ସୁନ୍ଦରଗଡ଼ ଜିଲ୍ଲାରେ ବନ୍ଦ ହେଉନି ମାଟିଇଟା ଭାଟି, ମୂର୍ତ୍ତିକା କ୍ଷୟ ହେବା ସହ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଛି

ଓଡ଼ିଶା ତାଜା ନ୍ୟୁଜ୍ (୩୦ ମାର୍ଚ୍ଚ ମଙ୍ଗଳବାର ) ରାଉରକେଲା :- ବାୟୁ ପ୍ରଦୂଷଣ ଓ ମୂର୍ତ୍ତିକା ସଂରକ୍ଷଣ ରୋକିବାକୁ ମାଟିଇଟା ତିଆରିକୁ ସମ୍ପୂର୍ଣ୍ଣ ନିଷେଧ କରିଛନ୍ତି ରାଜ୍ୟ ସରକାର। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ସରକାରଙ୍କ ନିର୍ଦ୍ଦେଶ କେବଳ କାଗଜ କଲମରେ ଚାଲିଛି। ପ୍ରଦୂଷଣ ବିଭାଗ, ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ଇଟାଭାଟି ମାଲିକଙ୍କ ଭିତିରି ସଲାସୁତୁରାରେ ସବୁ କିଛି ଚାଲିଛି। କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସେମାନଙ୍କୁ ଓଲଟା ପ୍ରୋତ୍ସାହନ ଦିଆଯାଉଛି। ସୁନ୍ଦରଗଡ ଜିଲ୍ଲାର ଅଧିକାଂଶ ବ୍ଲକରେ ଏମିତି ଶହ ଶହ ଇଟାଭାଟି ବେଆଇନ ଭା‌ବେ ଚାଲିଛି। ଇଟାଭାଟି ମାଲିକମାନେ ପ୍ରଦୂଷଣ ବିଭାଗ, ସ୍ଥାନୀୟ ତହସିଲ ଅଫିସର କର୍ମଚାରୀଙ୍କ ସହ ଭିତିରି ସଲାସୁତୁରା କରି ସରକାରଙ୍କ ନିର୍ଦ୍ଦେଶନାମାକୁ ଫୁଃ କରି ଦେଇଛନ୍ତି।

ସେପଟେ ପ୍ରଦୂଷଣ ବିଭାଗର ଏସବୁ ମାଟି ଇଟାଭାଟିକୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇ ଚୁପ୍‌ ବସିଛି। ଫଳରେ ବର୍ଷ ବର୍ଷ ଧରି ଏସବୁ ମାଟି ଇଟାଭାଟି ବେଧଡକ ଚାଲିଛି। ପାନପୋଷ ଉପଖଣ୍ଡ ଲାଠିକଟା, ନୂଆଗାଁ, ବିଶ୍ରା ସମେତ ସୁନ୍ଦରଗଡ ଜିଲ୍ଲାର ଅନେକ ବ୍ଲକରେ ଏକାଧିକ ମାଟି ଇଟାଭାଟି ଚାଲିଛି। ଫଳରେ ମୂର୍ତ୍ତିକା କ୍ଷୟ ହେବା ସହ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଛି। ବିଶ୍ରା, ଲାଠିକଟା, ନୂଆଗାଁ, କୁଆରମୁଣ୍ଡା ଆଦି ଅନେକ ବ୍ଲକରେ ୩୦ରୁ ଅଧିକ ମାଟି ଇଟାଭାଟି ଚାଲିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଇଟାଭାଟି ମାଳିକମାନେ ମୂ୍ର୍ତିକା କ୍ଷୟ ମୁଖ୍ୟ ନାୟକ ପାଲଟିଛନ୍ତି।

ମାଟି ଇଟା ବିକ୍ରି କରି ସାଧାରଣ ଲୋକଙ୍କୁ ଶୋଷଣ କରିଚାଲିଛନ୍ତି। ବିଶ୍ରା ବ୍ଲକର ପୁରୁଣା ବିଶ୍ରା, ଗୁଡଗୁଡଜୋର, ଲାଠିକଟାର ସୁଇଡିହି ସମେତ ଅନ୍ୟାନ୍ୟ ଜାଗାରେ ବେଆଇନ ଇଟାଭାଟିଗୁଡ଼ିକୁ ଚାଲୁଥିଲେ ହେଁ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ନୀରବଦ୍ରଷ୍ଟା ସାଜିଛନ୍ତି। ମାଲିକମାନେ ଏସବୁ ମାଟି ଇଟାକୁ ଟ୍ରକ, ଟାକ୍ଟର, ଡମ୍ପରଯୋଗେ ବିଭି୍ନ୍ନ ସ୍ଥାନକୁ ପଠାଉଛନ୍ତି। ସ୍ଥାନୀୟ ତହସିଲର ଅଧିକାରୀମାନେ ଏଗୁଡ଼ିକ ଜବତ କରିବା ସହ ସ୍ଥାନୀୟ ପୁଲିସ ସହ ମିଶି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଛନ୍ତି।

ବର୍ତ୍ତମାନ ଖଣ୍ଡେ ଇଟାକୁ ୭ରୁ ୮ ଟଙ୍କା ହିସାବରେ ବିକ୍ରି କରାଯାଉଛି। ଏପରି ଭାବେ ଗୋଟିଏ ଟ୍ରାକ୍ଟର ଇଟାକୁ ୧୦ ହଜାର, ଟ୍ରକ (୨୫୦୦) ଇଟାକୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଛନ୍ତି। ପୁରୁଣା ବିଶ୍ରା ଓ ଗୁଡ‌ଗୁଡଜୋର ଅଞ୍ଚଳରେ ଦୀର୍ଘ ବର୍ଷରୁ ଇଟାଭାଟି ମାଲିକମାନେ ସକ୍ରିୟ ହୋଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଜିଲ୍ଲାର ଗୋଟିଏ କି ଦୁଇଟି ବ୍ଲକ ନୁହେଁ ପ୍ରାୟ ଅଧିକାଂଶ ବ୍ଲକ ଅଧିନରେ ଥିବା ତହସିଲ ଅଫିସର କର୍ମଚାରୀମାନେ ସରକାରଙ୍କ ନିର୍ଦ୍ଦେଶନାମାକୁ ପାଳନ କରୁ ନାହାନ୍ତି। ଯାହାର ଫଳ ଭୋଗୁଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । (ରିପୋର୍ଟ /ଭଞ୍ଜ ବିହାରୀ ମହାନ୍ତି )