ଚୋରା ବାଲି ଚାଲାଣକାରୀଙ୍କ ଚରାଭୂଇଁ ପାଲଟିଛି ତେଲକୋଇ ତହସିଲ ଅଧିନ ସମାକୋଇ ନଦୀର ବାଲିଘାଟ

ଓଡ଼ିଶା ତାଜା ନ୍ୟୁଜ୍ (୩୦ ମାର୍ଚ୍ଚ ମଙ୍ଗଳବାର ) ତେଲକୋଇ :- ଚୋରା ବାଲି ଚାଲାଣକାରୀଙ୍କ ଚରାଭୂଇଁ ପାଲଟିଛି ତେଲକୋଇ ତହସିଲ ଅଧିନ ସମାକୋଇ ନଦୀର ବାଲିଘାଟ । କେନ୍ଦୁଝର ଜିଲ୍ଲା ତେଲକୋଇ ତହସିଲ ସମା କୋଇ ନଦୀର ବାଲିଘାଟ ଗୁଡିକରୁ ଦୈନିକ ଶହ ଶହ ଟ୍ରିପ ବାଲି ଚୋରା ରେ ଚାଲାଣ ହେଉଛି । ସବୁ ଜାଣି ରାଜସ୍ବ ବିଭାଗ ଚୁପ୍ । ସମାକୋଇ ନଦୀର ତେଲକୋଇ ଓ ଦୋବଲାପାଳ ବାଲିଘାଟକୁ ରାଜସ୍ବ ବିଭାଗ ବାଲି ଉଠାଇବା ପାଇଁ ଲିଜ ଦେଇଥିବା ବେଳେ ଅନ୍ୟ ବାଲି ଘାଟ ଗୁଡିକୁ ରାଜସ୍ବ ବିଭାଗ ପକ୍ଷରୁ କାହାକୁ ଲିଜ ଦିଆଯାଇନାହିଁ ।

ସରକାରୀ ଭାବେ ଲିଜ ଦିଆଯାଇ ନଥିବା ପଙ୍ଗା, ତାଳପଦା, ଚକଧର, କୁମୁଣ୍ଡୁ, ସଂତେଇଭଞ୍ଜ, କଦମବାଲି, ସାପଲାଞ୍ଜି,ବାଙ୍ଗୁରୁପାଳ ଆଦି ୨୦ ଟି ଘାଟରୁ ଦୈନିକ ଶହ ଶହ ଟ୍ରିପ ବାଲି ଚୋରାରେ ଚାଲାଣ ହେଉଛି । ରାଜସ୍ବ କର୍ମଚାରୀ ଏବଂ ମାଫିଆଙ୍କ ମଧୁ ଚନ୍ଦ୍ରିକାରେ ବାଲି ଚାଲାଣ ହେଉଥିବା ଅଭିଯୋଗ ହେଉଛି ।

କେବେ କେମିତି ଗୋଟିଏ ଦୁଇଟି ଗାଡି ସିଜ୍ କରି ଦାୟିତ୍ବ ସାରି ଦେଉଛନ୍ତି ତହସିଲଦାର । ଫଳରେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ କ୍ଷତି ହେଉଛି । ଦିନ ଦ୍ବିପହରରେ ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ବାଲି ଚାଲାଣ ହେଉଥିଲେ ମଧ୍ୟ ରାଜସ୍ଵ ବିଭାଗ କାହା ସ୍ବାର୍ଥରେ ଚୋରା ଚାଲାଣକାରୀଙ୍କୁ ଅନୁକମ୍ପା ଦେଖାଉଛି ତାହା ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । (ରିପୋର୍ଟ /ଭଞ୍ଜ ବିହାରୀ ମହାନ୍ତି )