ପାଣି ପାଇଁ ଚିରକୁଟି ; ଅଙ୍ଗନବାଡି କର୍ମୀଙ୍କଠାରୁ ଚିରକୁଟ ନେଇ ଗ୍ରାମବାସୀ ନଳକୂଅରୁ ପାଣି ସଂଗ୍ରହ କରୁଛନ୍ତି

ଓଡ଼ିଶା ତାଜା ନ୍ୟୁଜ୍ (୩୧ ମାର୍ଚ୍ଚ ୨୦୨୧, ବୁଧବାର) ରାୟଗଡ଼ା :- ପାଣି ପାଇଁ ଚିରକୁଟି , ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟ ଛଟପଟ ହେଉଥିବା ବେଳେ ରାୟଗଡ଼ା ସଦର ବ୍ଳକର ନେଲାମେଟା ଗାଁରେ ଏଭଳି ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳୁଛି । ଅଙ୍ଗନବାଡି କର୍ମୀଙ୍କଠାରୁ ଚିରକୁଟ ନେଇ ଗ୍ରାମବାସୀ ନଳକୂଅରୁ ପାଣି ସଂଗ୍ରହ କରୁଛନ୍ତି । ବିଶେଷ କରି ରାୟଗଡ଼ା ସଦର ବ୍ଳକର ନେଲାମେଟା ଗାଁରେ ଦେଖିବାକୁ ମିଳିଛି ଅଦ୍ଭୁତ ଦୃଶ୍ୟ । ନଳକୂଅ ନିକଟରେ ମହିଳାଙ୍କ ଲମ୍ବା ଧାଡ଼ି ଲାଗୁଛି । କାହା ହାତରେ ଗରା ତ ଆଉ କାହା ହାତରେ ବାଲ୍ଟି ।

ତା ସାଙ୍ଗକୁ ଖଣ୍ଡେ ଖଣ୍ଡେ ଧଳା କାଗଜର ଚିରକୁଟି । ଏହି ଚିରକୁଟିରେ ଲେଖାଯାଇଛି ମହିଳାଙ୍କ ନାଁ । ଯାହାକୁ ଚିରକୁଟି ମିଳୁଛି, ସେ ନଳକୂଅରୁ ପାଣି ନେଉଛି । ଏ ଦୃଶ୍ୟ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। କିନ୍ତୁ ପ୍ରତିଦିନ ପାଣି ପାଇଁ ଅଙ୍ଗନବାଡି କର୍ମୀଙ୍କଠାରୁ ଚିରକୁଟି ସଂଗ୍ରହ କରୁଛନ୍ତି ଗାଁର ମହିଳାମାନେ । ନାଗାବଳୀ ନଦୀ କୂଳରେ ଥାଇ ମଧ୍ୟ ଗାଁରେ ଭୀଷଣ ଜଳକଷ୍ଟ । ୨୦ଟି ପରିବାର ପାଇଁ ରହିଛି ଗୋଟିଏ ମାତ୍ର ଟ୍ୟୁବ୍‌ୱେଲ, ହେଲେ ତାହା ବି ଠିକ୍‌ରେ କାମ କରୁନି। ମାତ୍ର ୧୦-୨୦ ହାଣ୍ଡି ପାଣି ବାହାରିବା ପରେ ଆଉ ପାଣି ବାହାରୁ ନଥିବା ଲୋକଙ୍କ ଅଭିଯୋଗ କରିଛନ୍ତି । (ରିପୋର୍ଟ /ଭଞ୍ଜ ବିହାରୀ ମହାନ୍ତି )