ଚଳଚଞ୍ଚଳ ହୋଇଉଠୁଥିଲା । ଏବେ ସେହି ସ୍ଥାନ ଅବହେଳିତ ଅବସ୍ଥାରେ ଅତୀତର ସ୍ମୃତି ହୋଇ ରହିଛି। ଭଗବାନ ବୁଦ୍ଧଙ୍କର ମୁଖ ନିଶୃତ ଅମୃତ ବାଣୀ ଆଉ ସେଠାରେ ଶୁଣିବାକୁ ମିଳୁନାହିଁ । ଭଦ୍ରକ ଜିଲା ବନ୍ତ ବ୍ଲକ ଅଞ୍ଚଳରେ ସର୍ବପୁରାତନ ବୌଦ୍ଧ କୀର୍ତ୍ତିରାଜିଗୁଡ଼ିକ ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ମିଳିଛି । ବସନ୍ତିଆ ପଞ୍ଚାୟତ ତଥା ଭଦ୍ରକ-ଆନନ୍ଦପୁର ୫୩ ନଂ. ରାଜ୍ୟ ରାଜପଥର ବରକୋଣା ଛକଠାରୁ ଉତ୍ତର ଦିଗକୁ ୧ କି.ମି. ଗଲେ ଆପଣ୍ଡାର ବହୁ ଅପୂର୍ବ କୀର୍ତ୍ତିରାଜି ଦେଖିବାକୁ ମିଳେ। ଆପଣ୍ଡାଠାରେ ଥିବା ଧର୍ମ ନିରଞ୍ଜନଙ୍କ ଧ୍ୟାନମଗ୍ନର ମୂର୍ତ୍ତି ଉକ୍ତ ଗ୍ରାମର ଏକ ପୋଖରୀ ଖନନ ବେଳେ ସନ୍ଧାନ ମିଳିଥିଲା ।

ସେହିଦିନଠାରୁ ଗ୍ରାମବାସୀଙ୍କ ଦ୍ୱାରା ଏହାକୁ ଉଦ୍ଧାର କରାଯାଇ ପୂଜାର୍ଚ୍ଚନା କରାଯାଉଛି। ରକ୍ଷଣାବେକ୍ଷଣ ପାଇଁ ସ୍ଥାନୀୟ ବିଧାୟକଙ୍କ ଅନୁଦାନ ପାଣ୍ଠିରୁ ଅର୍ଥ ବରାଦ ହୋଇଥିଲେ ମଧ୍ୟ ଉକ୍ତ ସ୍ଥାନରେ ମନ୍ଦିର ଓ ପାଚେରି ନିର୍ମାଣ ଅଧାପନ୍ତରିଆ ହୋଇ ରହିଛି । ଉକ୍ତ ପୀଠର ମହାତ୍ମ୍ୟ ବିଷୟରେ ଗ୍ରାମର ପୁରୁଖା ବ୍ୟକ୍ତିମାନେ କହନ୍ତି, ଖ୍ରୀଷ୍ଟପୂର୍ବ ଅଷ୍ଟାଦଶ ଶତାଦ୍ଦୀରେ ଭୌମ ବଂଶର ପ୍ରଥମ ରାଜା ଶୁଭଙ୍କର ବୌଦ୍ଧ ଉପାସକ ଥିବାରୁ ତାଙ୍କ ସମୟରେ ଓ ତାଙ୍କ ପରେ ଗଙ୍ଗ ବଂଶର ରାଜାଙ୍କ ଦ୍ୱାରା ଭଦ୍ରକ ଓ ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ ବୁଦ୍ଧଦେବଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଉକ୍ତ ମୂର୍ତ୍ତି ମଧ୍ୟରେ ଆପଣ୍ଡାର ଧର୍ମନିରଞ୍ଜନ ଓ ରାମପୁର ଗ୍ରାମର ବୁଦ୍ଧ ଦେବଙ୍କ ଧ୍ୟାନମୁଦ୍ରାର ମୂର୍ତ୍ତି ଦେଖିବାକୁ ମିଳେ।

ପୂର୍ବରୁ ଉକ୍ତ ପୀଠରେ ବୁଦ୍ଧ ପୂର୍ଣ୍ଣିମାରେ ଚନ୍ଦନ ଲାଗି ବେଶ, ଦୋଳ ଉତ୍ସବ ଆଦି ବହୁ ଆଡ଼ମ୍ବରରେ ପାଳନ ହେବା ସହ ବୌଦ୍ଧ ଧର୍ମାବଲମ୍ବୀଙ୍କ ଦ୍ୱାରା ଧର୍ମାଲୋଚନା ହେଉଥିଲା । ଜନଶ୍ରୁତି ରହିଛି ଯେ, ଉକ୍ତ ଅଞ୍ଚଳରେ ଜଳସେଚନ ସୁବିଧା ନ ଥିବାରୁ ଜଳାଭାବ ବହୁ ପରିମାଣରେ ଦେଖାଯାଉଥିଲା । ଲୋକଙ୍କ ଦୃଢ଼ ବିଶ୍ୱାସ ଥିଲା ବୁଦ୍ଧ ଦେବଙ୍କ ବେଢ଼ାରେ ବର୍ଷା ହୋଇ ଉକ୍ତ ଜଳ ବୋହି ଏହାର ଅନତି ଦୂରରେ ଥିବା ଭାଟିଆ ପୋଖରୀରେ ପହଞ୍ଚିଲେ ସେହି ବର୍ଷ ଜଳାଭାବରୁ ମୁକ୍ତି ମିଳିବା ସହ ଚାଷ କାର୍ଯ୍ୟ ଭଲ ହୁଏ । ଏଥିପାଇଁ ବୁଦ୍ଧଦେବଙ୍କୁ ପାର୍ଶ୍ୱ ପୁଷ୍କରିଣୀରୁ ଜଳ ଅଣାଯାଇ ମହାସ୍ନାନ କରାଯାଇଥାଏ । ଏହି ବିଶ୍ୱାସ ଏବେବି ଅତୁଟ ରହିଥିବା ଗ୍ରାମବାସୀ କୁହନ୍ତି । ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଏହାର ରକ୍ଷଣାବେକ୍ଷଣ ଲାଗି ପଦକ୍ଷେପ ନେଲେ ଅତୀତର କୀର୍ତ୍ତିରାଜି ଉଜ୍ଜୀବିତ ହେବା ସହ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇପାରନ୍ତା ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି ।(ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)