No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୧ ଏପ୍ରିଲ ୨୦୨୧, ଗୁରୁବାର ) ପୁରୀ :- ପିପିଲି ଉପନିର୍ବାଚନ ପାଇଁ ଦାଖଲ ହୋଇଥିବା ପ୍ରାର୍ଥୀପତ୍ର ଗୁଡ଼ିକ ମଧ୍ୟରୁ ୩ଟି ଖାରଜ ହୋଇଯାଇଛି । ପୁରୀ ଅତିରିକ୍ତ ଜିଲ୍ଲାପାଳ ତଥା ଅବଜରଭର ଅଫିସର ପ୍ରଦୀପ ସାହୁ ଏହି ସୂଚନା ଦେଇଛନ୍ତି । ଯେଉଁମାନଙ୍କ ପ୍ରାର୍ଥୀପତ୍ର ଖାରଜ ହୋଇଛି, ସେମାନେ ହେଉଛନ୍ତି- ସନ୍ତୋଷ ଦାସ, ସନ୍ତୋଷ ମହାପାତ୍ର ଓ ପ୍ରିୟ ରଞ୍ଜନ ମିଶ୍ର । ଏହି ଉପ ନିର୍ବାଚନ ପାଇଁ ମୋଟ ୧୫ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ୩ ଜଣଙ୍କର ପ୍ରାର୍ଥୀପତ୍ର ଖାରଜ ହୋଇଯାଇଥିବା ବେଳେ ୧୨ ଜଣଙ୍କର କାଏମ ରହିଛି । ଆସନ୍ତା ୩ ତାରିଖ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ।
ସେହି ଦିନ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବାର ସମୟ ରହିଛି । ପିପିଲି ଉପନିର୍ବାଚନ ପାଇଁ ବିଜେଡି ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହରଥୀଙ୍କୁ ପ୍ରାର୍ଥୀ କରିଛି । ବିଜେପି ପୁଣି ଥରେ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି । ୨୦୧୯ ନିର୍ବାଚନରେ ଆଶ୍ରିତ ଏହି ଆସନରୁ ପ୍ରଦୀପ ମହାରଥୀଙ୍କ ବିରୋଧରେ ଲଢ଼ି ପରାସ୍ତ ହୋଇଥିଲେ । ଅନ୍ୟପକ୍ଷରେ କଂଗ୍ରେସ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିଛି । ୨୦୧୯ ନିର୍ବାଚନରେ ମଧ୍ୟ ସେ ଏହି ଆସନରୁ ଲଢ଼ିଥିଲେ । ଏପ୍ରିଲ ୧୭ ତାରିଖରେ ପିପିଲି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ମେ’ ୨ ତାରିଖରେ ଫଳାଫଳ ଘୋଷଣା ହେବ । ( ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )
No Result
View All Result