No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୫ ମାର୍ଚ୍ଚ, ଶୁକ୍ରବାର ) ଆସିକା :- ଟାର୍ଗେଟ ଆସିନାହିଁ କହି ଟୋକନ ପାଇଥିବା ଚାଷୀର ଟୋକନରେ ଦର୍ଶାଯାଇଥିବା ଧାର୍ଯ୍ୟ ତାରିଖ ରେ ଧାନ ମଣ୍ଡିକୁ ନ ଉଠାଇବା ଏବଂ ବହୁ ଚାଷୀର ଏକ ମାସ ଅବଧି ସରିଯାଉଥିବା ଦେଖି ଚାଷିମେଳି ହୋଇ କ୍ରାନ୍ତିକାରୀ କୃଷକ ସଭା ନେତୃତ୍ୱରେ ୪ ମାର୍ଚ୍ଚ ୨୦୨୧ ଗୁରୁବାର ଦିନ ବ୍ରହ୍ମପୁର ଭଞ୍ଜନଗର ଜାତୀୟ ରାଜପଥକୁ କେନ୍ଦୁପଦର ଛକରେ ସକାଳ ୧୦ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଦୀର୍ଘ ୮ ଘଣ୍ଟା ରାସ୍ତାରେ ଧାନବସ୍ତା ରଖି ଅବରୋଧ କରି ପ୍ରତିବାଦ କଲେ ଶେଷରେ ଆସିକା ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଯୋଗାଣ ଅଧିକାରୀ ଚାଷୀକୁଳ ସହ ଆଲୋଚନା କରି ଆସନ୍ତାକାଲି ଠାରୁ ଧାନ ଉଠାଯିବ ବୋଲି ନିର୍ଭୟ ପ୍ରତିଶ୍ରୁତି ଦେଲା ପରେ ଅବରୋଧ ହଟିଲା । ୧୫୬ ଟୋକନରେ ୫୫୦୦ କୁଇଣ୍ଟାଲ ଧାନ ଗହଙ୍ଗୁ ସୋସାଇଟିରୁ ଉଠାଯିବ ଏବଂ ସେମଧ୍ୟରୁ ପ୍ରଥମେ ୧୫୦୦ କୁଇଣ୍ଟାଲର ଟାର୍ଗେଟ ଆସିଯାଇଛି ଏବଂ ପର୍ଯ୍ୟାୟ କ୍ରମେ ସମସ୍ତ ଟାର୍ଗେଟ ଆସିବ ଏବଂ ଧାନ ଉଠିବ । ତହସିଲଦାର ଶ୍ରୀଯୁକ୍ତ ସଦାନନ୍ଦ ସେଠୀ ନିଜେ ଗାଁ କୁ ଗାଁ ଯାଇ ଘରକୁ ଘର ବୁଲି ଚାଷୀର ଧାନ ଦେଖିବେ
ବୋଲି କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁଙ୍କ ଉପସ୍ଥିତିରେ ଚାଷୀଙ୍କୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ପ୍ରତିଶ୍ରୁତି ମୁତାବକ ତହସିଲଦାର ଓ ଯୋଗାଣ ଅଧିକାରୀ ଗାଁକୁ ଆସି ଚାଷୀର ଘରକୁ ଘର ବୁଲିଲେ ପାଲ ଖୋଲି ଧାନବସ୍ତା ଗଣିଲେ ଏବଂ ଗହଙ୍ଗୁ, ଫାପଲପୁର, ନାହାଡା ଆଦି ଗାଁ ରୁ ୫ ଗାଡି ଧାନ ମଣ୍ଡିକୁ ଉଠାଇଲେ । ଗତକାଲି ରବୀନ୍ଦ୍ର ଜେନାଙ୍କ ଧାନ ଉଠିଥିବା ବେଳେ ଆଜି ଜୟ ବେହେରା, କିଶୋର ଚନ୍ଦ୍ର ମହାନ୍ତି, ସତ୍ୟବାନ ପ୍ରଧାନ, ରତ୍ନାକର ପ୍ରଧାନ, ଦୀପାଞ୍ଜଳି ସିଓ, ଚିତ୍ରସେନ ଡାଙ୍ଗୁଆ, ଅରୁଣ ବାଡତ୍ୟା, ରବିନ୍ଦ୍ର ପଣ୍ଡା ଆଦିଙ୍କ ୨୮୦ ଧାନବସ୍ତା ଉଠିଛି । ଏହି ତ୍ବରିତ ପଦକ୍ଷେପ ଧାର କରଜ ଆଣିଥିବା ଚାଷୀ, ମୂଲିଆଙ୍କ ବକେୟା ମଜୂରୀ, ମେଡିକାଲ ଖର୍ଚ୍ଚ ଏବଂ ପୁଅ ଝିଅଙ୍କ ବିବାହ ଖର୍ଚ୍ଚ, ଅତ୍ୟାବଶ୍ୟକୀୟ ଖର୍ଚ୍ଚ ଭରଣା କରିବା ପାଇଁ ଚିନ୍ତିତ ଚାଷୀଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି । ଆନ୍ଦୋଳନର ବିଜୟ ହୋଇଛି ବୋଲି ଚାଷୀକୁଳ କହିବା ସହ ତହସିଲଦାର ଓ ଯୋଗାଣ ଅଧିକାରୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ଆମ ସରକାର, ପ୍ରଶାସନ ଓ ପୋଲିସ ଏଭଳି ଯଦି ଅନ୍ନଦାତାଙ୍କ ପାଇଁ ଦାୟିତ୍ୱବଦ୍ଧ ହୋଇ କର୍ତ୍ତବ୍ୟ ସମ୍ପାଦନ କରିବେ ତେବେ ନିଶ୍ଚିତ ରୁପେ ଚାଷୀର ଆସ୍ଥା ଭାଜନ ହୋଇପାରିବେ ବୋଲି କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁ ପ୍ରକାଶ କରିଛନ୍ତି । ରମେଶ ପରିଡା, ବାସୁଦେବ ସିଅ, ବଳରାମ ମହାନ୍ତି, ରଞ୍ଜନ ବିଶ୍ବାଳ, ମୁନା ମହାନ୍ତି, କିଶୋର ମହାନ୍ତି ଏବଂ ଯୁଧିଷ୍ଠିର ପରିଡା ଆଦି ରାସ୍ତାରୋକ ଆନ୍ଦୋଳନର ନେତୃତ୍ବ ନେଇଥିଲେ । ( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result