No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ମାର୍ଚ୍ଚ ସୋମବାର ) ଭୁବନେଶ୍ୱର :- ଭୂତଳ ଜଳ ବ୍ୟବହାରକୁ ନେଇ ହୋଇଥିବା କଟକଣାକୁ କେହି ମାନୁନାହାନ୍ତି । ଏଥିଯୋଗୁ ଭୂତଳ ଜଳସ୍ତର ନିମ୍ନଗାମୀ ହେଉଛି । ଫଳରେ ଗ୍ରୀଷ୍ମମାସରେ ଜଳସ୍ତର ଅଧିକ ନିମ୍ନଗାମୀ ହୋଇ ନଳକୂପ, କୂଅ ଆଦିରୁ ପାଣି ଶୁଖିଯାଉଛି। ଏହିକ୍ରମରେ ମାଲକାନଗିରି ଜିଲା କୁଡୁମୁଲୁଗୁମ୍ମା ବ୍ଲକ ଅଞ୍ଚଳରେ ମୌସୁମୀ ପୂର୍ବରୁ ସର୍ବାଧିକ ଭୂତଳ ଜଳସ୍ତର ହ୍ରାସ ପାଉଥିବା ହାଇଡ୍ରୋ ମେଟ୍ରିକ ନିର୍ଦ୍ଦେଶାଳୟରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ଗତ ୧୨ ତାରିଖରେ ଗ୍ଲୋବାଲ ୱାର୍ମିଂ ସଂକ୍ରାନ୍ତରେ ଲୋକ ସଭା ପ୍ରଶ୍ନସଂଖ୍ୟା ୭୪୫୭ର ଉତ୍ତରରେ ହାଇଡ୍ରୋମେଟ୍ରି ନିର୍ଦ୍ଦେଶକ ଗତ ୩ ବର୍ଷର ଭୂତଳ ଜଳସ୍ତରର ତଥ୍ୟ ଦାଖଲ କରିଛନ୍ତି ।
ଉକ୍ତ ତଥ୍ୟରେ ମାଲକାନଗିରି ଜିଲା କୁଡୁମୁଲୁଗୁମ୍ମା ଓ ଖଇରପୁଟ ବ୍ଲକ ସମେତ ଅନୁଗୋଳ ଜିଲା ଛେଣ୍ଡିପଦା, ବାଲେଶ୍ୱର ଜିଲା ବାଳିଆପାଳ, ବୌଦ୍ଧ ଜିଲା ହରଭଙ୍ଗା, ଗଜପତି ଜିଲା ଗୁମ୍ମା, ଗଞ୍ଜାମ ଜିଲା ସୋରଡ଼ା, କୋରାପୁଟ ଜିଲା କୁନ୍ଦ୍ରା, ନାରାୟଣପାଟଣା ଓ ପଟାଙ୍ଗୀ, ମୟୂରଭଞ୍ଜ ଜିଲା ଯଶିପୁର, ନବରଙ୍ଗପୁର ଜିଲା ଡାବୁୁଗଁା ଓ ଝରିଗଁା, ନୂଆପଡ଼ା ଜିଲା ବୋଡେନ ଓ ଖରିଆର, ରାୟଗଡା ଜିଲା ରାୟଗଡ଼ା, ସୁନ୍ଦରଗଡ଼ ଜିଲା କୁଟୁରା ଓ ସୁନ୍ଦରଗଡ ବ୍ଲକ ଅଞ୍ଚଳରେ ଭୂତଳ ଜଳସ୍ତର ୧୦ ଏମ୍ବିଜିଏଲ୍(ମିଟର ବିଲୋ ଗ୍ରାଉଣ୍ଡ ଲେଭଲ)ରୁ ତଳକୁ ରହିଥିବା ଦର୍ଶାଯାଇଛି। ଏହା ସାଧାରଣ ଜଳସ୍ତରଠାରୁ ଉଦ୍ବେଗଜନକ ସ୍ଥିତିରେ ରହିଥିବା ପରିବେଶବିତ୍ମାନେ ମତପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ରାଜ୍ୟର ପ୍ରାୟ ୯୦% ବ୍ଲକ ଅଞ୍ଚଳରେ ଭୂତଳ ଜଳସ୍ତର ୫ ଏମ୍ବିଜିଏଲ୍ ରହିଥିବା ଉକ୍ତ ତଥ୍ୟରୁ ଜଣାପଡ଼ିଛି ।
କ୍ରମାଗତ ଭାବରେ ଭୂତଳ ଜଳସ୍ତର ହ୍ରାସ ପାଇବା କାରଣରୁ ରାଜ୍ୟରେ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରୁଛି। ପ୍ରତିବର୍ଷ ଗ୍ରୀଷ୍ମ ମାସରେ ଜଳ ସମସ୍ୟା ଦୁର୍ବିଷହ ସ୍ଥିତିରେ ପହଞ୍ଚିଛି। ରାଜ୍ୟରେ ଭୂତଳ ଜଳସ୍ତର ହ୍ରାସ, ଭୂତଳକୁ ଜଳ ପୁନଃଭରଣ ଓ ପ୍ରଦୂଷଣମୁକ୍ତ କରିବା ପାଇଁ ସେତେଟା ଗୁରୁତ୍ୱ ଦିଆଯାଉନାହିଁ। ରାଜ୍ୟରେ ଭୂତଳ ଜଳସ୍ତର ହ୍ରାସ ପାଇବା ସହ ପ୍ରବାହିତ ବିଭିନ୍ନ ପ୍ରାକୃତିକ ଜଳଉତ୍ସ, ଝରଣା, ନଦୀ, ନାଳ ଶୁଷ୍କ ହୋଇ ପଡୁଛି। ଫଳରେ ମଣିଷଠାରୁ ଜୀବଜନ୍ତୁ ପର୍ଯ୍ୟନ୍ତ ପାଣି ପାଇଁ ଡହଳବିକଳ ହେଉଛନ୍ତି । ରାଜ୍ୟରେ ଖଣି ଖନନ, ଶିଳ୍ପାୟନ ଓ ଗୃହ ନିର୍ମାଣ ପାଇଁ ବ୍ୟାପକ ଭାବେ ବୃକ୍ଷଲତା କଟାଯାଉଛି ।
ତା’ ବଦଳରେ ବୃକ୍ଷରୋପଣ କରା ନ ଯିବା କାରଣରୁ ପ୍ରବହମାନ ଜଳଉତ୍ସଗୁଡିକର ଜଳ ନିର୍ଗମନ କ୍ଷମତା ହ୍ରାସପାଉଛି। ଜଳଧାର ଦିନକୁ ଦିନ ଶୁଷ୍କ ହେବା ସହ ତାହା ସ୍ଥାଣୁ ତଥା ମୃତ ପାଲଟୁଛି । ଏହାସହ ଶିଳ୍ପ କମ୍ପାନୀଗୁଡିକ ଖରାଦିନରେ ଆଖିବୁଜା ଭୂତଳ ଜଳ ବ୍ୟବହାର କରୁଛନ୍ତି। ଏହା ଭୂତଳ ଜଳସ୍ତର ହ୍ରାସର ପ୍ରମୁଖ କାରଣ ହୋଇଛି। ବେଳହୁଁ ରାଜ୍ୟରେ ଜଳସଂରକ୍ଷଣ ଓ ଭୂତଳକୁ ଜଳ ପୁନଃଭରଣ ପାଇଁ ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, କୃଷି, ଜଙ୍ଗଲ, ପରିବେଶ ଓ ପଞ୍ଚାୟତିରାଜ ବିଭାଗ ମଧ୍ୟରେ ସମନ୍ବୟ ସ୍ଥାପନ କରି ପ୍ରଣୀତ ଯୋଜନାଗୁଡିକ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରାଗଲେ ଜଳସ୍ତର ବୃଦ୍ଧି ସମ୍ଭାବନା ରହିଛି ବୋଲି ମତପ୍ରକାଶ ପାଇଛି ।
No Result
View All Result