ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ ଅବସରରେ – ମୁଁ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳୀ

ଓଡ଼ିଶା ତାଜା ନ୍ୟୁଜ୍ (୦୫ ମାର୍ଚ୍ଚ, ଶୁକ୍ରବାର ) ଭୁବନେଶ୍ୱର  :- ଓଡିଶାର ଅତୀତ ଗୌରବକୁ ଫେରାଇ ଆଣିବା ଏବଂ ଓଡିଶାକୁ ବିକାଶର ଶିଖରରେ ପହଞ୍ଚାଇବା ଥିଲା ବିଜୁବାବୁଙ୍କ ଜୀବନର ଲକ୍ଷ୍ୟ । ସେବା ଓ ସ୍ଵାଭିମାନ ଥିଲା ତାଙ୍କ ଆଦର୍ଶ । ଏହି ଆଦର୍ଶରେ ଆମ ଦଳର ଲକ୍ଷ ଲକ୍ଷ କର୍ମୀ , ଭାଇ ଭଉଣୀ କାମ କରି ଚାଲିଛନ୍ତି । ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି । ଆଜି ଯେତେବେଳେ ଗାଁର କଚା ଘରେ ରହୁଥିବା ପରିବାରର ଘର ପକ୍କା ଘରରେ ପରିଣତ ହଉଛି, ତା ଘରକୁ ପାଇପ ପାଣି ଆସୁଛି, ବିଜୁଳି ଆଲୁଅ ରେ ତା ଘର ଉଜ୍ଜ୍ଵଳ ଦିସୁଛି, ସେତେବେଳେ ତା ମୁହଁ ରେ ହସ ଆସୁଛି ।

ଆଉ ତାହା ହଉଛି ଆମ ପାଇଁ ସବୁଠାରୁ ବଡ ପୁରସ୍କାର । ଆଜି ଯେତେବେଳେ ମା ଟିଏ ପଞ୍ଚାୟତ ଅଫିସରେ ବସି ଗାଁ ର ବିକାଶ କଥା ଚିନ୍ତା କରୁଛି, ମିଶନ ଶକ୍ତି ର ମା ଟିଏ ଆଜି ଯେତେବେଳେ ଋଣ ଆଣି ପରିଶ୍ରମ କରି ବେପାର ବୃଦ୍ଧି କରୁଛି ଓ ତାର ପରିବାର ପାଇଁ ସମୃଦ୍ଧି ଆଣୁଛି ; ସେତେବେଳେ ବିକାଶର ଚିତ୍ର ଉଜ୍ଜ୍ଵଳ ଦିଶୁଛି । ସରକାରୀ ସ୍କୁଲ ରେ ପଢୁଥିବା ପିଲା ପାଇଁ ଯେତେବେଳେ ସୁଯୋଗ ସୃଷ୍ଟି ହଉଛି ସେତେବେଳେ ଯୁବ ସମାଜ ର ସ୍ଵପ୍ନ ଦିଗନ୍ତ ପ୍ରସାରୀ ହଉଛି ।

କ୍ରୀଡା କ୍ଷେତ୍ରରେ ନୂଆ ସୁଯୋଗ ଯୁବ ସମାଜ ପାଇଁ, ତା ପ୍ରତିଭା ର ବିକାଶ ପାଇଁ ରାସ୍ତା ଦେଖାଉଛି । ବିଜୁବାବୁଙ୍କ ନୀତି, ଆଦର୍ଶ ଓ ଚିନ୍ତାଧାରା ଆଜି ଆମର ପ୍ରତିଟି ପଦକ୍ଷେପରେ ପ୍ରତିଫଳିତ ହେଉଛି । ତଥାପି ଆମକୁ ଆହୁରି ଅନେକ ପଥ ଅତିକ୍ରମ କରିବାକୁ ଅଛି । ଆସନ୍ତୁ ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଆମେ ସମସ୍ତେ ମିଳିମିଶି ତାଙ୍କ ଆଦର୍ଶରେ ଚାରି କୋଟି ଓଡିଶା ବାସୀଙ୍କ ସେବା ପାଇଁ ପୁଣିଥରେ ଶପଥ ନେବା । ଓଡ଼ିଶାର ସ୍ବାଭିମାନ ପାଇଁ ଲଢ଼େଇ ଜାରି ରଖିବା “ବନ୍ଦେ ଉତ୍କଳ ଜନନୀ”