No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୨୨ ମାର୍ଚ୍ଚ ସୋମବାର ) ଭୁବନେଶ୍ୱର :- କଟକ ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମଧ୍ୟ ଦୋଳ ଓ ହୋଲି ପାଇଁ ଜାରି କରିଛି ନୂଆ ଗାଇଡଲାଇନ୍ । ବିଏମସିର ନୂଆ ଗାଇଡଲାଇନ୍ ମୁତାବକ, ଦୋଳ ମେଳଣ ଯାତ୍ରା ବେଳେ ବିମାନ ସହ ସର୍ବାଧିକ ୬ଜଣଙ୍କୁ ଅନୁମତି ମିଳିଛି । ତେବେ ମେଳଣ ସମୟରେ ଜନସାଧାରଙ୍କୁ ଆକୃଷ୍ଟ କଲା ଭଳି କୌଣସି ଶୋଭାଯାତ୍ରା, ବାଜା, ଘଣ୍ଟ ବଜା ଯାଇ ପାରିବ ନାହିଁ । ବିମାନ କାନ୍ଧଉଥିବା ବ୍ୟକ୍ତି ଜଣକ ମୁହଁରେ ମାସ୍କ ପିନ୍ଧିଥିବା ନିହାତି ଜରୁରୀ ।
ଦୋଳ ମେଳଣ ପଡ଼ିଆରେ ୫୦ରୁ ୬୦ ଜଣ ଲୋକଙ୍କୁ ରହିବା ପାଇଁ ଅନୁମତି ଦେବା ପାଇଁ ଆୟୋଜକଙ୍କୁ ନିର୍ଦ୍ଦେଶ ଦେଇଛି ବିଏମସି । ଏହାସହ ମେଳଣ ପଡ଼ିଆ ଭିତରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ସହ ସମସ୍ତ କୋଭିଡ୍ କଟକଣା ମାନିବାକୁ କୁହାଯାଇଛି । ଦୋଳ ମେଳଣ ପଡ଼ିଅରେ ଯାତ୍ରା, ଅର୍କେଷ୍ଟ୍ରା, ମୀନା ବଜାର ଆଦି ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଦୋଳ ମେଳଣର ଆୟୋଜନ ପାଇଁ ଆୟୋଜକଙ୍କୁ ବିଏମସିର ଅନୁମତି ନେବାକୁ ପଡ଼ିବ ।
ସୂଚନାଯୋଗ୍ୟ, ଆଜି ରାଜ୍ୟରେ ୧୪୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେବଳ ଖୋର୍ଦ୍ଧା ଜିଲ୍ଲାରୁ ୩୫ ଜଣ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ସ୍ଥିତ ଘରୋଇ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ XIMBରୁ ୨୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିପାଇଁ ଏ ଅନୁଷ୍ଠାନକୁ ସିଲ୍ କରିଦିଆଯାଇଛି ।
No Result
View All Result