No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୫ ମାର୍ଚ୍ଚ, ଶୁକ୍ରବାର ) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ଯୁବତୀଙ୍କ ସହ ପ୍ରେମ ସର୍ମ୍ପକ ପରେ ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ଘରୁ ବଳପୂର୍ବକ ଉଠାଇ ଆଣିଲେ । ପରେ ମନ୍ଦିରରେ ଶଙ୍ଖା, ସିନ୍ଦୁର ପିନ୍ଧାଇ ମିଛିମିଛିକା ବିବାହ କରିଥିଲେ । ବିବାହ ନାମରେ ଯୁବତୀଙ୍କ ସହ ବଳପୂର୍ବକ ଦୁର୍ଷ୍କମ କରିଥିଲେ । ପରେ ଏକ ଭଙ୍ଗା କାଚ ବୋତଲ ସାହାର୍ଯ୍ୟରେ ଯୁବତୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ କରିବା ଭଳି ଘଟଣା ଗତ ୨୬ ତାରିଖରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି । ଯୁବତୀଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ କେଶ ନଂ- ୮୬/୨୧ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ଘଟଣା ପରେ ମୁଖ୍ୟ ଅଭିଯୁକ୍ତ ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିବା ବେଳେ ସହଯୋଗୀ ହିଞ୍ଜିଳିକାଟୁର ପ୍ରକାଶ ଗଉଡ଼ ଓରଫ ପପୁ (୨୩)ଙ୍କୁ ପୁଲିସ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଥିଲା । ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ଭୂବନେଶ୍ୱର ଏୟାରଫିଲ୍ଡ ଥାନା ପୁଲିସ ସୁନ୍ଦରପଡ଼ା ଅଂଚଳରୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ପରେ ହିଞ୍ଜିଳି ପୁଲିସ ସହ ଯୋଗାଯୋଗ କରି ମୁଖ୍ୟ ଅଭିଯୁକ୍ତ ହିଞ୍ଜିଳିକାଟୁର ବିଶ୍ୱନାଥ ପାଣିଗ୍ରାହୀ ଓରଫ ବିଶ୍ୱଜିତ (୨୩) ଙ୍କୁ ହିଞ୍ଜିଳି ପୁଲିସକୁ ହସ୍ତାନ୍ତର କରିଥିଲା । ଗିରଫ ଯୁବକଙ୍କ ଠାରୁ ପୁଲିସ ଘଟଣାରେ ବ୍ୟବହୃତ ମୋଟର ସାଇକେଲକୁ ଜବତ କରିଛି ।
ପୁଲିସ ସୁତ୍ରରୁ ପ୍ରକାଶ ଯେ, ବୁଗୁଡ଼ା ଥାନା ଅଂଚଳର ଜଣେ ଯୁବତୀଙ୍କ ସହ ହିଞ୍ଜିଳି ଥାନା ହିଞ୍ଜିଳି ସାନ ସାହିର ବିଶ୍ୱଜିତଙ୍କ ସହ ଏକ ବିବାହ ଭୋଜିରେ ପ୍ରେମ ସର୍ମ୍ପକ ଗଢି ଉଠିଥିଲା । ପରେ ଉଭୟଙ୍କ ମଧ୍ୟରେ ମୋବାଇଲରେ ବାର୍ତାଳପ ଚାଲିଥିଲା । ଗତ ୨୫ ତାରିଖ ସକାଳେ ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀ ବଜାଜ ପଲସର ମୋଟର ସାଇକେଲ (ଓଡ଼ି୦୭ଏଏଫ ୧୯୯୭) ଯୋଗେ ବୁଗୁଡ଼ା ଥାନା ବୁଦ୍ଧଖୋଲ ନିକଟରେ ଯୁବତୀଙ୍କୁ ସାକ୍ଷାତ କରିଥିଲେ । ଯୁବତୀଙ୍କୁ ଦୁଇ ଯୁବକ ତାଙ୍କ ସହ ସାଥୀରେ ଆସିବା ସକାଶେ ପର୍ବତାଇଥିଲେ । ଯୁବତୀ ଜଣକ ରାଜି ନହେବାରୁ ଦୁଇ ଯୁବକ ଯୁବତୀଙ୍କ ବାପାକୁ ହତ୍ୟା କରିବାର ଧମକ ଦେବା ସହ ଜୋର ଜବରଦସ୍ତ ମୋଟର ସାଇକେଲରେ ଉଠାଇ ଆଣିଥିଲେ । ଆସିକା ଥାନା କରଞ୍ଜେଇ ମନ୍ଦିରରେ ମୁଖ୍ୟ ଅଭିଯୁକ୍ତ ବିଶ୍ୱଜିତ ଯୁବତୀଙ୍କୁ ଜୋର ଜବରଦସ୍ତ ସିନ୍ଦୁର ଓ ଶଙ୍ଖା ପିନ୍ଧାଇ ବିବାହ କରି ବଳପୂର୍ବକ ଶାରୀରିକ ସର୍ମ୍ପକ ରଖିଥିଲେ । ପରେ ହିଞ୍ଜିଳି ଥାନା ସିକିରି ଗ୍ରାମରେ ରହିବା ପାଇଁ ଘର ଖୋଜିବା ବାହାନରେ ଖରିଡ଼ା ନିକଟସ୍ଥ ମା’ କୁରେଇଶୁଣୀ ମନ୍ଦିରରେ ଓ ପରେ ବଇଁଚବଣିଆ ଓ ଘୋଡ଼ାହାଡ଼ ନଦୀ ନିକଟସ୍ଥ ଏକ ପମ୍ପ ହାଉସ ଓ ଧାନକ୍ଷେତ ମଧ୍ୟରେ ବାରମ୍ବାର ଶାରୀରିକ ସର୍ମ୍ପକ ରଖିଥିଲେ । ରହିବା ବାବଦକୁ ଘର ନମିଳିବାରୁ ଯୁବତୀ ଜଣକ ନିଜ ବାପା ଘରକୁ ଯିବା ପାଇଁ ଜିଦ ଧରିଥିଲେ । ଏଥିରେ ଯୁବକ ଉତକ୍ଷିପ୍ତ ହୋଇ ଧାନକ୍ଷେତ ନିକଟରେ ପଡ଼ିଥିବା ଏକ ଭଙ୍ଗା କାଚ ବୋତଲରେ ଯୁବତୀଙ୍କ ତଂଟିକୁ ଆଘାତ କରିଥିଲେ । ଯୁବତୀ ଜଣକ ମୃତ ଭାବି ଦୁଇ ଯୁବକ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଯୁବତୀ ଜଣକ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । ଖବର ପାଇ ଯୁବତୀଙ୍କ ଅଭିଭାବକ ଡ଼ାକ୍ତରଖାନାରେ ପଂହଚି ଚିକିତ୍ସା କରିଥିଲେ । ପରେ ଘଟଣା ନେଇ ଯୁବତୀ ଜଣକ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣାର ୯ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀଙ୍କୁ ଗିରଫ କରାଯାଇ ଯୁବତୀଙ୍କ ସହ ଦୁଇ ଯୁବକଙ୍କ ଡ଼ାକ୍ତରୀ ମାଇନା କରାଯାଇ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ ।
No Result
View All Result