No Result
View All Result
ଓଡିଶା ତାଜା ନ୍ୟୁଜ୍ ( ୨୩ ମାର୍ଚ୍ଚ ମଙ୍ଗଳ ବାର ) ଯାଜପୁର :- ଶିଳ୍ପାଞ୍ଚଳ ଦ୍ୱାରା ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ରାଜ୍ୟ ସରକାର କହି ଆସୁଛନ୍ତି । ଏଭଳି ସମ୍ଭାବନାକୁ ଦୃଷ୍ଟିରେ ରଖି ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳ ନିକଟବର୍ତ୍ତୀ ବାସିନ୍ଦା ଶିଳ୍ପ ଦ୍ୱାରା ସୃଷ୍ଟି ହେଉଥିବା ପ୍ରଦୂଷଣଜନିତ ବିଷକୁ ସହିଚାଲିଲେ ଏହି ଆଶାରେ ଯେ, ସେମାନଙ୍କୁ ନିଯୁକ୍ତି ମିଳିବ । ହେଲେ ରାଜନୈତିକ ଅଖଣ୍ଡ କ୍ଷମତା ବଳରେ ସ୍ଥାନୀୟ ନିଯୁକ୍ତିକୁ ଶିଳ୍ପସଂସ୍ଥାର ଅଣଦେଖା ସ୍ଥାନୀୟ ଲୋକଙ୍କୁ ହତାଶ କରିଥିବାବେଳେ ସରକାର ଓ ଜିଲା ପ୍ରଶାସନ ବେଖାତିର ମନୋଭାବ ପୋଷଣ କରୁଛନ୍ତି । କଳିଙ୍ଗନଗର ଶିଳ୍ପାଞ୍ଚଳସ୍ଥିତ ବ୍ରାହ୍ମଣୀ ରିଭର୍ସ ପେଲେଟ୍ ଲିମିଟେଡ (ବିଆର୍ପିଏଲ୍) କାରଖାନାକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । କାରଖାନାର ପ୍ରଦୂଷଣରେ ପ୍ରଭାବିତ ଖୁରୁଣ୍ଟି ଗ୍ରାମବାସୀ ବିସ୍ଥାପନ ଓ ନିଯୁକ୍ତି ଦେବାକୁ ପ୍ରାୟ ୩ ବର୍ଷ ହେଲା ଦାବି କରି ଆସୁଥିଲେ
ହେଁ ସେମାନଙ୍କ ସହ ଆଲୋଚନା କରିବାକୁ ଉଭୟ ଜିଲା ପ୍ରଶାସନ ଏବଂ କମ୍ପାନୀ କର୍ତ୍ତୃପକ୍ଷ ସମୟ ଗଡ଼ାଉଛନ୍ତି । କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ୨୦୧୫ ସୁଦ୍ଧା ବିଆର୍ପିଏଲ୍ରେ ୧୨୫ ଜଣ ନିୟମିତ ଅଧିକାରୀ ଓ କର୍ମଚାରୀ ନିୟୋଜିତ ହୋଇଥିଲେ । ଏହି ସଂଖ୍ୟା ୨୦୨୦ ମେ ସୁଦ୍ଧା ୧୧୯କୁ ହ୍ରାସ ପାଇଛି । ଏଥିରେ ଓଡ଼ିଆଙ୍କ ନିଯୁକ୍ତି ସଂଖ୍ୟା ୮୨.୩୫% ବୋଲି କମ୍ପାନୀ ପକ୍ଷରୁ ଦର୍ଶାଯାଇଛି । ହେଲେ ବାସ୍ତବରେ ଦର୍ଶିତ ସଂଖ୍ୟାଠାରୁ ବହୁଗୁଣରେ ଅଧିକ ଅଣଓଡ଼ିଆ କାର୍ଯ୍ୟ କରୁଛନ୍ତି ବୋଲି ଖୁରୁଣ୍ଟି ଗ୍ରାମବାସୀ କହିଛନ୍ତି । ଏହି କମ୍ପାନୀରେ ଓଡ଼ିଆ ଓ ଅଣଓଡ଼ିଆ କର୍ମଚାରୀ ସଂଖ୍ୟା ଉପରେ କେବେ ପ୍ରଶାସନିକ ତଦନ୍ତ ହୋଇନାହିଁ । କମ୍ପାନୀ ଯେଉଁ ତଥ୍ୟ ଦେଉଛି, ପ୍ରଶାସନିକ ଅଧିକାରୀମାନେ ତାକୁ ଆଖିବୁଜି ଗ୍ରହଣ କରିଦେଉଥିବାରୁ ସ୍ଥାନୀୟ ନିଯୁକ୍ତିକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି । ୨୦୧୫ ସେପ୍ଟେମ୍ବର ୧୪ରେ ନିର୍ବାଚିତ ପଞ୍ଚାୟତିରାଜ ପ୍ରତିନିଧି ଓ ଅଞ୍ଚଳବାସୀଙ୍କ ପକ୍ଷରୁ ସ୍ଥାନୀୟ ନିଯୁକ୍ତିକୁ ନେଇ ସୁକିନ୍ଦା ବନ୍ଦ ଡାକରା ଦିଆଯାଇଥିଲା ।
ତେବେ ତତ୍କାଳୀନ ଶିଳ୍ପମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ହସ୍ତକ୍ଷେପ ଯୋଗୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଆନ୍ଦୋଳନର ଗୋଟିଏ ଦିନ ପୂର୍ବରୁ ହୋଇଥିବା ସମାଧାନ ବୈଠକରେ ବିଶେଷକରି ଓଡ଼ିଆ ଓ ଅଣଓଡ଼ିଆ ନିଯୁକ୍ତିକୁ ନେଇ ବହୁ ସମୟ ଧରି ଆଲୋଚନା ହୋଇଥିଲା । ଏହାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଥିଲା । କମିଟିରେ ଜିଲାପାଳ, ବିଧାୟକ ଏବଂ କମ୍ପାନୀ କର୍ତ୍ତୃପକ୍ଷ ସଭ୍ୟ ଭାବେ ରହିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ସମାଧାନ ବୈଠକର ୧୫ ଦିନ ମଧ୍ୟରେ କମିଟି ନିଯୁକ୍ତି ସମ୍ପର୍କରେ ତଦାରଖ କରି ରିପୋର୍ଟ ଦେବାକୁ ତତ୍କାଳୀନ ଆର୍ଡିସି ବିକାଶ କୁମାର ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ନିର୍ଦ୍ଦେଶକୁ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇଥିଲେ ହେଁ ସ୍ଥାନୀୟ ନିଯକ୍ତି ସମ୍ପର୍କରେ କୌଣସି ତଦନ୍ତ ହୋଇ ପାରିନାହିଁ ।
ଜିଲାର ସୁକିନ୍ଦା ବ୍ଲକ ସାରଙ୍ଗପୁର ପଞ୍ଚାୟତ ଖୁରୁଣ୍ଟି ଗ୍ରାମରେ ୨୫ ଗରିବ ପରିବାର ବସବାସ କରୁଛନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ ବିଆର୍ପିଏଲ୍ କାରଖାନା ପାଇଁ ସେମାନଙ୍କ ଚାଷଜମି ଯାଇଛି । ଫଳରେ ସେମାନେ ଜୀବିକା ହରାଇ କୁଲିମଜୁରି କରି ପରିବାର ପ୍ରତିପୋଷଣ କରୁଛନ୍ତି । ଗ୍ରାମର ସମସ୍ତେ ଭଙ୍ଗାଦଦରା କୁଡ଼ିଆରେ ରୁହନ୍ତି । କାରଖାନାର ବାୟୁ ଓ ଜଳ ପ୍ରଦୂଷଣରେ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ କିଡ୍ନୀ ରୋଗରେ ଜୀବନ ଗଲାଣି । ଗତ ୩ ମାସରେ ପୁଣି ୪ କିଡ୍ନୀ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗ୍ର୍ରାମକୁ ଲାଗି ରହିଥିବା କାରଖାନା ରାସ୍ତାରେ ଦୈନିକ ଶତାଧିକ ମାଲ ବୋଝେଇ ଗାଡ଼ି ଚଳାଚଳ କରୁଛି । ଏହାର ଧୂଳି ଓ କାରଖାନାର ବିଷାକ୍ତ ଧୂଆଁରେ ସେମାନଙ୍କ ଜୀବନ ବିପନ୍ନ ହୋଇଛି । ଗୁଜବ ହେଉଛି ଯେ, ରାଜ୍ୟର ଜଣେ ଉଚ୍ଚପାହ୍ୟା ପ୍ରଶାସନିକ ଅଧିକାରୀଙ୍କ ଅନେକ ଟ୍ରକ୍ ଏହି କାରଖାନାରେ ଲାଗିଥିବାରୁ ସରକାରୀ ସ୍ତରରେ ସ୍ଥାନୀୟ ଲୋକଙ୍କ ଅସନ୍ତୋଷକୁ ଜୋରଜବରଦସ୍ତି ଚାପି ଦିଆଯାଉଛି । ଏହି କାର୍ଯ୍ୟରେ ରାଜନେତାମାନେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବୁଡ଼ି ରହିଛନ୍ତି । କାରଣ କମ୍ପାନୀ ଏ ଦିଗରେ ଯଥେଷ୍ଟ ଅର୍ଥ ଖର୍ଚ୍ଚ କରି ସମସ୍ତଙ୍କୁ ସନ୍ତୁଷ୍ଟ କରିଆସୁଛି । ( ଯାଜପୁର ରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)
No Result
View All Result