No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ମାର୍ଚ୍ଚ ସୋମବାର ) କଳାହାଣ୍ଡି :- କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର -୨୦୨୦ ପାଇଁ ଚୂଡାନ୍ତ ରିପୋର୍ଟ ପ୍ରକାଶ ପାଇଛି। ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତା ଏହି ପୁରସ୍କାର ପାଇଥିବା ବେଳେ ଏକାଡେମୀ ପକ୍ଷରୁ ପ୍ରକାଶିତ ଚୂଡ଼ାନ୍ତ ତାଲିକାରେ କଳାହାଣ୍ଡିର ଯୁବ ଗାଳ୍ପିକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ବହୁଚର୍ଚ୍ଚିତ ଗଳ୍ପ ସଂକଳନ ‘ଖଂଗାର୍’ ସାମିଲ ଥିବା ସୂଚନା ମିଳିଛି । ଏହା ଜଣାପଡ଼ିବା ପରେ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରୁଥିବା ସୁଧୀର ଗଳ୍ପ ସମେତ କବିତା, ପ୍ରବନ୍ଧ, ଲଳିତ ନିବନ୍ଧ, ଫିଚର୍, ଅନୁବାଦ, ସଂପାଦନା, ଅଭିନୟ, ରେଡିଓ ଉପସ୍ଥାପନା ଆଦି କ୍ଷେତ୍ରରେ ପାରଦର୍ଶିତା ଦେଖାଇ ସାରିଛନ୍ତି । ସାହିତ୍ୟ ସାଧନା ପାଇଁ ସେ ଚେତାବନୀ ସାହିତ୍ୟ ସଂସଦ ପ୍ରଦତ୍ତ ଲକ୍ଷ୍ମୀକାନ୍ତ ସାହା ସ୍ମୃତି ସମ୍ମାନ ସମେତ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଥିବା ବେଳେ କେନ୍ଦ୍ର ସାହିତ୍ୟ
ଏକାଡେମୀ ଆୟୋଜିତ ‘ମୁଲାକାତ୍’ କାର୍ଯ୍ୟକ୍ରମକୁ ଗଳ୍ପ ପାଠ ପାଇଁ ଏବଂ ୱାର୍ଲ୍ଡ ଏସୋସିଏସନ୍ ଫର୍ ଆର୍ଟ୍ ଏଣ୍ଡ୍ କଲ୍ଚର୍ ଆୟୋଜିତ ୩୯ତମ ବିଶ୍ୱ କବି ମହାକୁମ୍ଭକୁ କବିତା ପାଠ ପାଇଁ ଆମନ୍ତ୍ରିତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦର ଗ୍ରାମର ୰ଯଦୁମଣି ଧଙ୍ଗଡ଼ାମାଝୀ ଓ ପ୍ରତିମା ଧଙ୍ଗଡ଼ାମାଝୀଙ୍କ ସୁପୁତ୍ର ସୁଧୀର ସଂପ୍ରତି ଅଗ୍ରଣୀ ସାହିତ୍ୟ ପତ୍ରିକା ‘ମହୁରି’ ତଥା ଓଡ଼ିଶାର ଏକମାତ୍ର ସାହିତ୍ୟ-ସମ୍ବାଦ ପତ୍ରିକା ‘ସାହିତ୍ୟ କଥା’ର ସହ-ସଂପାଦକ, କଳାହାଣ୍ଡି ଯୁବ ଲେଖକ ସମାବେଶର ସଂପାଦକ ଏବଂ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ଯୁଗ୍ମ ସଂପାଦକ ଭାବେ କାର୍ଯ୍ୟରତ । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result