No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୨୨ ମାର୍ଚ୍ଚ ସୋମବାର ) ଚାନ୍ଦପୁର, ରିପୋର୍ଟ /ଅଭିମନ୍ୟୁ ମହାରଣା :- ଶବର ରାଜା ଭକ୍ତ ବିଶ୍ୱାବାସୁଙ୍କ କନିଷ୍ଠ ଭ୍ରାତା ବିଶ୍ୱବାସବଙ୍କ ଦ୍ୱାରା ପ୍ରତିଷ୍ଠିତ ସର୍ବପ୍ରାଚୀନ ଗଡ଼ଜାତ ରଣପୁର ରାଜ୍ୟର ଐତିହାସିକ ଚାନ୍ଦପୁର ଦଶଦୋଳ ମେଳଣ ମହୋତ୍ସବ ଦୋଳ ପୂର୍ଣ୍ଣମୀ ଗତେ ଦଶମ ଦିବସ ଦିନ ପାଟପଟୁଆର ସହ ଦୋଳମାନେ ବିଜେ କରିଥାନ୍ତି ଓ ତହିଁ ପରଦିନ ମଧ୍ୟରାତ୍ରରେ ମେଳଣ ମହୋତ୍ସବ ଏଠାକାର ଯାତର ନିଆରା ପରଂପରା । “ଚାନ୍ଦପୁର” ରଣପୁର ଗଡ଼ଜାତର ଗ୍ରୀଷ୍ମକାଳୀନ ରାଜଧାନୀ ଓ ବାଣିଜ୍ୟିକ ପେଣ୍ଠସ୍ଥଳୀ ଅଟଇ, ଏଠାରେ ଅବସ୍ଥାପିତ ବସନ୍ତ ମଞ୍ଜରୀ ଯକ୍ଷ୍ମା ସ୍ୱାସ୍ଥ୍ୟ ନିବାସ ରାଜ୍ୟର ସର୍ବବୃହତ ଭାବେ ନାମକରା ଅନୁଷ୍ଠାନ ଥିଲା, ଯାହାକି ଆଜି ତିନିଶହ ଶଯ୍ୟା ବିଶିଷ୍ଟ ସାଧାରଣ ଚିକିତ୍ସାଳୟରେ ପରିଣତ ହୋଇଛି । ଏଠାରୁ ଅନତି ଦୂରରେ ଶୋଭାର ଅପରୂପା ଭଣ୍ଡାର “ଚିଲିକା” ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଶଣ ।
କଥିତ ଲୋକକଥା ଅନୁଯାୟୀ ଚିଲିକା କୁଳସ୍ଥ ନଇରୀ ଗ୍ରାମର ଦଶଦୋଳ ମହାମାରୀ ଆତଙ୍କ ଯୋଗେ ସଂପୃକ୍ତ ବର୍ଷ ହୋଇ ନ’ପାରିବାରୁ ଆସିଥିବା ବ୍ୟବସାୟୀମାନେ ଆଜିର ଚାନ୍ଦପୁର ଦୋଳପଡ଼ିଆରେ ନିଜର ପସରା ମେଲି ବେଉସା କରିଥିଲେ । ଫଳତଃ ଏ ଘଟଣା ସେ ସମୟରେ ଏଠାରେ ଏକ ଯାତ କରିବାର ପ୍ରେରଣାର ଉତ୍ସ ପାଲଟିଥିଲା । ଏଥିରେ ଉଦବୁଦ୍ଧ ହୋଇ ଜନଗଣ ପକ୍ଷରୁ କନ୍ଧନୟାଗଡ଼ ଗ୍ରାମର ୰ଅଦିକନ୍ଦ ଦାସ ଓ ଚାନ୍ଦପୁର ଗ୍ରାମର ୰କଳେଇ ସାହୁ ତତ୍କାଳୀନ ରାଜା ସାହେବ ପାଖରେ ଦଶଦୋଳ ଯାତ ପାଇଁ ଅନୁରୋଧ ରଖିଥିଲେ ଓ ଏଥିରେ ବିଶ୍ୱସ୍ଥ ରାଜ କର୍ମଚାରୀ କନ୍ଧନୟାଗଡ଼ ଗ୍ରାମର ୰ରାଜନ ବଳବନ୍ତରାୟ ରାଜା ୰କୃଷ୍ଣଚନ୍ଦ୍ର ନରେନ୍ଦ୍ରଙ୍କୁ ପ୍ରଭାବିତ କରାଇ ୧୯୩୬ ମସିହାରେ ସନନ୍ଦ କରାଇଥିଲେ ।
ଏହି ଯାତ୍ରାରେ ପାଖଆଖ ଶତାଧିକ ଗ୍ରାମର ସହସ୍ରାଧିକ ଜନତାଙ୍କ ବିପୁଳ ସମାଗମ ହୋଇଥାଏ । ରାଜ ସନନ୍ଦ ମୁତାବକ ଭୋଗ ସାମଗ୍ରୀ, ହରିହର ଭେଟ, ମେଳଣ, ଅତସବାଜି ପ୍ରଦର୍ଶନ ପ୍ରଭୃତି ଦେବନୀତି, ପରଂପରା ପାଳନ ଆଜଯାଏ ବଜାୟ ରହିଛି । ଚାନ୍ଦପୁର ଗ୍ରାମରୁ ସଭାପତି ଓ କନ୍ଧନୟାଗଡ଼ ଗ୍ରାମରୁ ସଂପାଦକ ଥାଇ ଏକ ଆଚଂଳୀକ କମିଟି ସ୍ଥାନୀୟ ପ୍ରଶାସନିକ ସହଯୋଗରେ ଯାତ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିଥାନ୍ତି । ଯାତ୍ରାକୁ ୧୩ଗୋଟି ମୌଜାରୁ ୨୧ଦୋଳରେ ବାଇଶି ଠାକୁରଙ୍କ ବିଜେ ପ୍ରତିମା ବିଜେ କରିଥାନ୍ତି । ରଣପୁର ଗଡ଼ଜାତ ଅଚଂଳ ବ୍ୟତୀତ ପଡ଼ୋଶୀ ଖୋର୍ଦ୍ଧାଜିଲ୍ଲା ଭଜାଗଡ଼ ଖାସମାହାଲ ଅଚଂଳରୁ ଦୁଇ ଠାକୁର ଆସିଥାନ୍ତି, ଅତିଥି ଠାକୁରଙ୍କ ନିମିତ ସ୍ୱତନ୍ତ୍ର ଭୋଗନୀତି ଅନୁଷ୍ଠିତ ହୋଇଥାଏ ।
ଚାନ୍ଦପୁର ଗ୍ରାମର ପୀଠାଧିଶ୍ୱରୀ ମା’ରାମଚଣ୍ଡୀ ବିଜେ କଲାପରେ କନ୍ଧନୟାଗଡ଼ ଗ୍ରାମର ଇଷ୍ଟଠାକୁର ଶ୍ରୀ ଇଶାନେଶ୍ୱରଙ୍କ ନେତୃତ୍ୱରେ ସମସ୍ତ ଠାକୁର ମଣ୍ଡପେ ବିରାଜମାନ କରିଥାନ୍ତି । ଶ୍ରୀ ଇଶାନେଶ୍ୱର ଦେବଙ୍କ ଆଗମନ ସମୟର ଦୃଶ୍ୟ ଅତୀବ ମନୋରମା, ଚିତାକର୍ଷକ ଓ ଭକ୍ତି ରସାତ୍ମକ ମଧ୍ୟ । ଅନ୍ୟମାନଙ୍କ ମଧ୍ୟରେ ଯେମାଦେଇପୁର, ଚାନ୍ଦପୁର, କନ୍ଧନୟାଗଡ଼, ଭଜାଗଡ଼, ଓସ୍ତପଡ଼ା, ଜଙ୍କିଆ, ପଟିଆ, ଚଂପାଗଡ଼, ବେଂଟ, ଏକତାଳ, ନୂଆପଡ଼ା, ଚଂପାପେଡ଼, ନାକିଠଣା ମୌଜାର ଇଷ୍ଟ ଠାକୁରମାନେ ସୁସଜ୍ଜିତ ବିମାନରେ ଆସି ମଣ୍ଡପେ ବିଜେ କରିଥାନ୍ତି । ଦୋଳରେ ଦୋଳଗୋବିନ୍ଦ, ଚାପତର ମଧୁସୂଦନ ଓ ରଥରେ ବାମନରୂପୀ ଶ୍ରୀ ଜଗନ୍ନାଥଙ୍କ ଦର୍ଶନେ ପୁଣ୍ୟଲାଭ ହୁଏ ବୋଲି ସନାତନୀ ବିଶ୍ୱାସ ରହିଛି ।
ବିନା ସରକାରୀ ସହାୟତାରେ ଅଚଂଳବାସୀଙ୍କ ନିଜସ୍ୱ ଅର୍ଥରେ କମିଟି ବ୍ୟୟଭାର ବହନ କରିଥାଏ । ଏହି ସମୟରେ ପ୍ରବାସୀ ଅଂଚଳବାସୀଙ୍କ ନିଶ୍ଚିତ ଆଗମନ ହୋଇଥାଏ । ବୈଶିକ ମହାମାରୀ କରୋନା କଟକଣା ଯୋଗେ ଗତବର୍ଷ ଓ ଚଳିତବର୍ଷ ଉତ୍ସବ ଫିକା ଆଉ ଫାଙ୍କା ଥିଲେ ବି, ଭାବଗତ ଓ ଭାଗବତ ଏବଂ ଭାଇଚାରା ସଂପର୍କର ଗଣପର୍ବ ଆମ ଦଶଦୋଳ ମହୋତ୍ସବର ମାହୋଲରେ ପ୍ରତ୍ୟକଙ୍କ ହୃଦୟ ଉତ୍ସାହ ଉଦ୍ଦୀପନାରେ ଭରିଥାଏ । ଚଳିତବର୍ଷ ବିଧିରକ୍ଷା ପାଇଁ ନିରାଡ଼ମ୍ବର ଭାବେ ଏହି ମହୋତ୍ସବ ପାଳିତ ହେବାଜୁ ଯାଉଛି କିନ୍ତୁ ଆମ ଅଂଚଳର ଏହି ଗଣପର୍ବର ମହାନ ଭାଇଚାରା ସଂପର୍କରେ ଚାନ୍ଦପୁର ଓ କନ୍ଧନୟାଗଡ଼ ଗ୍ରାମବାସୀ ନିଜକୁ ହଜେଇ ଓ ଭିଜେଇ ଦେଇଥାନ୍ତି । ଆମେ ଗଡ଼ୁଆ ଗଡ଼ଜାତିଆ ରଣପୁରିଆଙ୍କ ଚାନ୍ଦପୁର ଦଶଦୋଳ ମେଳଣ ମହୋତ୍ସବ ଭାରି ବଢ଼ିଆ ।
No Result
View All Result